ETV Bharat / state

BSKY ନବୀନ କାର୍ଡର ଶୁଭାରମ୍ଭ; ଉପକୃତ ହେବେ ୧.୧୦ କୋଟିରୁ ଅଧିକ ପରିବାର

author img

By ETV Bharat Odisha Team

Published : Dec 29, 2023, 2:17 PM IST

ନବୀନ କାର୍ଡର ଶୁଭାରମ୍ଭ
ନବୀନ କାର୍ଡର ଶୁଭାରମ୍ଭ

BSKY Nabin Card: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ-ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର ଏହି କାର୍ଡ ମାଧ୍ୟମରେ ଉପକୃତ ହେବେ । ଅଧିକ ପଢ଼ନ୍ତୁ

ନବୀନ କାର୍ଡର ଶୁଭାରମ୍ଭ

ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ-ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆରମ୍ଭ ହୋଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ (BSKY) ଯୋଜନାର ତୃତୀୟ ପର୍ଯ୍ୟାୟ । ଏହି ପର୍ଯ୍ୟାୟରେ BSKYରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳର ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ହସ୍ପିଟାଲଗୁଡିକରେ କ୍ୟାସଲେସ ସୁବିଧା ଯୋଗାଇ ଦିଆଯିବ । ସରକାରୀ କର୍ମଚାରୀ ଏବଂ ଆୟକରଦାତାଙ୍କୁ ବାଦ ଦେଇ ଗ୍ରାମାଞ୍ଚଳର BSKY ଯୋଜନା ଅଧୀନରେ ନଥିବା ଲୋକ ଏହି ନୂଆ ଯୋଜନାରେ ସାମିଲ ହେବେ । ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର ଏହି କାର୍ଡ ମାଧ୍ୟମରେ ଉପକୃତ ହେବେ । ଯାହାକି ଜନସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ''ସ୍ବାସ୍ଥ୍ୟ ସହ ବିକାଶର ଗଭୀର ସମ୍ପର୍କ ରହିଛି । ଏକ ସୁସ୍ଥ ସମାଜ ହିଁ ସମୃଦ୍ଧ ଭବିଷ୍ୟତର ଭିତ୍ତି । ସ୍ବାସ୍ଥ୍ୟକ୍ଷେତ୍ରରେ ସରକାରଙ୍କ ସବୁ କାର୍ଯ୍ୟକ୍ରମ ପଛରେ ରହିଛି ଆମର ସୁସ୍ଥ ଓଡିଶା, ସୁଖୀ ଓଡିଶାର ମହତ୍ବାକାଂକ୍ଷୀ ଲକ୍ଷ୍ୟ । ମୋର ସ୍ବପ୍ନ ହେଉଛି ଓଡିଶାର ସମସ୍ତଙ୍କୁ ସାର୍ବଜନୀନ ସ୍ବାସ୍ଥ୍ୟସେବା ଯୋଗାଇବା । ମୁଁ ଏମିତି ଏକ ଓଡ଼ିଶା ଚାହେଁ, ଯେଉଁଠାରେ ସ୍ବାସ୍ଥ୍ୟସେବା ଲୋକଙ୍କ ପାଇଁ ଏକ ଅଧିକାର । ଏହାସବୁ ଲୋକଙ୍କ ପାଇଁ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବ । ପଇସା ପାଇଁ ମୋ ରାଜ୍ୟର କେହି କେବେ ଉତ୍ତମ ଚିକିତ୍ସା ସୁବିଧାରୁ ବଞ୍ଚିତ ନହେଉ । ଏହି ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବାକୁ ଯାଇ ଆମେ ୫ ବର୍ଷ ତଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲୁ । ଏହା ଓଡିଶାର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା । ଆମ ରାଜ୍ୟର ସବୁ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ପର୍ଯ୍ୟାୟକ୍ରମେ ସଂପ୍ରସାରିତ କରାଯାଉଛି ।"

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ସବୁ ଲୋକଙ୍କୁ ସେମାନଙ୍କର ରୋଜଗାର ଓ ବାସସ୍ଥାନ ନିର୍ବିଶେଷରେ ସବୁ ସରକାରୀ ଚିକିତ୍ସାଳୟରେ ସମସ୍ତ ଉପଲବ୍ଧ ଚିକିତ୍ସା ସୁବିଧା ସଂପୂର୍ଣ୍ଣ ମାଗଣାରେ ମିଳୁଛି । ଦ୍ବିତୀୟ ପର୍ଯ୍ୟାୟରେ ସବୁ ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଘରୋଇ ଚିକିତ୍ସାଳୟ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ମିଳୁଛି । BSKY ଯୋଜନାରେ ପ୍ରତି ମାସରେ ୪୫ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନ ଗୁଡିକରେ ମାଗଣାରେ ଚିକିତ୍ସା ସୁବିଧା ପାଉଛନ୍ତି । ଏହା ସହିତ ୧ ଲକ୍ଷ ୩୦ ହଜାର ଲୋକ ଘରୋଇ ହସ୍ପିଟାଲ ଗୁଡିକରେ କ୍ୟାସଲେସ ଚିକିତ୍ସା ସୁବିଧା ମଧ୍ୟ ପାଉଛନ୍ତି । ଏଥିପାଇଁ ପଞ୍ଜିକୃତ ହୋଇଥିବା ଘରୋଇ ହସ୍ପିଟାଲ ଗୁଡିକରେ ରାଜ୍ୟ ସରକାର ମାସକୁ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।

ଗତ ୫ ବର୍ଷରେ BSKY ଯୋଜନାରେ ରାଜ୍ୟ ସରକାର ୪୫୦୦ କୋଟି ଟଙ୍କା ଖର୍ଚ୍ଚ କରି ୨୧ ଲକ୍ଷ ରୋଗୀଙ୍କୁ ବିଭିନ୍ନ ଘରୋଇ ହସ୍ପିଟାଲରେ କ୍ୟାସଲେସ ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି । ସାର୍ବଜନୀନ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସାରା ଦେଶରେ ଏହା ଅନନ୍ୟ ଉଦାହରଣ । ଏକ ଉତ୍ତମ ମଡେଲ । ଓଡିଶାର ଲୋକଙ୍କ ପାଇଁ ଏହା ଏକ ସୁନିଶ୍ଚିତ ସ୍ବାସ୍ଥ୍ୟସେବା ବ୍ୟବସ୍ଥା । ଯେଉଁଥିରେ କି ସରକାରୀ ଓ ଘରୋଇ ଉଭୟ କ୍ଷେତ୍ରର ଉତ୍ତମ ସୁବିଧା ପ୍ରଦାନ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...BSKYରେ ୬୮୧ ସୁପର ସ୍ପେଶାଲିଟି ହସ୍ପିଟାଲ ସାମିଲ, ୬୬୮ ଫ୍ରଣ୍ଟଲାଇନ କର୍ମଚାରୀ ନିୟୋଜିତ

ଏବେ ଆମେ BSKY ଯୋଜନାର ତୃତୀୟ ପର୍ଯ୍ୟାୟ ଆରମ୍ଭ କରୁଛୁ । ଏହି ପର୍ଯ୍ୟାୟରେ BSKYରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳର ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ହସ୍ପିଟାଲଗୁଡିକରେ କ୍ୟାସଲେସ ସୁବିଧା ଯୋଗାଇ ଦିଆଯିବ । ଏହି ପର୍ଯ୍ୟାୟରେ କେବଳ ସରକାରୀ କର୍ମଚାରୀ ଏବଂ ଆୟକରଦାତାଙ୍କୁ ବାଦ ଦେଇ ଗ୍ରାମାଞ୍ଚଳର ସବୁ ପରିବାର, ଯେଉଁମାନେ ବର୍ତ୍ତମାନ BSKY ଯୋଜନା ଅଧୀନରେ ନାହାନ୍ତି, ସେମାନେ ଆମର ଏହି ନୂଆ ଯୋଜନାରେ ସାମିଲ ହେବେ । ସେମାନେ ସମସ୍ତେ ଆମର ନୂଆ BSKY-ନବୀନ କାର୍ଡ ପାଇବେ । ସେମାନେ ମଧ୍ୟ ଉଭୟ ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତ ଘରୋଇ ହସ୍ପିଟାଲ ଗୁଡିକରେ ନିର୍ଦ୍ଧାରିତ ଜଟିଳ ରୋଗ ଗୁଡିକର ଚିକିତ୍ସା ସୁବିଧା ପାଇବେ ।

ଏହି ତୃତୀୟ ପର୍ଯ୍ୟାୟ ସଂପ୍ରସାରଣରେ ସାମିଲ ହେବେ ରାଜ୍ୟର ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର । ଯାହାକି ଆମ ଲୋକସଂଖ୍ୟାର ପ୍ରାୟ ୯୦ ପ୍ରତିଶତ ଅଟେ । ସେମାନେ ସମସ୍ତେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ-ନବୀନ କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ସୁବିଧା ପାଇବେ । ମୋର ବିଶ୍ବାସ, BSKY-Navin card ଦ୍ବାରା ଓଡିଶାର କୌଣସି ପରିବାର ଆର୍ଥିକ ଦୁରାବସ୍ଥା କାରଣରୁ ଜଟିଳ ରୋଗ ଗୁଡିକର ଚିକିତ୍ସା କ୍ଷେତ୍ରରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଏଥିପାଇଁ ଚିକିତ୍ସାର ସମସ୍ତ ଖର୍ଚ୍ଚ ଓଡିଶା ସରକାର ନିଜ ପାଣ୍ଠିରୁ ବହନ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.