ETV Bharat / state

ବିଧାନସଭାରେ MSP ତାତି; ବିଜେଡି-ବିଜେପି ମୁହାଁମୁହିଁ, କଂଗ୍ରେସର କଟାକ୍ଷ

author img

By ETV Bharat Odisha Team

Published : Sep 26, 2023, 7:07 PM IST

Updated : Sep 26, 2023, 7:57 PM IST

Etv Bharat
Etv Bharat

ବିଧାନସଭା ମୌସୁମୀ ଅଧିବେଶନ 3ୟ ଦିନରେ ଏମଏସପି ତାତି । ଗୋଟିଏ ପଟେ ବିଜେଡି ବିଜେପି ମୁହାଁମୁହିଁ ହୋଇଥିବା ବେଳେ ଏପଟେ କଟାକ୍ଷ କରିଛି କଂଗ୍ରେସ । ଅଧିକ ପଢନ୍ତୁ

ବିଧାନସଭାରେ MSP ତାତି

ଭୁବନେଶ୍ବର: ବିଧାନସଭାର ତୃତୀୟ ଦିନରେ ଉଠିଛି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗ । 5ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ବିଜେପି ସରକାରଙ୍କୁ ଘେରିବାକୁ ଉଦ୍ୟମ କରୁଥିବାବେଳେ ବିଜେଡି ଉଠାଇଛି ଏମଏସପି କଥା । ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲେ ବି ପ୍ରଧାନମନ୍ତ୍ରୀ ଭେଟିବାକୁ ସମୟ ଦେଉନାହାନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଜବାବରେ ବିଜେପି କହିଛନ୍ତି, ବିଜେଡି ଏମଏସପି କଥା କହିବା ହାସ୍ୟାସ୍ପଦ କଥା । ଉଭୟ ବିଜେଡି ଓ ବିଜେପିଙ୍କୁ କଟାକ୍ଷ କରିଛି କଂଗ୍ରେସ ।

ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, " ଓଡ଼ିଶାକୁ ଗୋଟିଏ ଖାଦ୍ୟ ବଳକା ରାଜ୍ୟ ଭାବରେ ପରିଗଣତି କରିଛନ୍ତି ଆମ ରାଜ୍ୟର କୃଷକ । ଯେଉଁମାନେ ଆଜି ଖାଦ୍ୟ ଶସ୍ୟ ଉତ୍ପାଦନ କରି ଓଡିଶାକୁ ଭାତ ହାଣ୍ଡି ଭାବେ ପରିଚିତ କରିଛନ୍ତି । କୃଷକମାନଙ୍କ କଥାକୁ ରାଜ୍ୟ ବିଜେପି ନିର୍ବାଚନ ଏବଂ ଉପ-ନିର୍ବାଚନ ବେଳେ ମନେ ପକାଏ । ଅନ୍ୟବେଳେ କଣ ପ୍ରତିଶୃତି ଦେଇଥିଲେ ମନେ ପକାନ୍ତି ନାହିଁ । 2017 ମସିହା ମାର୍ଚ୍ଚ 25ରେ ସର୍ବସମ୍ମତି କ୍ରମେ ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା । ଏମଏସପି 2930 କରିବା ପାଇଁ ଏହି ସଂକଳ୍ପ ପାରିତ ହୋଇଥିଲା । ଏହା ଭିତରେ ସାଢେ 6 ବର୍ଷ ବିତିଯାଇଥିବାବେଳେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି କେନ୍ଦ୍ର ସରକାର । ରାଜ୍ୟ ବିଜେପିର କୌଣସି ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ । କେନ୍ଦ୍ର କୃଷି ମନ୍ତ୍ରୀ କିମ୍ବା କେନ୍ଦ୍ର ସରକାରଙ୍କ ପାଖରେ ବିଜେପି ନେତା ଦାବି କରୁନାହାନ୍ତି ।"

ଏହା ବି ପଢନ୍ତୁ- Monsoon Session: ଚାଲି ପାରୁନି ଗୃହ, ସର୍ବଦଳୀୟ ବୈଠକରେ ବାହାରି ପାରିଲାନି ନିଷ୍କର୍ସ

ସେହିପରି ବଳକା ଉଷୁନା ଚାଉଳ ଏପର୍ଯ୍ୟନ୍ତ FCI ଉଠାଣ କରିନାହାନ୍ତି । 28 ଲକ୍ଷ ମେଟ୍ରିକ ଟନ ଚାଉଳ FCI ନେବା କଥା । ମାତ୍ର 15 ଲକ୍ଷ ମେଟ୍ରିକ ଟନ ଚାଉଳ ଏ ପର୍ଯ୍ୟନ୍ତ ନେଇଛନ୍ତି । ଆଉ 13 ଲକ୍ଷ ମେଟ୍ରିକ ଟନ ଚାଉଳ ଏପର୍ଯ୍ୟନ୍ତ ଉଠାଣ ହୋଇନାହିଁ । କେନ୍ଦ୍ର ସରକାରଙ୍କଠାରୁ ଯାହା ଟଙ୍କା ପାଇବା କଥା ଆମେ ପାଇନାହୁଁ । 14 କୋଟି ସବସିଡି ଏବଂ 6 କୋଟି ଟଙ୍କା ସୁଧ ବାବଦକୁ ତାହା ଏପର୍ଯ୍ୟନ୍ତ ଦେଲେ ନାହିଁ । କୃଷକମାନଙ୍କୁ ସଠିକ ସମୟରେ ସାର ମିଳୁନାହିଁ । ଠିକ ସମୟରେ ସାର ନ ମିଳିଲେ ସେମାନେ ଚାଷ କରିବେ କେମିତି ? କେନ୍ଦ୍ର ସବୁବେଳେ ଟାଳଟୁଳ ନୀତି ଆପଣାଉଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଯେଉଁ କ୍ଷତିପୂରଣ ଦେବା କଥା ସେଥିରେ ବି ଟାଳଟୁଳ ନୀତି ଆପଣାଉଛନ୍ତି । ସଂସଦରେ ବିଜେପିର 8 ଜଣ ସାଂସଦ ଅଛନ୍ତି । ପଶ୍ଚିମ ଓଡ଼ିଶାରୁ 5 ଜଣ ସାଂସଦ ଅଛନ୍ତି । କୃଷକମାନଙ୍କ ଭୋଟରେ ଜିତିଥିବା ବେଳେ ସେମାନଙ୍କ ପାଇଁ କଣ କରୁଛନ୍ତି ? କୃଷକଙ୍କୁ ଉଚିତ ପ୍ରାପ୍ୟ ନଦେଲେ ଆସନ୍ତା ନିର୍ବାଚନରେ ସେମାନେ ଉଚିତ ଜବାବ ଦେବେ ବୋଲି କହିଛନ୍ତି ଛୁରିଆ ।

ଏହା ବି ପଢନ୍ତୁ- Monsoon Session: ଦ୍ବିତୀୟ ଦିନରେ ଗୃହରେ ରୋଚକ ଚିତ୍ର, ପଢନ୍ତୁ ବିଧାନସଭାର ଏପାଖ ସେପାଖ

ବିଜେଡିକୁ କାଉଣ୍ଟର କରିଛନ୍ତି ବିଜେପି ବିଧାୟକ ନାଉରୀ ନାୟକ । ସେ କହିଛନ୍ତି, "ବିଜେଡି ବିଧାୟକ ଏମଏସପି କଥା ଉଠାଇବା ଦୁର୍ଭାଗ୍ୟଜନକ କଥା । କେନ୍ଦ୍ର କଥା ଉଠାଇବା ପୂର୍ବରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ କଥା କୁହନ୍ତୁ । ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ 10ରୁ 8 ମାର୍କ ଦେଉଛନ୍ତି, ତାଙ୍କୁ ପ୍ରଥମେ ବିଜେଡି ବିଧାୟକ ବନ୍ଧୁ ପଚାରନ୍ତୁ । ଏମଏମପି କଥା ବିଜେଡି କହୁଛି । 2014ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଏମଏସପି କେତେ ଥିଲା ? ସେତେବେଳେ ଏମଏସପି 1360 ଟଙ୍କା ଥିଲା । ଆଉ ଆଜି ଅଛି 2183 ଟଙ୍କା । ସ୍ବାଧୀନତାର 66 ବର୍ଷରେ 1360 ଥିଲା । ମାତ୍ର 9 ବର୍ଷରେ ତାହା 2183କୁ ଆସିଛି । ତେଣୁ ପ୍ରଧାନମନ୍ତ୍ରୀ ଚାଷିଙ୍କ କଥା ଚିନ୍ତା କରୁଛନ୍ତି । ଏମଏସପି ବୃଦ୍ଧି କରିବା ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ଟଙ୍କା ଦେବାରେ ବ୍ୟବସ୍ଥା କରୁଛନ୍ତି । ଅନେକ ଇନ୍ସୁରାନ୍ସ ଦେବା ପାଇଁ ବ୍ୟବସ୍ଥା କରୁଛନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି, "ଚାଷୀଙ୍କୁ 100 ଟଙ୍କା ବୋନସ ଦେବେ ବୋଲି ମୁଖ୍ୟମନ୍ତ୍ରୀ 2016ରେ ସୋହେଲାରେ ଘୋଷଣା କରିଥିଲେ । ହେଲେ ଆଜି ଯାଏଁ ସେହି ବୋନସ ଦେଇପାରିନାହାନ୍ତି । ସେ କଥା ବୋଧେ ବିଜେଡି ବିଧାୟକ ଭୁଲି ଯାଇଛନ୍ତି । କିନ୍ତୁ ଲୋକେ ଭୁଲି ନାହାନ୍ତି । ଆଜି କେନ୍ଦ୍ର ଯେଉଁ 2183 ଟଙ୍କା ଦେଉଛି, ତାହାର ମୂଲ୍ୟ ଆଜି ଚାଷୀ ପାଉନାହିଁ । ରାଜ୍ୟ ସରକାର ଚାଷୀ ମାରଣ ନୀତି କରୁଛି । ସମ୍ବଲପୁରରେ ଆଧୁନିକ କୃଷକ ବଜାର କୁଆଡେ ଗଲା ? ବିଧାନସଭାରେ ପ୍ରଶ୍ନ କଲେ ମନ୍ତ୍ରୀ ଉତ୍ତର ଦେଇପାରୁ ନାହାଁନ୍ତି ।"

ଏହା ବି ପଢନ୍ତୁ- Monsoon Session: ଜାତୀୟ ରାଜପଥ ପ୍ରସଙ୍ଗରେ ବିଜେଡି ବିଜେପି ମୁହାଁମୁହିଁ, ଦୀପାଳିଙ୍କୁ କୁସୁମଙ୍କ ସମାଲୋଚନା

ବିଜେପି ଓ ବିଜେଡି ମଧ୍ୟରେ ବାଦିପାଲା ଚାଲିଥିବାବେଳେ ଏଣ୍ଟ୍ରି ମାରିଛି କଂଗ୍ରେସ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଉଭୟ ବିଜେପି ଓ ବିଜେଡିଙ୍କୁ କଟାକ୍ଷ କରିଛନ୍ତି । ତାରା କହିଛନ୍ତି, "ବିଜେପି ଓ ବିଜେଡି ମଧ୍ୟରେ ଭିତିରିଆ ସଲା ସୁତରା ରହିଛି । ବର୍ତ୍ତମାନର ତାହା ପ୍ରମାଣିତ ହେଲା । ବିଜେଡି ଓ ବିଜେପି ଗୋଟେ ଦଳ । କଂଗ୍ରେସ ଦଳ ଶିକ୍ଷକଙ୍କ କଥା ମୁଲତବୀରେ ଦେଇଥିଲେ । ସରପଞ୍ଚ, ସମିତିମାନେ ରାଜରାସ୍ତାରେ ବସିଛନ୍ତି । ଯୁକ୍ତ 2 କଲେଜ ଅଧ୍ୟାପକ, ଗାଁ ସାଥୀ ଆନ୍ଦୋଳନ କରୁଛନ୍ତି । ତାଙ୍କ ବାବଦରେ ଆଲୋଚନା କଲେନି । ବିଜେଡି ବାହାର କରିଛି ସର୍ବନିମ୍ନ ସହାୟକ ମୂଲ୍ୟ । ରାଜ୍ୟ ସଂକଳ୍ପ ବାବଦରେ ଭେଟିବାକୁ ପ୍ରଧାନମନ୍ତ୍ରୀଙ୍କୁ ସମୟ ମାଗିଲୁ । କିନ୍ତୁ ସେ ସମୟ ଦେଲେ ନାହିଁ ।"

ତାରା ଆହୁରି କହିଛନ୍ତି, "ମୁଖ୍ୟମନ୍ତ୍ରୀ କାହିଁକି ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟୁନାହାନ୍ତି । ସର୍ବନିମ୍ନ ସହାୟକ ମୂଲ୍ୟକୁ ଆମେ ସ୍ବାଗତ କରୁଛୁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚାଷୀ ଦୁଃଖ ଜଣାପଡୁନାହିଁ । ଚାଷୀ ଭଲରେ ରୁହନ୍ତୁ ଏମାନେ ଚାହୁଁନାହାନ୍ତି। ବିଜେଡି ଓ ବିଜେପି ଡ୍ରାମା କରୁଛନ୍ତି । ଗରିବ ଲୋକଙ୍କ ଟଙ୍କାରେ ଚାଲୁଥିବ ବିଧାନସଭାକୁ ଏମାନେ ବନ୍ଦ କରୁଛନ୍ତି । ଏହା କଣ୍ଠରୋଧ । ବିଧାନସଭା ବନ୍ଦ କଲେ ଲୋକ ବୁଝିବେନି । ଆମେ ଆଲୋଚନାକୁ ପ୍ରସ୍ତୁତ ଅଛୁ । କଂଗ୍ରେସ ଲୋକଙ୍କ ଦଳ । ଜନ ସାଧାରଣଙ୍କ ଦଳ । କଂଗ୍ରେସ ସଲିସ କରେନାହିଁ । ବିଜେଡି ସଲିସ କରିଛି। ଅମିତ ସାହା ଆସି 5ଟି ସଚିବଙ୍କ ସହ ଆଲୋଚନା କାଟୁଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 26, 2023, 7:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.