ETV Bharat / state

ଅମିତ ଶାହଙ୍କ କଥା ନ ମାନିଲେ ଭାଗ ଭାଗ ହେବେ ବିଜେଡି: ତାରା

author img

By

Published : Jul 4, 2023, 10:28 PM IST

ମହାରାଷ୍ଟ୍ର ଭଳି ଆଗାମୀ ଦିନରେ ଓଡ଼ିଶାରେ ଏଭଳି ପରିସ୍ଥିତି ସୃଷ୍ଟି ହେବ । ବିଜେପି ଓଡ଼ିଶାରେ ବିଜୁ ଜନତା ଦଳକୁ ଭାଗ ଭାଗ କରିପାରେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀ ପତି । ଅଧିକ ପଢନ୍ତୁ

Etv Bharat
Etv Bharat

ଅମିତ ଶାହଙ୍କ କଥା ନ ମାନିଲେ ଭାଗ ଭାଗ ହେବେ ବିଜେଡି

ଭୁବନେଶ୍ବର: ମହାରାଷ୍ଟ୍ରରେ ମହାରାଜନୀତି ଜାରି ରହିଛି । ଆଗାମୀ ଦିନରେ ଓଡ଼ିଶାରେ ଏଭଳି ପରିସ୍ଥିତି ମଧ୍ୟ ହୋଇପାରେ । ବିଜେପି ଓଡ଼ିଶାରେ ବିଜୁ ଜନତା ଦଳକୁ ଭାଗ ଭାଗ କରିପାରେ । ଏଭଳି କିଛି ପୂର୍ବାନୁମାନ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ସେପଟେ ତାରାଙ୍କ ମନ୍ତବ୍ୟକୁ ତାଙ୍କ ନିଜସ୍ଵ ମତ ବୋଲି କହିଛି ବିଜେଡି ।

ଆସନ୍ତାବର୍ଷ ସାଧାରଣ ନିର୍ବାଚନ ରହିଛି । ନିର୍ବାଚନକୁ ଅଳ୍ପ କିଛି ଦିନ ଥିବାରୁ ଦେଶର ରାଜନୀତି ପ୍ରତୀକ୍ଷଣରେ କଡ଼ ଲେଉଟାଉଛି । ମହାରାଷ୍ଟ୍ରରେ ଗତ 2 ଦିନ ହେଲା ଟଣାଓଟରା ରାଜନୀତି ଜାରି ରହିଛି । ସେପଟେ ବିହାରରେ ପୁନର୍ବାର ରାଜନୈତିକ ପରିବେଶ ପଟ୍ଟ ପରିବର୍ତ୍ତନ କରିବା ଆରମ୍ଭ ହୋଇଛି । କୌଣସି ମୁହୂର୍ତ୍ତରେ କଣ ରାଜନୀତି ପାଣିପାଗ ବଦଳିବ ଆକଳନ କରିବା ଅସମ୍ଭବ । ମହାରାଷ୍ଟ୍ର ଓ ବିହାରର ସ୍ଥିତିକୁ ଓଡିଶା ରାଜନୀତିକୁ ଆକଳନ କଲେଣି ବିରୋଧୀ । ଓଡିଶାରେ ମଧ୍ୟ ମହାରାଷ୍ଟ୍ର ଏପିସୋଡ଼ର ପୁନରାବୃତ୍ତି ହୋଇପାରେ ବୋଲି ଆକଳନ କରିଛନ୍ତି କଂଗ୍ରେସ ବିଧାୟକ ।

ଏହା ବି ପଢନ୍ତୁ- ମହାରାଷ୍ଟ୍ରରେ ଦାଦା-ପୁତୁରା ଲଢେଇ: ଅଜିତଙ୍କ କ୍ୟାମ୍ପରୁ ଏନସିପି ଫେରିଲେ ବିଧାୟକ ଓ ସାଂସଦ

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ମହାରାଷ୍ଟ୍ରରେ ଘଡିକେ ଘୋଡା ଛୁଟୁଛି । ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ବିଜେଡି-ବିଜେପି ଯୋଡ଼ି ହୋଇ ଅଛନ୍ତି । ଓଡ଼ିଶାରେ ବିଜେପି-ବିଜେଡି କଳି, ଦିଲ୍ଲୀରେ ମେଳି । ଅମିତ ଶାହ ଯାହା କହିବେ ନବୀନ ବାବୁ ତାହା ଶୁଣିବେ । ପ୍ରଧାନମନ୍ତ୍ରୀ ଯାହା କହିବେ ବିଜୁ ଜନତା ଦଳ ସେଇୟା ଶୁଣିବ । ବିଜେଡିରେ ଅସନ୍ତୋଷ କୁହୁଳୁଛି । ବିଜେପି ଚାହିଁଲେ ଏଠି ବିଜେଡିକୁ ଭାଗ ଭାଗ କରିପାରିବ । ଯେଉଁଦିନ ଅମିତ ଶାହ କଥା ନ ମାନିବେ ସେହିଦିନ ଭାଗ ଭାଗ ହେବେ । ଇଡି ଓ ସିବିଆଇ ତଦନ୍ତ ଆରମ୍ଭ ହେବ । ଅଧେ ଜେଲ ଯିବେ ।"

ତାରାଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ । ଅରୁଣ କହିଛନ୍ତି, "କିଏ କଣ କହିବ ସେଇଟା ସେମାନଙ୍କ ନିଜସ୍ଵ ମତ । କିନ୍ତୁ ଓଡ଼ିଶାର ଜନସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁତ ଭଲ ପାଆନ୍ତି । ସମସ୍ତଙ୍କ ଆଶୀର୍ବାଦ ଏହି ଦଳ ପ୍ରତି ଅଛି । ଓଡ଼ିଶା ପ୍ରଗତି ପଥରେ ଆଗଉଛି । ବିକାଶର ଧାରା ଆହୁରି ଆଗକୁ ବଢୁଛି । ମୁଖ୍ୟମନ୍ତ୍ରୀ ସାଢ଼େ 4 କୋଟି ଲୋକଙ୍କୁ ନିଜର ପରିବାର ବୋଲି କୁହନ୍ତି । ଓଡିଶା କ୍ଷିପ୍ର ଗତି ବିକାଶ ପଥରେ ଆଗେଇ ଚାଲିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.