ETV Bharat / state

ବିଧାନସଭା ବଜେଟ ଅଧିବେଶନ, ୬ଶହ ୯୦ କୋଟିର ବଜେଟ ଉପସ୍ଥାପନ କଲା BMC

author img

By

Published : Feb 20, 2023, 10:05 PM IST

ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ଆଜି BMCର ବଜେଟ ଉପସ୍ଥାପନ ହୋଇଛି । ବିଏମ୍‌ସି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକରେ କର୍ପୋରେସନ ବୈଠକ ହୋଇଥିବା ଚଳିତ ବର୍ଷର ଚିଠା ବଜେଟ୍‌ ମଞ୍ଜୁରୀ ପାଇଛି । ଅଧିକ ପଢ଼ନ୍ତୁ

ବଜେଟ ଉପସ୍ଥାପନ କଲା ବିଏମସି
ବଜେଟ ଉପସ୍ଥାପନ କଲା ବିଏମସି

ବଜେଟ ଉପସ୍ଥାପନ କଲା ବିଏମସି

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଆଜି BMCର ବଜେଟ ଉପସ୍ଥାପନ ହୋଇଛି । ନୂତନ ବିଲ୍ଡିଂ BMC-ICOMC କୋଠାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି । ବିଏମ୍‌ସି ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକରେ କର୍ପୋରେସନ ବୈଠକ ହୋଇଥିବା ଚଳିତ ବର୍ଷର ଚିଠା ବଜେଟ୍‌ ମଞ୍ଜୁରୀ ପାଇଛି ।

୨୦୨୩- ୨୪ ଆର୍ଥିକ ବର୍ଷ ପାଇଁ ୬ ଶହ ୯୦ କୋଟି ୨ଲକ୍ଷର ବଜେଟ ଉପସ୍ଥାପନ କରିଛି ବିଏମ୍‌ସି । ବିଏମ୍‌ସିର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ପ୍ରୀତିନନ୍ଦା ରାଉତରାୟ ଏହି ବଜେଟକୁ ଉପସ୍ଥାପନ କରିଛନ୍ତି । ଚଳିତ ବର୍ଷ ଆୟ ୭ ଶହ ୮ କୋଟି ୫୪ ଲକ୍ଷ ହୋଇଥିବାବେଳେ ଏହା ଏକ ସମତୁଲ ଓ ବଳକା ବଜେଟ ବୋଲି କହିଛନ୍ତି ମେୟର । ଚଳିତ ବଜେଟରେ ନୂଆ ଭାବେ ଭୁବନେଶ୍ବର ମହାନଗର ନିଗମ ସହ ଯୋଡି ହୋଇଥିବା ଅନୁନ୍ନତ ପଞ୍ଚାୟତର ଭିତ୍ତିଭୂମି, ମୌଳିକ ସୁବିଧା ଯେପରିକି ରାସ୍ତାଘାଟ, ଡ୍ରେନ ଓ ଆଲୋକୀକରଣ ସଂଯୋଗ ଭଳି ସୁବିଧା ଗୁଡ଼ିକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ଭୁବନେଶ୍ବର ମେୟର । ଏହାସହ ମହାନଗର ନିଗମରେ ଥିବା ବଡ ବଡ ମାର୍କେଟ ଗୁଡିକର କଳେବର ସହ ଭେଣ୍ଡିଂ ଜୋନ କରାଯିବ ବୋଲି ଏଥିରେ ରହିଛି । ଏଥର ବିଶେଷ ଭାବେ ସ୍ବଚ୍ଛତାକୁ ଅଧିକ ଗୁରୁତ୍ବ ଦିଆଯାଇଥିବା ବେଳେ ବାୟୋମାଇନିଂ ପ୍ଲାଣ୍ଟ କାମ ଆରମ୍ଭ ହୋଇଯାଇଛି । ତେଣୁ ବାୟୋମାଇନିଂ କାର୍ଯ୍ୟ କିଭଳି ଶୀଘ୍ର ଶେଷ ହେବ ତାହା ଉପରେ ଗୁରୁତ୍ବ ଦିଆଯାଇଛି ।

ସର୍ବୋପରି ସହରର ସୌନ୍ଦର୍ଯ୍ୟକରଣ କାମ ଯାହା ହକି ବିଶ୍ବକପରୁ ଆରମ୍ଭ ହୋଇଛି ସେହି କାର୍ଯ୍ୟଗୁଡିକ କିଭଳି ଆଗକୁ ତ୍ବରାନ୍ବିତ ହୋଇ ସହର ସୁନ୍ଦର ଦେଖାଯିବ ସେଥିପାଇଁ ଏହି ବଜେଟରେ ଗୁରୁତ୍ବ ଦିଆଯାଇଛି ବୋଲି ବିଏମ୍‌ସି ମେୟର ସୁଲୋଚନ ଦାସ କହିଛନ୍ତି । ଏହାସହ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା ପ୍ରୀତିନନ୍ଦା ରାଉତରାୟ କହିଛନ୍ତି, "ଏହା ଏକ ସନ୍ତୁଳନ ବଜେଟ । ଏହା ସମସ୍ତଙ୍କୁ ସୁହାଇବ । ଆମେ ଆଶା ରଖିବୁ ଆବଶ୍ୟକତା ମୁତାବକ ମହାନଗର ନିଗମର ସୁବିଧାରେ ଏହି ଅର୍ଥ ଲାଗିପାରିବ ଓ ସହରର ବିକାଶ ହୋଇପାରିବ । ଆଗକୁ ଯଦି କିଛି ଅଭଯୋଗ ବା କିଛି ପ୍ରସ୍ତାବ ଆସିବ ବଜେଟକୁ ନେଇ, ତାହା ଉପରେ ମଧ୍ୟ ଆଲୋଚନା ମାଧ୍ୟମରେ ଆମେ ନିଷ୍ପତି ନେବୁ ।"

ଅନ୍ୟପଟେ ଏହି ବଜେଟ ଉପସ୍ଥାପନ ବେଳେ ଦେଖିବାକୁ ମିଳିଥିଲା ହଟ୍ଟଗୋଳ । ବୈଠକରେ ନିର୍ଦ୍ଦିଷ୍ଟ କିଛି କର୍ପୋରେଟରଙ୍କ ହଟ୍ଟଗୋଳ ଗୃହ ହୁଲୁସ୍ତୁଲ କରିଥିଲା । ହଟ୍ଟଗୋଳ ସମୟରେ ଅଶାଳୀନ ଭାଷା ପ୍ରୟୋଗ ସହ କର୍ପୋରେଟରଙ୍କୁ ଆକ୍ରମଣ ସହ ପାଟି ବନ୍ଦ କରି ବସିବା ପାଇଁ ଧମକ ଦିଆଯାଇଥିବା ଅଭଯୋଗ ହୋଇଛି । ଏହା ପୁଣି ବିଜେଡି ଦଳର କର୍ପୋରେଟର ସେହି ଦଳର କର୍ପୋରେଟରଙ୍କ ଉପରେ ଆଣିଛନ୍ତି । ତେବେ ପ୍ରାବଧାନ ଅନୁଯାୟୀ ଏହି ଚିଠା ବଜେଟ୍‌ରେ ଥିବା ଦୋଷ ଦୁର୍ବଳତା ଖୋଜି କର୍ପୋରେଟରମାନେ ଉପସ୍ଥାପନ କରଥାନ୍ତି ଆଉ ଆଲୋଚନା ମାଧ୍ୟମରେ ବଜେଟ ଉପସ୍ଥାପନ ହୁଏ । ଏଥିରେ ଜରୁରୀ ସଂଶୋଧନ ହେବା ପରେ ଚୂଡ଼ାନ୍ତ ବଜେଟ୍‌ ପ୍ରକାଶ ପାଇଥାଏ । ହେଲେ ଏହି ବଜେଟର ସେଭଳି କୌଣସି ଆଲୋଚନା ଓ ପ୍ରଶ୍ନ ଉତ୍ତର କରାନଯାଇ ବଜେଟ ପାରିତ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କେତେକ ବିରୋଧି କର୍ପୋରେଟରଙ୍କ ସମେତ ଶାସକ କର୍ପୋରେଟର ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

୨୦୨୦ ମସିହାରୁ ବିଏମ୍‌ସିର ବଜେଟ୍‌ ସର୍ବସାଧାରଣ କରାଯାଉନାହିଁ । ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ରହିଛି । ତେଣୁ ଏଥର ନିର୍ବାଚନ ସହ ଲୋକପ୍ରତିନିଧିଙ୍କ ଉପସ୍ଥିତିରେ ଏହି ବଜେଟ ଉପସ୍ଥାପନା କରାଯାଉଥିବା ବେଳେ ଆଲୋଚନା ମାଧ୍ୟମରେ ବା ସମସ୍ତଙ୍କ ଅବଗତିରେ ପାରିତ ହେବା କଥା । କିନ୍ତୁ ତାହା ହୋଇନଥିଲା । ତେଣୁ କଣ ଆୟ ହେଉଛି, କଣ ଖର୍ଚ୍ଚ ହେବାକୁ ରହିଛି, ଏସବୁ ସର୍ବସାଧାରଣ ହେବା ଜରୁରୀ ବୋଲି ମତବ୍ୟକ୍ତ କରି ପ୍ରଥମରୁ କିଛି କର୍ପୋରେଟର ପ୍ରଶ୍ନ ଉଠାଇଥିବା ବେଳେ ବାହୁବଳୀ କର୍ପୋରେଟରମାନେ ସେମାନଙ୍କୁ ଚୁପ କରାଇଦେଇଥିବା ଅଭିଯୋଗ ହୋଇଛି । ଏନେଇ ବିଜେପି କର୍ପୋରେଟର ମାନେ ଗୃହ ତ୍ୟାଗ କରିଥିବା ବେଳେ ଅନେକ କର୍ପୋରେଟର ସେଠାରେ ଉପସ୍ଥିତ ରହି ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ, ୩ ବର୍ଷ ହେଲା କାହିଁକି ଏହାକୁ ଲୁଚାଇ ରଖାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଅନେକ କର୍ପୋରେଟର ।

ସେପଟେ କେଉଁଠି କେତେ ବ୍ୟାବସାୟିକ ପ୍ରତିଷ୍ଠାନ ଖୋଲିଛି, କାହାକୁ କେତେ ଭେଣ୍ଡିଂ ଜୋନ ଦିଆଯାଇଛି, ସେନେଇ ବିଏମ୍‌ସି ପାଖରେ ହିସାବ ରହୁନଥିବାରୁ ହୋଲ୍ଡିଂ ଟାକ୍ସ ଆଦାୟ ହୋଇ ପାରୁନାହିଁ । ଏହି ଆଧାରରେ କେତେ ଆଦାୟ ହେଲା, ଲୋକଙ୍କ ଅଭଯୋଗ ମୁତାବିକ କାହିଁକି କାମ ହେଉନି, ସେ ବାବଦରେ ବରୋଧି ପ୍ରଶ୍ନ ଉଠାଇଥିବାବେଳେ ତାଙ୍କର ଅଭଯୋଗ ଶୁଣାଯାଇନଥିବା ଅଭିଯୋଗ ହୋଇଛି । ନିକଟରେ ଏହି ବିଏମ୍‌ସି-ଆଇସିଓଏମ୍‌ସି କୋଠାରେ ବିଏମ୍‌ସି କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ । ଏଥିରେ ସମସ୍ତ କର୍ପୋରେଟର୍‌ଙ୍କ ସହ ୩ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ କଣ ପାଇଁ ଡକା ଯାଇନଥିଲା ବୋଲି ମଧ୍ୟ ବିରୋଧି ପ୍ରଶ୍ନ କରିଥିଲେ । ମେୟରଙ୍କ ଉପସ୍ଥିତିରେ ବରୋଧିଙ୍କୁ କହିବାକୁ ସୁଯୋଗ ଦେଇନଥିଲେ ବାହୁବଳୀ କର୍ପୋରେଟର । କିନ୍ତୁ କିଛି ନ କହି ଚୁପ ରହିଥିଲେ ମେୟର । ଏହାକୁ ନେଇ ଗୃହତ୍ୟାଗ କରିଥିଲେ ବିଜେପି କର୍ପୋରେଟର । ବିଏମ୍‌ସି ଅଫିସ ସମ୍ମୁଖରେ ଧାରଣାରେ ବସିବା ସହ କମିଶନର ଆସି ଆଲୋଚନ ନକଲେ ଓ ଆମ ଅଭିଯୋଗର ସମାଧାନ ନହେଲେ ଧାରଣାରୁ ହଟିବୁ ନାହିଁ ବୋଲି କହିଛନ୍ତି କର୍ପୋରେଟର ।

ଅନ୍ୟପଟେ ଏମାନଙ୍କ ଧାରଣାକୁ ନେଇ ବିଏମ୍‌ସି ମେୟର କହିଛନ୍ତି, "ଗଣାମାଧ୍ୟମରେ ଦୃଷ୍ଟି ଆକର୍ଷଣ ପାଇଁ ବିଜେପି କର୍ପୋରେଟର ଏଭଳି କରୁଛନ୍ତି । ଗୃହରେ ଦଳଗତ ବୈଷମତା ନାହିଁ । ସମସ୍ତେ ସମାନ । ସମସ୍ତଙ୍କ କଥା ଶୁଣାଯାଉଛି । ବଜେଟ ବେଳେ ସେମାନେ ଉପସ୍ଥିତ ଥିଲେ ଭିଡିଓ ରେକର୍ଡ ରହିଛି । ସେମାନେ ଅନୁପସ୍ଥିତ କଥା ମିଥ୍ୟା ଅଟେ । ଏଠି କୌଣସି ପକ୍ଷପାତିତା ହୋଇନାହିଁ । ସେମାନଙ୍କର ସହଯୋଗ ଲୋଡୁଛି । କିନ୍ତୁ ସେମାନେ ସହଯୋଗ ନକରି ବଜେଟ ବାହାରର ପ୍ରଶ୍ନ କରି ବାହାରି ଯାଉଛନ୍ତି । ସେହିପରି ବିଏମ୍‌ସି ବୈଠକରେ ଜଟଣୀ ବିଧାୟକ ସୁର ରାଉତରାୟ ୩ଟି ପ୍ରସ୍ତାବ ରଖିଛନ୍ତି । ପ୍ରସ୍ତାବ ଗୁଡିକ ହେଲା କଟକ-ଭୁବନେଶ୍ବର ମେଟ୍ରୋ ଟ୍ରେନ ଚଳାଚଳ କରିବା, ମହତାବଙ୍କ ସ୍ମୃତିରେ ୫ ହଜାର ଦର୍ଶକଙ୍କ ପାଇଁ ପ୍ରେକ୍ଷାଳୟ ପ୍ରତିଷ୍ଠା ଓ ଭୁବନେଶ୍ବର ଉପକଣ୍ଠ ଗାଙ୍ଗୁଆ ନାଳର ପୁନଃରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ । ଏହା ହେଲେ ମଶା ବଂଶ ଲୋପ ପାଇବ ଓ ରାଜଧାନୀବାସୀ ଆଶ୍ବସ୍ତି ପାଇବେ ବୋଲି ସୁର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.