ETV Bharat / state

ଦସ୍ତାବିଜ ପ୍ରସ୍ତୁତ ପାଇଁ ପ୍ରକଳ୍ପ କାର୍ଯ୍ୟର ହେବ ଭିଡିଓଗ୍ରାଫି ବା ଫଟୋଗ୍ରାଫି

author img

By

Published : Apr 29, 2023, 7:52 AM IST

ଗ୍ରାମ୍ୟ ଉନ୍ନୟନ ବିଭାଗ ସମୀକ୍ଷା ବୈଠକ
ଗ୍ରାମ୍ୟ ଉନ୍ନୟନ ବିଭାଗ ସମୀକ୍ଷା ବୈଠକ

ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ । ବିଭାଗର ସ୍ୱଚ୍ଛତା ବଜାୟ ରଖିବା ପାଇଁ ସମସ୍ତ ପ୍ରକଳ୍ପ କାର୍ଯ୍ୟର ଭିଡିଓଗ୍ରାଫି ବା ଫଟୋଗ୍ରାଫି ହେବ । ଅଧିକ ପଢନ୍ତୁ

ଭୁବନେଶ୍ବର: ଲୋକସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ ପ୍ରକୋଷ୍ଠରେ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ବୈଠକରେ ଅଧ୍ୟକ୍ଷତା କରି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ତ ସମସ୍ତ ଯୋଜନା ଓ ପ୍ରକଳ୍ପଗୁଡିକ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ, ବିଭାଗର ସ୍ୱଚ୍ଛତା ବଜାୟ ରଖିବା ଲକ୍ଷ୍ୟ ନେଇ ସମ୍ପୂର୍ଣ୍ଣ ଡିଜିଟାଇଜେସନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଣିକି ବିଭାଗର ସମସ୍ତ ପ୍ରକଳ୍ପ ଅନଲାଇନରେ ଅପଲୋଡ ହେବ । ଏହାସହିତ କ୍ଷେତ୍ରସ୍ତରୀୟ କାର୍ଯ୍ୟ ପ୍ରଶାସନିକ ଅନୁମୋଦନ, ଇ-ମେଜରମେଣ୍ଟ, ପ୍ରୋକ୍ୟୋରମେଣ୍ଟ ଆଦି ଅନଲାଇନ ମାଧ୍ୟମରେ ହେବ ।

ଯେକୌଣସି ପ୍ରକଳ୍ପର ଆରମ୍ଭଠାରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ପ୍ରତ୍ୟେକଟି କାର୍ଯ୍ୟକୁ ଭିଡିଓଗ୍ରାଫି/ ଫଟୋଗ୍ରାଫି ମାଧ୍ୟମରେ ଉତ୍ତୋଳନ କରାଯାଇ ଦସ୍ତାବିଜ ପ୍ରସ୍ତୁତ କରାଯିବ । ଏଣୁ କାର୍ଯ୍ୟକାରୀ ହେଉଥିବା ପ୍ରତ୍ୟେକ ଯୋଜନାର ସଫଳ ରୂପାୟନ ତଥା ସୁବିନିଯୋଗ ନିମନ୍ତେ ମୁଖ୍ୟଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନିମ୍ନସ୍ତରର ଅଧିକାରୀମାନେ ସମସ୍ତେ ଉତ୍ତରଦାୟୀ ରହିବା ଜରୁରୀ । ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, କୋଠାବାଡି, ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଯୋଜନା ସହିତ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ଓ ‘ମୋ ସରକାର’ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି ।

ଏହାମଧ୍ୟ ପଢନ୍ତୁ: କେନ୍ଦ୍ରାପଡାରେ ୫ଟି ସଚିବ: ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟର ଅଗ୍ରଗତି ସମୀକ୍ଷା, ତ୍ବରାନ୍ବିତ କରିବାକୁ ପରାମର୍ଶ

ବିଗତ ବର୍ଷରେ ଆରମ୍ଭ କରାଯାଇଥିବା ପ୍ରକଳ୍ପଗୁଡିକ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ହାତକୁ ନିଆଯାଇଥିବା ଯୋଜନା ଓ ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ସମସ୍ତ ୬୦ଟି ଡିଭିଜନ ଏବଂ ୧୩ଟି ଇଞ୍ଜିନିୟରିଂ ସର୍କଲ ସଂସ୍ଥାର ମୁଖ୍ୟଯନ୍ତ୍ରୀ ଏବଂ ସର୍ବୋଚ୍ଚ ଯନ୍ତ୍ରୀମାନେ ଆଭାସୀ ମାଧ୍ୟମରେ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି । ସର୍କଲ ଓ ଡିଭିଜନର ସମସ୍ତ ଯନ୍ତ୍ରୀମାନଙ୍କୁ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ ପଚାରି ବୁଝିଛନ୍ତି । ଏହାସହ ସମସ୍ତ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମାରେ ସାରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଶାସନ ସଚିବ ସୁଦର୍ଶନ ପରିଡା, ଇଆଇସି ପ୍ରଦୀପ ସାମଲଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.