ETV Bharat / state

ସମ୍ବଲପୁରକୁ ବିଜେପିର ସଂସଦୀୟ ଟିମ ଗସ୍ତ କେବଳ ପ୍ରହସନ: ସୁର

author img

By

Published : May 2, 2023, 7:09 AM IST

ସମ୍ବଲପୁରକୁ ବିଜେପିର ସଂସଦୀୟ ଟିମ ଗସ୍ତ ପ୍ରହସନ କହିଲେ ସୁର
ସମ୍ବଲପୁରକୁ ବିଜେପିର ସଂସଦୀୟ ଟିମ ଗସ୍ତ ପ୍ରହସନ କହିଲେ ସୁର

ସମ୍ବଲପୁର ଦଙ୍ଗାକୁ ନେଇ ରାଜ୍ୟରେ ଶାସକ ଓ ବିରୋଧୀ ଦଳ ଗୁଡ଼ିକ ମଧ୍ୟରେ ଜାରି ରହିଛି ଆରୋପ ପ୍ରତ୍ୟାରୋପ । ଏହାରି ମଧ୍ୟରେ ବିଜେପି ଏକ ସଂସଦୀୟ ଟିମ ପଠାଇଛି । ଯାହାକୁ ପ୍ରହସନ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ପଲଟିକାଲ ମାଇଲେଜ ନେବାପାଇଁ ବିଜେପିର ଏହି ଟିମ୍‌ ଆସିଛି ବୋଲି କହିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ସମ୍ବଲପୁରକୁ ବିଜେପିର ସଂସଦୀୟ ଟିମ ଗସ୍ତ ପ୍ରହସନ କହିଲେ ସୁର

ଭୁବନେଶ୍ବର: ସମ୍ବଲପୁର ଦଙ୍ଗାକୁ ନେଇ ତେଜୁଛି ରାଜ୍ୟ ରାଜନୀତି । ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ଜାରି ରହିଛି ବୟାନବାଜି । ଏହାରି ମଧ୍ୟରେ ବିଜେପି ସଂସଦୀୟ ଟିମ୍‌ ଆଜି ଝାରସୁଗୁଡା ଗସ୍ତ କରିଛି । ଏହି ସଂସଦୀୟ ଟିମ୍‌ ସମ୍ବଲପୁର ଗସ୍ତ ପୂର୍ବରୁ ବିଜେପି ଉପରେ ଦୋଷ ଲଦିଛି ବିଜେଡି । ସମ୍ବଲପୁରରେ ଦଙ୍ଗା ପାଇଁ ବିଜେପି ଉସକାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛି ବିଜେଡି । ଅନ୍ୟପଟେ ଏସବୁକୁ କେବଳ ପ୍ରହସନ ବୋଲି କହିବା ସହ କେବଳ ପଲଟିକାଲ ମାଇଲେଜ ନେବାପାଇଁ ବିଜେପିର ଏହି ଟିମ୍‌ ଆସିଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ରବିବାର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ସମ୍ବଲପୁର ହିଂସା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ତେବେ ସୋମବାର ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛନ୍ତି । ବିଜେପି ଶାସିତ ରାଜ୍ୟରେ ଯେଉଁଠି ଅଶାନ୍ତି ସୃଷ୍ଟି ହେଉଛି, ସେ ରାଜ୍ୟକୁ ସଂସଦୀୟ ଟିମ୍‌ ପଠାଉଛି କି ବିଜେପି ବୋଲି ପ୍ରଶ୍ନ କରିଛି ଶାସକ ଦଳ । ଅନ୍ୟପଟେ ଉଭୟ ବିଜେଡି ଏବଂ ବିଜେପି ଉପରେ ବର୍ଷିଛି କଂଗ୍ରେସ । ସମ୍ବଲପୁରରେ ସେମିତି କିଛି ହିଂସା ହୋଇନାହିଁ, ଯାହାକୁ ନେଇ କର୍ଫ୍ୟୁ ଜାରି କରାଗଲା ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି । ସମ୍ବଲପୁର ହିଂସା ଘଟଣାରେ ବିଜେପିର କେନ୍ଦ୍ରୀୟ ଟିମ ଆସିବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "କେବଳ ପଲଟିକାଲ ମାଇଲେଜ ନେବାପାଇଁ ଏହି ଟିମ ଆସିଛି । ଯେଉଁ ଦଳର କର୍ମୀ ସମ୍ବଲପୁରରେ ହିଂସା ଘଟେଇଛନ୍ତି, ସେହି ଦଳ ସେଠାକୁ ଯାଇ ସର୍ଭେ ରିପୋର୍ଟ ଦେବ କହୁଛି । ଏଗୁଡା କେବଳ ପ୍ରହସନ ।" ସେମାନେ କାହାକୁ ସର୍ଭେ ରିପୋର୍ଟ ଦେବେ ବୋଲି ପ୍ରଶ୍ନ କରିଛନ୍ତି ସୁର ।

ପ୍ରକାଶ ଥାଉ କି, ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହିଂସା ଦେଖା ଦେଇଥିଲା । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ୧୪୪ ଧାରା ଓ ପରେ କର୍ଫ୍ୟୁ ଜାରି କରାଯାଇଥିଲା । ଏହି ସମୟରେ ବିଜେପିର ଏକ ଉଚ୍ଚସ୍ତରୀୟ ଟିମ ସମ୍ବଲପୁର ଗସ୍ତ କରିଥିଲେ ବି ସେମାନଙ୍କୁ ପୋଲିସ ଅଟକ ରଖିଥିଲା । ଏନେଇ ରାଜ୍ୟ ସଭାପତି ମନମୋହନ ସାମଲ ସରକାରଙ୍କୁ ଟାର୍ଗେଟ କରି ସମ୍ବଲପୁର ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଉପରେ ବର୍ଷିଥିଲେ । ସମ୍ବଲପୁର ହିଂସାକୁ ନେଇ ଉଭୟ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଥିଲା । ଗତ ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏକ ସଂସଦୀୟ ଟିମ ଗଠନ କରିଥିଲେ । ଟିମ ଆସି ସମ୍ବଲପୁରରେ ସରଜମିନ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି । ଆଜି ଏହି ସଂସଦୀୟ ଟିମ୍‌ ଆସି ଝାରସୁଗୁଡାରେ ପହଞ୍ଚିଛନ୍ତି । ଆସନ୍ତାକାଲି ସମ୍ବଲପୁର ଗସ୍ତ କରି ବିଭିନ୍ନ ବର୍ଗର ଲୋକ, ସ୍ଥାନୀୟ ବାସିନ୍ଦା ଓ ହିଂସାରେ ଆହତ ହୋଇଥିବା ବିଜେପି କର୍ମୀମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.