ETV Bharat / state

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ଫାର୍ମାସିଷ୍ଟ ସହ ଦୁର୍ଦ୍ଦାନ୍ତ ଅପରାଧି ଗିରଫ

author img

By ETV Bharat Odisha Team

Published : Sep 2, 2023, 2:15 PM IST

ପିପିଲି ନିକଟରୁ ବ୍ରାଉନସୁଗାର ଜବତ
ପିପିଲି ନିକଟରୁ ବ୍ରାଉନସୁଗାର ଜବତ

ପିପିଲି ନିକଟରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କଲା ଏସଟିଏଫ । ଦୁଇ ଜଣ ଗିରଫ । ଅଧିକ ପଢନ୍ତୁ

ପିପିଲି ନିକଟରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ବର: ଭୁବନେଶ୍ବର-ପିପିଲି ବାଇପାସରେ ବ୍ରାଉନସୁଗାର ଚାଲାଣ । କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କଲା ଏସଟିଏଫ ଟିମ୍ । ପିପିଲି ନିକଟସ୍ଥ ଉତ୍ତରା ଛକ ପାଖରୁ ୧ କେଜି ୮୦ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ଯାହାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ । ଏହି ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଫାର୍ମାସିଷ୍ଟ ଓ ଆଉ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ରହିଛି । ସେମାନେ ଖୋର୍ଦ୍ଧାରୁ ଉତ୍ତରା ଛକ ଦେଇ ଭୁବନେଶ୍ବର ଚାଲାଣ କରୁଥିବା ବେଳେ ଏସଟିଏଫ୍ ମାଡି ବସିଛି ।

ଦୁଇ ଅଭିଯୁକ୍ତ ହେଲେ ପିପିଲିର ଲିପୁନ ପାଣ୍ଡେ ଏବଂ ଶାରଦାପୁର ମସଜିଦ ଗଳି ଅଞ୍ଚଳର ଶେକ୍ ଆବାସ । ଲିପୁନ ଗ୍ୟାରେଜ ମେକାନିକ ଭାବେ କାମ କରେ । ଆବାସ ସେଞ୍ଚୁରିଆନ ୟୁନିଭରସିଟିରୁ ପାସଆଉଟ୍ ପରେ ଆପୋଲୋ ହସ୍ପିଟାଲରେ ଫାର୍ମାସିଷ୍ଟ ଭାବେ ଚାକିରି କରିଥିଲା । ହେଲେ ସହଜରେ ଟଙ୍କା ରୋଜଗାର ଆଶାରେ ଚାକିରି ଛାଡି ବ୍ରାଉନସୁଗାର କାରବାରରେ ସାମିଲ ହୋଇଥିବା ଏସଟିଏଫ୍ ଏସପି କିଶୋର କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ବାଲେଶ୍ବରରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ

ଦୁଇ ଜଣଯାକ ପୋଲିସ ନଜରରୁ ବର୍ତ୍ତିବା ପାଇଁ ଛାତ୍ରଙ୍କ ଭଳି ବ୍ୟାଗ୍ ପକାଇ ବାଇକ ଯୋଗେ ବ୍ରାଉନସୁଗାର ଚାଲାଣ କରୁଥିଲେ । ଏ ସମ୍ପର୍କରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ ଟିମ୍ ଦୁହିଁଙ୍କ ପିଛା କରିଥିଲା । ସେମାନେ ଖୋର୍ଦ୍ଧାରୁ ପିପିଲି ଦେଇ ଭୁବନେଶ୍ବର ଚାଲାଣ କରିବାକୁ ଚେଷ୍ଟା କରୁଥିବା ବେଳେ ଏହାପୂର୍ବରୁ ଉତ୍ତରା ଛକ ନିକଟରେ ଏସଟିଏଫ୍ ଦୁହିଁଙ୍କୁ କାବୁ କରିଥିଲା । ସେମାନଙ୍କ ନିକଟରୁ ୧ କୋଟି ଟଙ୍କାର ୧ କେଜି ୮୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଦୁହିଁଙ୍କୁ ଗିରଫ କରାଯାଇଥିବା ବେଳେ ଆଜି କୋର୍ଟ ଚାଲାଣ କରାଯିବ ।

ସୂଚନା ଅନୁଯାୟୀ, ଲିପୁନ ପାଣ୍ଡେ ଯିଏକି ଏକ ଗ୍ୟାରେଜ ମେକାନିକ, ସେ ପୂର୍ବରୁ ପୁରୀ ବାସେଳିସାହି ଥାନା, ନିମାପଡା ଥାନା ଓ ପିପିଲି ଥାନା ଅଞ୍ଚଳରେ ନିଜର ଅପରାଧର ଗଡ଼ ତିଆରି କରି ଏଭଳି ବ୍ରାଉନସୁଗାର ସପ୍ଲାଏ ଆରମ୍ଭ କରିଥିଲା । ଏପରିକି ଗତ ମେ' ୨୮ରେ ଏକ ଡକାୟତି ମାମଲାରେ ଗିରଫ ହୋଇ ପରେ ଜେଲରୁ ମୁକୁଳିଥିଲା ।

ସହଜ ରୋଜଗାର ପାଇଁ ଅପରାଧର ବାଟ । ସଚୋଟ୍ଟତାର ରୋଜଗାର ଛାଡୁଛନ୍ତି ପାଠୁଆ ଯୁବକ । ସହଜରେ ଟଙ୍କା କମାଇବାକୁ ଛାତ୍ରଠୁ ଆରମ୍ଭ କରି ଚାକିରିଆ ଯୁବକ ଏବେ କରୁଛନ୍ତି ନିଶା ବେପାର । ତେବେ ଏସଟିଏଫ୍ ଟିମ୍ ୨୦୨୦ରୁ ଏଯାବତ୍ ରାଜ୍ୟରୁ ୭୨ କେଜି ବ୍ରାଉନସୁଗାର ସହ ୨୦୨ ଗ୍ରାମର‌ କୋକେନ, ୧୧୬ କ୍ବିଣ୍ଟାଲ ଗଞ୍ଜେଇ, ୭୫୦ ଗ୍ରାମ ଅଫିମ ଜବତ କରିଛି । ଏହି ଘଟଣାରେ ୧୭୮ ଜଣ ବେପାରୀଙ୍କୁ ଗିରଫ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.