ETV Bharat / state

Odisha Assembly: ଚାକିରି ଜୀବନରେ ଗୋପାଳ ଦାସ କରିଛି ଉଲ୍ଲେଖନୀୟ କାର୍ଯ୍ୟ

author img

By

Published : Mar 20, 2023, 6:57 PM IST

Odisha Assembly
Odisha Assembly

ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ମଧ୍ୟ ନବ ଦାସଙ୍କ ହତ୍ୟାକୁ ନେଇ ସରକାରଙ୍କୁ ଜବାବ ମାଗିଥିଲେ । ମୁକେଶ କହିଥିଲେ ତଦନ୍ତ ତଦାରଖ କରୁଥିବା ଅବସରପ୍ରାପ୍ତ ବିଚାରପତିଙ୍କ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହାଇକୋର୍ଟଙ୍କୁ ଲେଖାଯାଇଥିବା ଚିଠି ଗୃହରେ ଉପସ୍ଥାପନ କରିବେ କି? ଏହାସହ ସରକାରଙ୍କ ସୁପାରିଶକୁ ଗ୍ରହଣ କରି ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତିଙ୍କୁ ତଦନ୍ତ ତଦାରଖ ପାଇଁ ଦେଇଥିବା ନିର୍ଦ୍ଦେଶ ପତ୍ର ମଧ୍ୟ ଦେବେ କି? ଅଧିକ ପଢନ୍ତୁ

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ହତ୍ୟା ପାଇଁ କେଉଁ ସାମଗ୍ରୀ ବ୍ୟବହାର ହୋଇଥିଲା? କେଉଁ ସାମଗ୍ରୀ ଜବତ ହୋଇଛି? କେଉଁ ସାମଗ୍ରୀ ଜବତ ହୋଇପାରୁ ନାହିଁ? ହତ୍ୟାର ମୋଟିଭ କଣ? କାହାର ସମ୍ପୃକ୍ତି ରହିଛି? ତଦନ୍ତ ତଦାରଖ କରୁଥିବା ଅବସରପ୍ରାପ୍ତ ବିଚାରପତିଙ୍କ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହାଇକୋର୍ଟଙ୍କୁ ଲେଖାଯାଇଥିବା ଚିଠି ଓ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଦେଇଥିବା ଚିଠି ଗୃହରେ ଉପସ୍ଥାପନ କରିବେ କି? ହତ୍ୟା ଅଭିଯୁକ୍ତ ଗୋପାଳ ଦାସ ଚାକିରୀ କାଳରେ ପୋଲିସ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ ହୋଇଥିବା ତାଙ୍କର ମାନସିକ ରୋଗ ସଂକ୍ରାନ୍ତ ବିବରଣୀ ସମ୍ପର୍କରେ ସୂଚନା ଦେବେ କି? ନବ ଦାସ ହତ୍ୟାକାଣ୍ଡର ତଦନ୍ତକୁ ନେଇ ଯଦି କ୍ରାଇମବ୍ରାଞ୍ଚ କୌଣସି ନିର୍ଦ୍ଦିଷ୍ଟ ନିର୍ଯ୍ୟାସରେ ପହଞ୍ଚିପାରିଲା ନାହିଁ ବା ହତ୍ୟାର ରହସ୍ୟ ଉନ୍ମୋଚନ କରିପାରିଲା ନାହିଁ, ପରବର୍ତ୍ତୀ ପଦକ୍ଷେପ କଣ ହେବ? ଆଜି ବିଧାନସଭାରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଓ ତଦନ୍ତକୁ ନେଇ ଏଭଳି ଏକାଧିକ ଲିଖିତ ପ୍ରଶ୍ନ କରି ସରକାରଙ୍କୁ ଜବାବ ମାଗିଥିଲେ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ।

ସେହିପରି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ମଧ୍ୟ ନବ ଦାସଙ୍କ ହତ୍ୟାକୁ ନେଇ ସରକାରଙ୍କୁ ଜବାବ ମାଗିଥିଲେ । ମୁକେଶ କହିଥିଲେ ତଦନ୍ତ ତଦାରଖ କରୁଥିବା ଅବସରପ୍ରାପ୍ତ ବିଚାରପତିଙ୍କ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହାଇକୋର୍ଟଙ୍କୁ ଲେଖାଯାଇଥିବା ଚିଠି ଗୃହରେ ଉପସ୍ଥାପନ କରିବେ କି? ଏହାସହ ସରକାରଙ୍କ ସୁପାରିଶକୁ ଗ୍ରହଣ କରି ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତିଙ୍କୁ ତଦନ୍ତ ତଦାରଖ ପାଇଁ ଦେଇଥିବା ନିର୍ଦ୍ଦେଶ ପତ୍ର ମଧ୍ୟ ଦେବେ କି?

ବିଧାୟକ ସୁବାସ ପାଣିଗ୍ରାହୀଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ, ରୁଲ୍ସ ଅଫ ପ୍ରୋସିଜୋର ଆଣ୍ଡ କଣ୍ଡକ୍ଟ ଅଫ ବିଜନେସ ଇନ ଦ ଓଡିଶା ଲେଜିସଲେଟିଭ ଆସେମ୍ବ୍ଲି ର ରୁଲ୍ସ 44(2) (XVIII) ଓ ରାଇଟ ଟୁ ଇନଫରମେସନ ଆକ୍ଟ ଧାରା 8(1) (h) ଓ (j) ବିଧାନ ଅନୁସାରେ କୌଣସି ତଥ୍ୟ ତଦନ୍ତ ପରିସରଭୁକ୍ତ ଥାଇ ନ୍ୟାୟାଳୟର ବିଚାରଧିନ ଥିଲେ ଏବଂ ତଦନ୍ତ ପ୍ରକ୍ରିୟା ଓ ଅପରାଧୀର ଅଭିଯୋଜନା ବାଧାପ୍ରାପ୍ତ ହେବାର ଆଶଙ୍କା ଥିବାରୁ ଏହି ପ୍ରଶ୍ନର ଉତ୍ତର ଦେବା ଉଚିତ ହେବ ନାହିଁ ।

ଏହାବି ପଢନ୍ତୁ- Budget Session: ଶୋକ ପ୍ରସ୍ତାବ ଆଗତ ପରେ ପ୍ରଶ୍ନପତ୍ର ଲିକ ନେଇ ଗୃହରେ ହଟ୍ଟଗୋଳ, ଅପରାହ୍ନ 4ଟା ଯାଏଁ ମୁଲତବୀ

ଆରକ୍ଷୀ ଅଧୀକ୍ଷକ ଝାରସୁଗୁଡା ଜିଲ୍ଲାଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ହତ୍ୟା ଅପରାଧୀ ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସ ଚାକିରୀ କାଳରେ ସେ 03.02.2014 ରୁ 03.04.2014 ପର୍ଯ୍ୟନ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନଧିକୃତ ଅନୁପସ୍ଥିତ ରହି 04.04.2014 ରେ ନିଜର କାର୍ଯ୍ୟରେ ଯୋଗଦେବା ସମୟରେ ତାଙ୍କର ଅନୁପସ୍ଥିତି ଦିନକୁ ନିଜର ମାନସିକ ରୋଗ ( Bipolar Affectiv Disorder) ପାଇଁ ମାନସିକ ବିଶେଷଜ୍ଞ ଏମକେସିଜି ବ୍ରହ୍ମପୁର ରେ ଚିକିତ୍ସିତ ହେବାର ଡାକ୍ତରୀ ପ୍ରମାଣପତ୍ର ସହ ନିଜର ସୁସ୍ଥତା ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହାସହ ନିଜର 60 ଦିନ ( ଦୁଇମାସ) କାର୍ଯ୍ୟକ୍ଷେତ୍ରରେ ଅନୁପସ୍ଥିତିକୁ ନିୟମିତ କରିବା ପାଇଁ ଅନୁରୋଧ କରିଥିଲେ । ଗୋପାଳ ଦେଇଥିବା ପ୍ରମାଣ ପତ୍ର ଓ ଡାକ୍ତରୀ ସାର୍ଟିଫିକେଟ ଆଧାରରେ ତାଙ୍କର ଛୁଟି ମଞ୍ଜୁର ସହ କାର୍ଯ୍ୟରେ ଯୋଗଦେବାକୁ ଅନୁମତି ଦିଆଯାଇଥିଲା ।

ପୁନର୍ବାର ଗୋପାଳ 20.02.15 ଅପରାହ୍ନ ରୁ 8 ଦିନ ପାଇଁ Casual Leave (CL) ରେ ଯାଇଥିଲେ । ସେ 01.03.2015 ରେ କାର୍ଯ୍ୟରେ ଯୋଗଦେବାର ଥିଲା, କିନ୍ତୁ ଯୋଗ ଦେଇନଥିଲେ । କିନ୍ତୁ 28.06.2015 ରେ ନିଜର ମାନସିକ ରୋଗ ( Bipolar Affectiv Disorder) ପାଇଁ ଏମକେସିଜି ମାନସିକ ବିଶେଷଜ୍ଞଙ୍କ ଠାରେ ହୋଇଥିବା ଚିକିତ୍ସା ଡାକ୍ତରୀ ପ୍ରମାଣପତ୍ର ସହ ନିଜର 119 ଦିନର ଅନୁପସ୍ଥିତିକୁ ଶାରୀରିକ ଅସୁସ୍ଥତା ପାଇଁ EL (Earned Leave) ଅନୁମୋଦନ କରିବା ପାଇଁ ଅନୁରୋଧ କରିଥିଲେ । ଗୋପାଳ ଦେଇଥିବା ଚିକିତ୍ସା ହେବାର ପ୍ରମାଣପତ୍ର ଆଧାରରେ ତାଙ୍କର EL କୁ ନିୟମିତ କରାଯିବା ସହ ପୁନର୍ବାର କାର୍ଯ୍ୟରେ ଯୋଗଦେବାକୁ ଅନୁମତି ଦିଆଯାଇଥିଲା ।

ବିଧାୟକ ମୁକେଶ ମହାଲିଙ୍ଗ ପ୍ରଶ୍ନର ଉତ୍ତର ଦେଇ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ନବ ଦାସ ହତ୍ୟା ଘଟଣାର ତଦନ୍ତରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ବଜାୟ ରଖିବା ପାଇଁ ରାଜ୍ୟ ସରକାର ଜଣେ କାର୍ଯ୍ୟରତ କିମ୍ବା ଅବସରପ୍ରାପ୍ତ ବିଚାରପତି ଅଥବା ଜିଲ୍ଲା ଦୌରା ଜଜଙ୍କ ଦ୍ବାରା ତଦନ୍ତର ତଦାରଖ ପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ । ହାଇକୋର୍ଟଙ୍କ ସୁପାରିଶକ୍ରମେ ଅବସରପ୍ରାପ୍ତ ବିଚାରପତି ଜେପି ଦାସଙ୍କୁ ତଦନ୍ତର ତଦାରଖ ଦାୟିତ୍ବ ଦିଆଯାଇଛି । କିନ୍ତୁ ବିଧାୟକ ମାଗିଥିବା ଚିଠି ଆଦାନ ପ୍ରଦାନର ତଥ୍ୟ ସମ୍ପର୍କରେ ମନ୍ତ୍ରୀ କୌଣସି ଉତ୍ତର ଦେଇନଥିଲେ ।

ଅନ୍ୟପଟେ ବରିଷ୍ଠ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ୍ର ମଧ୍ୟ ନବଦାସ ହତ୍ୟାକାଣ୍ଡକୁ ନେଇ ଆଜି ବିଧାନସଭାରେ ପ୍ରଶ୍ନବାଣରେ ସରକାରଙ୍କୁ ଘେରିଥିଲେ । ଏହାସହ ଗୋପାଳର ପୁରା ସର୍ଭିସ ରେକର୍ଡ ମାଗିଥିଲେ । ଯେଉଁଥିରେ ହତ୍ୟା ଅଭିଯୁକ୍ତ ଗୋପାଳ ସମ୍ପର୍କରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ରହିଛି ।

ନରସିଂହ ପ୍ରଶ୍ନ କରିଥିଲେ ନବଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ ୨୦୧୪ ରୁ ୨୦୨୨ ପର୍ଯ୍ୟନ୍ତ ଚାକିରୀ କାଳ ସମୟରେ କେତେ ଥର ଛୁଟି ନେଇଥିଲେ? କେଉଁ କାରଣ ପାଇଁ ଛୁଟିନେଇଥିଲେ । ଗତ 10 ବର୍ଷ ମଧ୍ୟରେ କେତେ ଥର ପୁରସ୍କୃତ ହୋଇଛନ୍ତି? କେଉଁ ପୁରସ୍କାର ପାଇଛନ୍ତି? କେଉଁ କାମ ପାଇଁ ପୁରସ୍କାର ପାଇଛନ୍ତି? ନିର୍ଦ୍ଦିଷ୍ଟ ଭାବେ କୌଣସି ତଦନ୍ତରେ ଭଲ କାମ ପାଇଁ? ପୁରସ୍କାର ପାଇଛନ୍ତି କି? ନିଜର ଏସଆଇ କାର୍ଯ୍ୟକାଳ ମଧ୍ୟରେ କେତୋଟି ମାମଲାର ତଦନ୍ତ କରିଛନ୍ତି? କେତୋଟି ମାମଲାର ତଦନ୍ତକାରୀ ଅଧିକାରୀ (ଆଇଓ) ଥିଲେ?

ନରସିଂହ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ୨୦୧୪ ରୁ ୨୦୨୨ ପର୍ଯ୍ୟନ୍ତ ଚାକିରୀ ସମୟରେ ଅଭିଯୁକ୍ତ ଗୋପାଳ ୪୨ ଥର ବିଭିନ୍ନ କାରଣ ଦର୍ଶାଇ ଓ ବିନା କାରଣରେ ଛୁଟି ନେଇଛନ୍ତି। ସେହିପରି ଗୋପାଳର ପୁରସ୍କାର ପାଇବା ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଗୋପାଳ ଗତ 2013 ମସିହାରେ ବ୍ରଜରାଜନଗର ପୌର ନିର୍ବାଚନରେ ଭଲ କାମ କରିଥିଲେ । 2014 ରେ ଜୁଆ ଖେଳ ଉପରେ ଚଢାଉ କରିଥିଲେ । 2015 ମସିହାରେ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାରେ ଶାନ୍ତିଶୃଙ୍ଖଳା ରକ୍ଷାନେଇ କାମ କରିଥିଲେ । ସେହିବର୍ଷ ଶ୍ରୀଜୀଉଙ୍କ ନବକଲେବର ଓ ରଥଯାତ୍ରାରେ ନିଜର ଦକ୍ଷତା ଦେଖାଇଥିଲେ । 2016 ରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଓ ଝାରସୁଗୁଡା ଗସ୍ତ ସହ 2018 ଓ 2019 ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତବେଳେ ସୁରକ୍ଷାକୁ ନେଇ ମଧ୍ୟ ଭଲ କାମ କରିଥିଲେ । 2019 ସାଧାରଣ ନିର୍ବାଚନରେ ମଧ୍ୟ ଗୋପାଳ ଭଲ କରିଥିଲେ । ଏହାସହ 2020 ରେ ପଡି ରହିଥିବା ମାମଲାର ସମାଧାନ ନେଇ ମଧ୍ୟ ଭଲ କାମ କରିଥିଲେ । ଗୋପାଳର ଏହି ସବୁ କାର୍ଯ୍ୟ ଓ ଦକ୍ଷତା ପାଇଁ ପୁରସ୍କୃତ ହେବା ସହ ସମ୍ମାନିତ କରାଯାଇଥିଲା । ମନ୍ତ୍ରୀ ଆହୁରି କହିଛନ୍ତି ଗୋପାଳ ଦାସ ଗତ 10 ବର୍ଷ ମଧ୍ୟରେ 299 ଟି ମାମଲାର ତଦନ୍ତକାରୀ ଅଧିକାରୀ( ଆଇଓ) ଭାବେ କାର୍ଯ୍ୟ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.