ETV Bharat / state

କେନ୍ଦ୍ରାପଡାରେ ୫ଟି ସଚିବ: ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟର ଅଗ୍ରଗତି ସମୀକ୍ଷା, ତ୍ବରାନ୍ବିତ କରିବାକୁ ପରାମର୍ଶ

author img

By

Published : Apr 28, 2023, 9:42 AM IST

କେନ୍ଦ୍ରାପଡା ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟିମ । କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିଛି ଟିମ । ଅଧିକ ପଢନ୍ତୁ

vk pandian visits kendrapara
vk pandian visits kendrapara

କେନ୍ଦ୍ରାପଡା ଗସ୍ତରେ ୫ଟି ସଚିବ

କେନ୍ଦ୍ରାପଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କେନ୍ଦ୍ରାପଡା ଗସ୍ତରେ ରହିଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ । ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ପୂର୍ତ୍ତ ସଚିବ ଭି.ଭି ଯାଦବ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିଛନ୍ତି । ଏହା ସହିତ କାର୍ଯ୍ୟର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟିମ କେନ୍ଦ୍ରାପଡାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିର, ଗୋଲରା ହାଟ ସ୍ଥିତ ଦଧିବାମନ ଜିଉ ମନ୍ଦିର ଓ ରାମନଗରରେ ଥିବା ରାମଚଣ୍ଡୀ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଏଥିସହ ବଳଦେବଜିଉ ମନ୍ଦିର ଟ୍ରଷ୍ଟବୋର୍ଡ ଓ ସେବାୟତ ମାନଙ୍କ ସହିତ ଆଲୋଚନା କରି ଏହାର ଅଧିକ ବିକାଶ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ DPR ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଦଧିବାମନଜୀଉ, ରାମଚଣ୍ଡୀ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଡିଆରପି ପ୍ରସ୍ତୁତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ମହାକଳାପଡା ଅଡୋଇରେ ପ୍ରସ୍ତାବିତ ଆର୍ସେଲର୍ ମିତ୍ତଲ ନିପନ୍ ଷ୍ଟିଲ୍ ପ୍ଲାଣ୍ଟ ଅଞ୍ଚଳ ପରିଦର୍ଶନ କରିଥିଲା ଟିମ । ସେଠାରେ ବିଭିନ୍ନ ପଦାଧିକାରୀମାନଙ୍କ ସହିତ ଆଲୋଚନା କରି ପ୍ରକଳ୍ପର ପ୍ରାକ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ । ଏହି କାମ ତୁରନ୍ତ ଆରମ୍ଭ କରିବାକୁ ଟିମ ଜିଲ୍ଲାପାଳ ଓ ପ୍ଲାଣ୍ଟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଯାଇଛି । ସେଠାରେ ଟିମ ମାର୍ଶାଘାଇ-ଜମ୍ବୁ କେନାଲ ରାସ୍ତାର ପ୍ରସ୍ତାବିତ ସଂପ୍ରସାରଣ କାର୍ଯ୍ୟ ସଂପର୍କରେ ସମୀକ୍ଷା କରାଯାଇଥିଲା । ୧୧୦ କୋଟି ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଟିମ ପରାମର୍ଶ ଦେଇଥିଲା ।

ସେହିପରି କେନ୍ଦ୍ରାପଡା ସର୍କିଟ ହାଉସରେ ପ୍ରାୟ ୧୩୦ଟି ନାଗରିକ ସମାଜ ବିଭିନ୍ନ ସଂସ୍ଥା ଓ ସଂଘ ମାନଙ୍କ ସହ ଆଲୋଚନା କରି ଜିଲ୍ଲାର ବିକାଶ ଏବଂ ଲୋକ ମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲା ଟିମ । ଜିଲ୍ଲାସ୍ତରରେ ଯେଉଁସବୁ ସମସ୍ୟାର ସମାଧାନ ହୋଇପାରିବ, ତାର ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ସ୍ତରରେ ହେବାକୁ ଥିବା ସମସ୍ୟାର ସମାଧାନ ଉପଯୁକ୍ତ ପର୍ଯ୍ୟାଲୋଚନା ପରେ ପଦକ୍ଷପ ନିଆଯିବ ବୋଲି ଟିମ କହିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟିମ ପ୍ରଥମେ କେନ୍ଦ୍ରାପଡାର ଆରଏମସି କମ୍ପ୍ଲେକ୍ସକୁ ଗସ୍ତ କରିଥିଲା । ସେଠାରେ ୫୦୦ ଏମଟି ବିଶିଷ୍ଟ ଶୀତଳଭଣ୍ଡାରର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ସହ ଖୁବଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ଭିକେ ପାଣ୍ଡିଆନ କେନ୍ଦ୍ରାପଡ଼ା ବ୍ଲକ ଜଜାଙ୍ଗ ଗାଁରେ ଥିବା କାଇଁଚ କ୍ଲଷ୍ଟରରେ ମହିଳା ମାନଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ କାଇଁଚ ତିଆରି ସାମଗ୍ରୀ ବୁଲି ଦେଖିଥିଲେ । ଏହାପରେ ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ ମୂଳବସନ୍ତ ଗାଁରେ ମହିଳା ମାନଙ୍କ ଦ୍ୱାରା କରାଯାଉଥିବା ମାଛ ଚାଷକୁ ବୁଲି ଦେଖିବା ପରେ ପଟ୍ଟାମୁଣ୍ଡାଇ ସ୍ଥିତ ଜିଲ୍ଲାର ଏକମାତ୍ର ପ୍ଲମ୍ବିଂ ଇନଷ୍ଟିଚ୍ୟୁଟ ବୁଲି ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। । ଏହାବାଦ ପଟ୍ଟାମୁଣ୍ଡାଇ ଠାରେ ନିର୍ମାଣାଧୀନ ଇଣ୍ଡୋର ଷ୍ଟାଡିୟମ ଏବଂ ଇଣ୍ଡୋର ହଲ ବୁଲି ଦେଖି ଜିଲ୍ଲାର ଅନ୍ୟତମ ଉତ୍ପାଦ ଗୋଷ୍ଠୀ ତଥା ଡେରାବିଶ୍ ବ୍ଲକ ଗୋଲରାହାଟ ପଞ୍ଚାୟତରେ ଥିବା ଉତ୍କଳ ଗ୍ରାମୀଣ ଉତ୍ପାଦ ଗୋଷ୍ଠୀରେ କାମ କରୁଥିବା 80 ଜଣ ମହିଳାଙ୍କ ସହ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ 5ଟି ସଚିବ ।

ସେହିପରି ଡେରାବିଶ ବ୍ଲକରେ ଏକ ମିଶନ ଶକ୍ତି କାଫେ ପରିଦର୍ଶନ କରି ସେଠାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସହିତ ଆଲୋଚନା ହୋଇଥିଲା । ଲୋକଙ୍କ ଆବଶ୍ୟକତାକୁ ଦେଖି ନୂଆ ନୂଆ ପ୍ରକାରର ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରି ନିଜ ପାଇଁ ବଜାର ସୃଷ୍ଟି କରିବାରୁ ଟିମ ପରାମର୍ଶ ଦେଇଛି । ଡେରାବିଶରେ ପ୍ରାୟ ୬୦୦ ଜିଲ୍ଲା, ବ୍ଲକ ଓ ଗ୍ରାମପଞ୍ଚାୟତସ୍ତରୀୟ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଟିମ ଆଲୋଚନା କରିଥିଲା । ଲୋକଙ୍କ ପାଇଁ ଅଧିକରୁ ଅଧିକ ଜୀବିକା ସୃଷ୍ଟି କରିବା ପାଇଁ ଟିମ ପରାମର୍ଶ ଦେବା ସହ ଏ କ୍ଷେତ୍ର ପାଇଁ ଅର୍ଥର କୌଣସି ଅଭାବ ରହିବା ନାହିଁ ବୋଲି ଟିମ ସୂଚନା ଦେଇଥିଲା । ଏହି ପରିଦର୍ଶନ ସମୟରେ କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.