ETV Bharat / state

Budget Session: ଆଜିଠୁ ବିଧାନସଭା ବଜେଟ ଅଧିବେଶନ, ସରଗରମ ରହିବ ଗୃହ

author img

By

Published : Feb 21, 2023, 9:03 AM IST

Updated : Feb 21, 2023, 9:09 AM IST

Budget Session
Budget Session

ଆଜିଠୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ଚାଲିବ ଅଧିବେଶନ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଜିଠୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ । ଏହା ଷୋଡଶ ବିଧାସଭାର ଦ୍ବାଦଶ ଅଧିବେଶନ । ଦୁଇଟି ପର୍ଯ୍ୟାୟରେ ଅଧିବେଶନ ଚାଲିବ । ଆଜିଠୁ ମାର୍ଚ୍ଚ 1 ତାରିଖ ପ୍ରଥମ ପର୍ଯ୍ୟାୟ ଓ ମାର୍ଚ୍ଚ 10ରୁ ଏପ୍ରିଲ 6 ତାରିଖ ଯାଏ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ । ଆସନ୍ତା 24 ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ 2023-24 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ । ହାତରେ ମାଳମାଳ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ଅଛନ୍ତି । ସେପଟେ ପ୍ରତି ଆକ୍ରମଣ ପାଇଁ ମଧ୍ୟ ସରକାର ତୟାର ଅଛନ୍ତି ।

ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ । ପୂର୍ବାହ୍ନ 11ଟାରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଅଭିଭାଷଣ ରଖିବେ । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଂଗତ ମନ୍ତ୍ରୀ ନବ କିଶୋର ଦାସଙ୍କ ସମେତ ଦିବଂଗତ ବିଧାୟକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିବେ । ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଦେବା ପରେ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଆଲୋଚନା ପ୍ରସ୍ତାବ ଆଗତ କରିବେ । 24 ତାରିଖରେ ବଜେଟ ଆଗତ ହେବ । 2023-24 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । 27, 28 ଓ ମାର୍ଚ୍ଚ 1ରେ ବଜେଟ ଉପରେ ସାଧାରଣ ଆଲୋଚନା ହେବ । ରାଜ୍ୟବାସୀ ବଜେଟର ବିଭିନ୍ନ ଦିଗ ଓ ପାଣ୍ଠି ବରାଦ ସମ୍ପର୍କରେ ଜାଣିବା ପାଇଁ ଚାହିଁ ରହିଛନ୍ତି । ଆଗାମୀ ବର୍ଷ ନିର୍ବାଚନ ଥିବା କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା ହେବା ନେଇ ଅନୁମାନ କରାଯାଉଛି । ଏହି ଅଧିବେଶନରେ 27ଟି କାର୍ଯ୍ୟ ଦିବସ ରହିଛି ।

ଏହା ବି ପଢନ୍ତୁ...ବିଧାନସଭା ବଜେଟ ଅଧିବେଶନ, ୬ଶହ ୯୦ କୋଟିର ବଜେଟ ଉପସ୍ଥାପନ କଲା BMC

ଆରମ୍ଭରୁ ଗୃହ କମ୍ପିବା ଆକଳନ କରାଯାଉଛି । ବିଶେଷକରି ସ୍ବାସ୍ଥମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ବିରୋଧୀ ପ୍ରମୁଖ ଅସ୍ତ୍ର କରିବେ । ଗୋବିନ୍ଦ ସାହୁ ଆତ୍ମହତ୍ୟା, ଚାଉଳ କାଟ, ଧାନ ମଣ୍ଡି ଅବ୍ୟବସ୍ଥା ଆଦି ପ୍ରସଙ୍କରେ ଗର୍ଜିବେ ବିରୋଧୀ । ବିରୋଧୀ ଆକ୍ରମଣ କଲେ ଶାସକ ଦଳ ପ୍ରତି ଆକ୍ରମଣ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଶାସକ ଦଳ ପାଖରେ ସ୍ବତନ୍ତ୍ର ପାହ୍ୟା ଓ ବିରୋଧୀ ଦଳ ନେତା ଜୟ ନାରାୟଣ ଓ ଚାଉଳ ପ୍ରସଙ୍ଗ ରହିଛି । ବିଧାନସଭା ଅଧିବେଶନ ମହୋଲ ଉଷ୍ମ ହେବ ବୋଲି ଅନୁମାନ କରାଯାଉଛି । ବିଶେଷକରି ନବ ଦାସ ହତ୍ୟା ମାମଲାକୁ ଏକ ବଡ ପ୍ରସଙ୍ଗ କରି ହାତରେ ରଖିଛନ୍ତି ବିରୋଧୀ । ରାଜ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ମଧ୍ୟ ଗୃହ କମ୍ପିପାରେ । ଉଭୟ ବିଜେପି ଓ କଂଗ୍ରେସ ଏ ପ୍ରସଙ୍ଗକୁ ବଡ ଅସ୍ତ୍ର କରି ସରକାରଙ୍କୁ ଘେରିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Feb 21, 2023, 9:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.