ETV Bharat / state

ଖଟିକୁ ବାରଣ କରିବାରୁ ବୋମା ମାଡ଼: ୪ ଯୁକ୍ତ ଦୁଇ ଛାତ୍ର ଗିରଫ

author img

By

Published : Dec 27, 2022, 8:17 AM IST

ବୋମା ମାଡ଼ କରି ୪ ଜଣ ଯୁକ୍ତ ୨ ଛାତ୍ର ଗିରଫ
ବୋମା ମାଡ଼ କରି ୪ ଜଣ ଯୁକ୍ତ ୨ ଛାତ୍ର ଗିରଫ

ରାଜଧାନୀରେ ଚିନ୍ତା ବଢ଼ାଉଛି ବୋମା ମାଡ଼ । ଦୋକାନ ସାମ୍ନାରେ ଖଟିକୁ ବାରଣ କରିବାରୁ ବୋମା ମାଡ଼ କଲେ । ୪ ଜଣ ଯୁକ୍ତ ୨ ଛାତ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

ବୋମା ମାଡ଼ କରି ୪ ଜଣ ଯୁକ୍ତ ୨ ଛାତ୍ର ଗିରଫ

ଭୁବନେଶ୍ବର: ଡିସିପି ଅଫିସଠାରୁ ୧୦୦ ମିଟର ଦୂରରେ ବୋମା ମାଡ । ସାମ୍ନାକୁ ଆସିଲା ବୋମା ମାଡ ଘଟଣାର‌ ସାଙ୍ଘାତିକ ସତ । ଦୋକାନ ସାମ୍ନାରେ ଖଟିକୁ ବାରଣ କରିବାରୁ ବୋମାମାଡ । ପାଠ ପଢ଼ିବା ବୟସରେ ଘଟାଉଛନ୍ତି ଅପରାଧ । ବୋମା ମାଡ କରିଥିବା ୪ ଜଣ ଯୁକ୍ତ ଦୁଇ ଛାତ୍ର ଗିରଫ । ଅଭିଯୁକ୍ତମାନେ ହେଲେ କାହ୍ନା ମଙ୍ଗରାଜ, ବିଶାଲ ଶ୍ରୀଚନ୍ଦନ, ମୀର ରିୟାଜୁଦ୍ଦିନ ଓ ରାହୁଲ ସାହୁ ।

ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଦଫା 307, 294, 336, 427, 34 IPC ସହ Explosive Substance Act 3, 4ରେ କୋର୍ଟ ଚାଲାଣ କରାଯାଇଛି । ଯେଉଁଥିରେ ଆଜୀବନ କାରାଦଣ୍ଡ ନଚେତ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ବିଧାନ ରହିଛି । ପାଠ ପଢ଼ିବା ବୟସରେ ଛାତ୍ରମାନେ ଏପରି କାଣ୍ଡ ଘଟାଇବା ପରେ ଏବେ ଏହା ଚିନ୍ତାଜନକ ହୋଇଛି । ତେବେ ଏଠାରେ ସବୁଠୁ ବଡ଼ ପ୍ରଶ୍ନ ଏମାନଙ୍କ ପାଖକୁ ବୋମା ଆସିଲା କେଉଁଠୁ ।

ତେବେ ଗତ ନଭେମ୍ବର ୨୩ ତାରିଖରେ ଲକ୍ଷ୍ମିସାଗର ଝାରପଡ଼ା ଅଞ୍ଚଳରେ ମଧ୍ୟ ମୁସଲିମ ବସ୍ତିରେ ତିନୋଟି ବୋମାମାଡ ହୋଇଥିଲା । ସେହି ଘଟଣାରେ ଦୁଇ ଜଣ ବାପ ପୁଅ ଗିରଫ ହୋଇଥିଲେ । ସେତେବେଳେ ମଧ୍ୟ ବୋମା କେଉଁଠୁ ଆସିଲା, ତାହା ପୋଲିସର ଚିନ୍ତା ବଢ଼ାଇଥିଲା । ସେହିପରି ୨୭ ସେପ୍ଟେମ୍ବରରେ ଲକ୍ଷ୍ମିସାଗର ଥାନା କଟକ ରୋଡ଼ରେ ଥିବା ଏକ ବାର ଆଗରେ ମଧ୍ୟ ସୁତୁଲି ବୋମାମାଡ କରିଥିଲେ କିଛି ଯୁବକ । ସେହି ଘଟଣାରେ ମଧ୍ୟ ଦୁଇ ମାସ ପରେ କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ । ତେବେ ଲଗାତର ଭାବେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଏପରି ଅନେକ ସୁତୁଲି ବୋମାର ଲିଙ୍କ୍‌ ଆସୁଥିବା ବେଳେ, ଏବେ ବଡ଼ ପ୍ରଶ୍ନ ଉଠିଛି ଲକ୍ଷ୍ମିସାଗର ଅଞ୍ଚଳରେ ହାତ ତିଆରି ବୋମା ତିଆରି ହେଉଛି, ନା କେହି ଏସବୁ ରଖି ଚୋରା କାରବାର କରୁଛନ୍ତି ।

ତେବେ ଏନେଇ ଜୋନ୍‌ ୫ ଏସିପି ସଞ୍ଜୀବ ଶତପଥି କହିଛନ୍ତି, "ସହିଦନଗର ବୋମାମାଡ ଘଟଣାରେ ଫୁଟାଯାଇଥିବା ବୋମା ନୁହେଁ, ବରଂ ବଡ଼ ସୁତୁଲି ବାଡିଆ ବାଣ । ଏନେଇ ନମୁନା ସଂଗ୍ରହ କରାଯାଇଛି ସେମାନେ କେଉଁଠୁ ଆଣିଥିଲେ ସେନେଇ ଯାଞ୍ଚ କରାଯାଉଛି । ସେମାନେ ସେହି ବାଣ ଆଣିଥିବା ଦୋକାନର ସୁରାକ ମିଳିଛି । ତେବେ ତାହା ଲାଇସେନ୍ସପ୍ରାପ୍ତ କି ନାହିଁ ତାର ଯାଞ୍ଚ ହେବ ।" ତେବେ କେବଳ ଏହି ନିର୍ଦ୍ଦିଷ୍ଟ ଘଟଣା ନୁହେଁ, ରାଜଧାନୀରେ ଏପରି ବୋମାମାଡ ଘଟଣାର ଅନେକ ନଜିର ରହିଛି ।

ଗତ ମେ ମାସ ୨୦ ତାରିଖରେ ଲକ୍ଷ୍ମିସାଗର ଥାନାର ବର୍ଗର ତଥା ସହିଦନଗର ଥାନା ଅଞ୍ଚଳରେ ଜଗନ୍ନାଥ ନଗର ଲେନ ୬ ରେ ମଧ୍ୟ ଏକ ବିଲ୍‌ଡିଂ ଉପରକୁ ବୋମାମାଡ ହୋଇଥିଲା । ସେହି ଘଟଣାର ଅଭିଯୋଗ ପରେ ପୁରା ଘଟଣା ପୋଲିସ ସାମ୍ନାକୁ ଆଣିଥିଲା । ଠିକ ସେହିପରି ଅଗଷ୍ଟ ୨୧ରେ Airfield ଥାନା ପଞ୍ଚୁପଲି ଅଞ୍ଚଳରେ ବୋମାମାଡ ହୋଇଥିଲା । ସେତେବେଳେ ମଧ୍ୟ ଅଭିଯୁକ୍ତକୁ ପିପିଲିରୁ ଗିରଫ ପରେ ଅଭିଯୁକ୍ତ ପାଖରୁ ନଗଦ ୧ ଲକ୍ଷ ୬୦ ହଜାର ଟଙ୍କା ସମେତ ସୁନା ଚେନ, ମାରଣାସ୍ତ୍ର ଓ ବୋମା ତିଆରି ସାମଗ୍ରୀ ଜବତ କରାଯାଇଥିଲା । ଜାନୁଆରୀ ୧୭ ବାଲିଅନ୍ତା ଥାନା ସରକଣାରେ ବୋମାମାଡ ହୋଇଥିଲା । ଜାଗାବାଡିକୁ ନେଇ ଗଣ୍ଡଗୋଳ ପାଇଁ ଘର ଛପର ଉଡ଼ାଇ ଦେଇଥିଲେ ଦୁର୍ବୁତ୍ତ । ତେବେ ଏସବୁ ବୋମା ଆସୁଛି କେଉଁଠୁ, ତାହା ଏବେ ବଡ଼ ପ୍ରଶ୍ନ । କେଉଁଠି ବେଆଇନ ବୋମା ତିଆରି କାରଖାନା ରହିଛି, ନା ଏହା ପଛରେ କିଛି ବାଣ ବ୍ୟବସାୟୀଙ୍କ ହାତ ରହିଛି ଏହାର ଖୁଲାସା ହେବା ଜରୁରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.