ETV Bharat / state

ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଆଣିଲା ହତ୍ୟା ଅଭିଯୋଗ

author img

By ETV Bharat Odisha Team

Published : Oct 10, 2023, 8:34 PM IST

Updated : Oct 10, 2023, 9:26 PM IST

Drug prevention center
Drug prevention center

ଧଉଳି ଥାନା ଅଞ୍ଚଳର ସ୍ବୀକାର ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ପରିବାର ଆଣିଲା ହତ୍ୟା ଅଭିଯୋଗ । ଅଧିକ ପଢ଼ନ୍ତୁ

ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଆଣିଲା ହତ୍ୟା ଅଭିଯୋଗ

ଭୁବନେଶ୍ବର: ସୀମା ଲଙ୍ଘୁଛି କି ନିଶା ନିବାରଣ କେନ୍ଦ୍ର ? ନିଶା ଛଡାଇବା ଆଳରେ ଦେଉଛନ୍ତି କି ଅତ୍ୟାଚାର ? ନିଶାଡିଙ୍କ ପାଇଁ ଅଭ୍ୟାସ ଛାଡ଼ିବା ପଡୁଛି କି ମହଙ୍ଗା ? ରାଜଧାନୀରେ ପୁଣି ଏକ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ନିଶା ଛଡାଇବା ପାଇଁ ୩ ମାସ ତଳେ ଭର୍ତ୍ତି ହୋଇଥିବା ଅନ୍ତେବାସୀଙ୍କ ମିଳିଛି ମୃତଦେହ । ଧଉଳି ଥାନା ଅଞ୍ଚଳର ସ୍ବୀକାର ନିଶା ନିବାରଣ କେନ୍ଦ୍ରରେ ଘଟିଛି ଘଟଣା । ଏହି କେନ୍ଦ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ମୃତକଙ୍କ ପତ୍ନୀ ଦାବି କରିଛନ୍ତି ।

ସ୍ବୀକାର ନିଶା ନିବାରଣ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଅନ୍ତେବାସୀ ଛବି ନାୟକଙ୍କ ମୃତଦେହକୁ ଜବତ କରିଛି ପୋଲିସ । ଏନେଇ ପରିବାର ଲୋକଙ୍କ ହତ୍ୟା ଅଭିଯୋଗ ପରେ ପୁଣି ଉଠିଛି ନିଶା ନିବାରଣ କେନ୍ଦ୍ରକୁ ନେଇ ପ୍ରଶ୍ନ । ସ୍ବାମୀଙ୍କ ମୃତ୍ୟୁ ପରେ ହସ୍ପିଟାଲର ପୋଷ୍ଟମର୍ଟମ ଓ୍ବାର୍ଡ୍‌ରେ ପତ୍ନୀଙ୍କ ମୁଣ୍ଡଫଟା କାନ୍ଦ ଦେଖିବାକୁ ମିଳିଥିଲା । ଦୁଇ ଦୁଇ ଛୁଆଙ୍କୁ ନେଇ ଚଳାଉଥିବା ଘର ଏବେ ଅନାଥ । ଏନେଇ ସ୍ବାମୀ ବିଏମସିରେ ସଫେଇ କର୍ମଚାରୀ ଥିବା ବେଳେ ସ୍ବାମୀ ନିଶାଗ୍ରସ୍ତ ଯୋଗୁଁ ଛଡ଼ାଇବା ପାଇଁ ୩ ମାସ ତଳେ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ।

ଏହା ବି ପଢନ୍ତୁ- ନିଶା ନିବାରଣ କେନ୍ଦ୍ରର ଫିଟିଲା ଗୁମର, ହତ୍ୟା କରି କହିଥିଲେ ଛାତରୁ ଖସି ଘଟିଥିଲା ମୃତ୍ୟୁ

ହେଲେ ୨୦ ହଜାର‌ ଟଙ୍କା ଦେଇ ଭର୍ତ୍ତି କରିଥିବା ସ୍ବାମୀଙ୍କର ନିଶା ଛଡ଼ାଇବାକୁ ଚାହିଁଥିଲେ । ହେଲେ ନିଶା ଛଡେଇବା ବଦଳରେ ଏବେ ଜୀବନ ଛଡେଇଦେଲେ । ଯାହାକୁ ନେଇ ବାସନ ମାଜି ପରିବାର‌ ପ୍ରତିପୋଷଣ କରୁଥିବା ଝୁନୁ ଏବେ କଣ କରିବେ ଚିନ୍ତାରେ ପଡ଼ିଯାଇଛନ୍ତି । ଏଣୁ ନିଶା ନିବାରଣ କେନ୍ଦ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ସେ ଦାବି କରିଛନ୍ତି । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜୋନ ୨ଏସିପି ଗିରିଜା ଚକ୍ରବର୍ତ୍ତୀ । ସେ କହିଛନ୍ତି, "ଶିଶୁ ଭବନ ଝରଣା ସାହିର ବିଏମସି ସଫେଇ କର୍ମଚାରୀ ଛବି ନାୟକଙ୍କ ମୃତଦେହ ଜବତ ହୋଇଛି । ତାଙ୍କର ପୋଷ୍ଟମର୍ଟମ କରାଯାଉଛି । ଅଭିଯୋଗ ଆଧାରରେ ତଦନ୍ତ‌ ହେଉଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଯାଞ୍ଚ କରୁଛନ୍ତି । ସିସିଟିଭି ମଧ୍ୟ ହସ୍ତଗତ ହୋଇଛି । ଏନେଇ ରିପୋର୍ଟ ଆସିଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।"

ତେବେ ନିଶା ନିବାରଣ କେନ୍ଦ୍ରରେ ସନ୍ଦେହଜନକ ମୃତ୍ୟୁ ଘଟଣା ନୂଆ ନୁହେଁ । ପୂର୍ବରୁ ମଧ୍ୟ ଅନେକ ନିଶା ନିବାରଣ କେନ୍ଦ୍ରରେ ଅତ୍ୟଧିକ ନିର୍ଯାତନାର ଘଟଣା ଯୋଗୁଁ ହତ୍ୟା ହେଉଥିବା ନଜିର ରହିଛି । ଏପରିକି ଅକଥନୀୟ ନିର୍ଯାତନା ଦେବା ସମୟର ଭିଡିଓ ଅତୀତରେ ଆସିଛି । ତେବେ ବାରମ୍ବାର ଅଭିଯୋଗ ଆସିବା ପରେ କାହିଁକି ଏହା ଉପରେ ପୋଲିସର ରହୁନି ଅଙ୍କୁଶ । ଏକାଧିକ ନିଶା ନିବାରଣ କେନ୍ଦ୍ରରେ ଅପରାଧିକ ପୃଷ୍ଠଭୂମି ଥିବା ନିଶାଡ଼ି ଓ ନିଶା ନିବାରଣ କେନ୍ଦ୍ରର ନିୟମ ମାନିବା ଘଟଣା ନେଇ ଅନେକ ପ୍ରଶ୍ନ‌ ଉଙ୍କି ମାରିଛି ।

ନଜର ପାଆନ୍ତୁ ଅତୀତର ଘଟଣାବଳୀ ଉପରେ...

୪ ଜୁଲାଇ 2023ରେ ଇନଫୋସିଟି ଥାନା ନନ୍ଦନବିହାରରେ ଥିବା କୋଶିଷ ନିଶା ନିବାରଣ କେନ୍ଦ୍ରରେ କେନ୍ଦ୍ରାପଡ଼ା ରାଜକନିକାର ସୌମ୍ୟ ରଞ୍ଜନ ସାହୁଙ୍କ ମୃତ୍ୟୁ ହୋଇଥିଲା । ୧୦ ମେ ୨୦୨୩ରେ ଭରତପୁର ଥାନା ଜିଏ ପ୍ଲଟ୍‌ରେ ଥିବା ଉମିଦ ଫାଉଣ୍ଡେସନ ନିଶା ନିବାରଣ କେନ୍ଦ୍ରର ୫୦ ବର୍ଷୀୟ ଅରୁଣ କୁମାର‌ ବେହେରାଙ୍କର ମୃତ୍ୟୁ ହୋଇଥିଲା । ୦୨ ନଭେମ୍ବର‌ ୨୨ରେ ଖଣ୍ଡଗିରି କୋଳଥିଆ ହାଉସିଂ ବୋର୍ଡ ଏମ.ଆଇ.ଜି ୮୨ରେ ଥିବା ନିଷ୍ଠା ନିଶା ନିବାରଣ କେନ୍ଦ୍ରର ଅନ୍ତେବାସୀ ରାଜୀବ ଶ୍ରୀଚନ୍ଦନ ମୃତ୍ୟୁ ହୋଇଥିଲା । ୧୭ସେପ୍ଟେମ୍ବର ୨୨ରେ ଇନଫୋଭ୍ୟାଲି ଥାନା‌ ଲକ୍ଷ୍ୟ ଫାଉଣ୍ଡେସନରେ ଏକ ଅକଥନୀୟ ନିର୍ଯାତନାର‌‌ ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ତଦନ୍ତ କରିଥିଲା ପୋଲିସ । ସେହିପରି ଫେବୃଆରୀ ୧ରେ ମଞ୍ଚେଶ୍ବର ଭୋଟପଡା ସାଇକୃପାର ନିଶା ନିବାରଣ କେନ୍ଦ୍ର ୩ ଜଣଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ସର୍ବେଶ୍ଵର ବେହେରା ନାମକ ବ୍ୟକ୍ତିଙ୍କୁ ୨୭ ଡିସେମ୍ବର ୨୨ରେ ପିଟି ପିଟି ମାରି ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Oct 10, 2023, 9:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.