ETV Bharat / state

ନବୀନ ସରକାରରେ ଅବକ୍ଷୟ ହୋଇଛି ଗଣତନ୍ତ୍ର: ପ୍ରଦୀପ

author img

By ETV Bharat Odisha Team

Published : Sep 29, 2023, 7:04 AM IST

Updated : Sep 29, 2023, 12:33 PM IST

ନବୀନ ସରକାରକୁ ପ୍ରଦୀପଙ୍କ ଟାର୍ଗେଟ
ନବୀନ ସରକାରକୁ ପ୍ରଦୀପଙ୍କ ଟାର୍ଗେଟ

ପ୍ରଶ୍ନକାଳରେ ପ୍ରଶ୍ନ ପଚାରିବାକୁ ସୁଯୋଗ ନମିଳିବାରୁ ତାତିଲେ ଗୋପାଳପୁର ବିଧାୟକ । କହିଲେ ନବୀନ ସରକାରରେ ଗଣତନ୍ତ୍ର ଅବକ୍ଷୟ ହୋଇଛି । ଅକ୍ଷମ ପ୍ରଶାସକ, ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ସରକାର ଚଳାଉଛନ୍ତି । ଅଧିକ ପଢ଼ନ୍ତୁ

ନବୀନ ସରକାରକୁ ପ୍ରଦୀପଙ୍କ ଟାର୍ଗେଟ

ଭୁବନେଶ୍ବର: କିଛି ଅକ୍ଷମ ପ୍ରଶାସକ ଓ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ସରକାର ଚଳାଉଛନ୍ତି । ତେଣୁ ନବୀନ ସରକାର ସମୟରେ ଅବକ୍ଷୟ ହେବାରେ ଲାଗିଛି ଗଣତନ୍ତ୍ର । ବିଧାୟକଙ୍କୁ ବାଦ୍ ଦେଇ ତାଙ୍କ ଅଞ୍ଚଳରେ ସରକାରୀ କାର୍ଯ୍ୟକ୍ରମ ହେଉଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପ କହିଛନ୍ତି ଯେ, ଯୋଜନା ଏବଂ ସଂଯୋଜନା ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଚାଲିଥିଲା । ପ୍ରଶ୍ନ ପଚାରିବା ଲାଗି ମୋତେ ସମୟ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲି । ବାଚସ୍ପତିଙ୍କ ହାବଭାବରୁ ଯାହା ଜଣାପଡ଼ୁଥିଲା ସେ ଜାଣିଶୁଣି ସମୟ ନଦେଇ ପ୍ରଶ୍ନ ଉତ୍ତରକୁ ମୋତେ ବାଦ ଦେଲେ ।

ଗୋପାଳପୁର ନିର୍ବାଚନ ମଣ୍ଡଳୀରେ 2020/21, 2021/22, 2022/23ର ଯେତେ MLA ଲ୍ୟାଡ୍‌ ଫଣ୍ଡ୍‌, ସ୍ପେଶାଲ୍‌ ପ୍ରୋବ୍ଲେମ ଫଣ୍ଡ, ସ୍ପେଶାଲ ଡେଭଲପମେଣ୍ଟ ଫଣ୍ଡ୍‌ ରହିଛି, ସେହି 3ଟି ଫଣ୍ଡକୁ ନ ବ୍ୟବହାର କରିବା, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ କିଏ ଦେବା, ଜିଲ୍ଲାପାଳ ତାହାକୁ କାର୍ଯ୍ୟକାରୀ କରିବା ନେଇ ପ୍ରଶ୍ନ ପଚାରିବାର ଥିଲା । କିନ୍ତୁ ଏହା ସମ୍ଭବ ହେଲାନାହିଁ । ଦ୍ଵିତୀୟ କଥା ଜିଲ୍ଲା ପରିଷଦ ବୈଠକ ତଥା ବ୍ଲକ ବୈଠକ, ମହାନଗର ବୈଠକରେ ସାମିଲ ହେବାକୁ ବିଧାୟକଙ୍କୁ ନୋଟିସ ଦେବା କଥା । କିନ୍ତୁ ସେମିତି ହେଉନାହିଁ । ପ୍ରଦୀପ କହିଛନ୍ତି, "ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ ଡିଜି, ଜିଲ୍ଲାପାଳଙ୍କୁ ଯେତେ ଚିଠି ଲେଖାଯାଉଛି ତାହାର ଉତ୍ତର ମିଳୁନାହିଁ । ଏହା ବୁକ ସରକୁଲାର ନମ୍ବର 47କୁ ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରୁଛି । ନିଜ ନିର୍ବାଚନ ମଣ୍ଡଳୀରେ ଉଦଘାଟନ ଭଳି କାର୍ଯ୍ୟକ୍ରମରେ ବିଧାୟକଙ୍କୁ ଡକା ଯାଉନାହିଁ । ସରକାରଙ୍କ କେଉଁ ଅଧିକାର ବଳରେ ଆମ ଅଧିକାରକୁ କାଟି ପାରିବେ । ସରକାର ସଂଖ୍ୟା ଗରିଷ୍ଠ ହେଲେ ଅଟୋକ୍ରେସି କୁହନ୍ତି । ସେଥିପାଇଁ କହିଥିଲି, ଏହି ସରକାରରେ ଗଣତନ୍ତ୍ରର ଅବକ୍ଷୟ ହେଉଛି । କିଛି ଅକ୍ଷମ ପ୍ରଶାସକ, ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ସରକାର ଚଳାଉଛନ୍ତି ।"

ଏହାମଧ୍ୟ ପଢନ୍ତୁ: Assembly Session: ବାଚସ୍ପତିଙ୍କୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ, ମୋହନ-ମୁକେଶ ନିଲମ୍ବିତ

ସୂଚନା ଅନୁଯାୟୀ, ଗୃହରେ ପ୍ରଶ୍ନକାଳରେ ପ୍ରଶ୍ନ ପଚାରିବାକୁ ସୁଯୋଗ ନମିଳିବାରୁ ପ୍ରତିବାଦ କରିଥିଲେ ଗୋପାଳପୁର ବିଧାୟକ । ପ୍ରଥମେ ନିଜ ଆସନରେ ରହି ପ୍ରତିବାଦ ଜଣାଇଥିଲେ । ଏହାପରେ ପୋଡିୟମ ତଳେ ଯାଇ ଧାରଣାରେ ବସିଥିଲେ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସମର୍ଥନ ଜଣାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏହାପରେ ବାଚସ୍ପତି ପ୍ରଦୀପ ପାଣିଗ୍ରାହୀଙ୍କୁ ପ୍ରତିବାଦରୁ ଉଠି ଗୃହ କାର୍ଯ୍ୟ ସ୍ୱାଭାବିକ କରିବାରେ ସହଯୋଗ ପାଇଁ ଅନୁରୋଧ କରିଥିଲେ । ବାଚସ୍ପତିଙ୍କ ଅନୁରୋଧ ପରେ ଧାରଣାରୁ ଉଠି ନିଜ ଆସନକୁ ଯାଇଥିଲେ ବିଧାୟକ । ପ୍ରଶ୍ନ କାଳରେ ପ୍ରଶ୍ନ କରିବାକୁ ସୁଯୋଗ ମିଳିନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଗୋପାଳପୁର ବିଧାୟକ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 29, 2023, 12:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.