ETV Bharat / state

Monsoon Session: ଦ୍ବିତୀୟ ଦିନରେ ଗୃହରେ ରୋଚକ ଚିତ୍ର, ପଢନ୍ତୁ ବିଧାନସଭାର ଏପାଖ ସେପାଖ

author img

By ETV Bharat Odisha Team

Published : Sep 26, 2023, 7:39 AM IST

ବିରୋଧୀଙ୍କ ହୋ ହଲ୍ଲା ଗୃହ ନ ଚଳାଇଦେବା ଭିତରେ ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ ଶେଷ ହୋଇଥିଲା । ହେଲେ ଦ୍ବିତୀୟ ଦିନରେ ଗୃହରେ କିଛି ରୋଚକ ଚିତ୍ର ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

Monsoon Session
Monsoon Session

ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେଶନର ଦ୍ଵିତୀୟ ଦିନ ଶେଷ ହୋଇଛି । ସଚିବ ବଡ ନା ମନ୍ତ୍ରୀ ବଡ ପ୍ରସଙ୍ଗରେ ବିରୋଧୀଙ୍କ ହୋ ହଲ୍ଲା ଗୃହ ନ ଚଳାଇଦେବା ଭିତରେ ଦିନ ଶେଷ ହୋଇଥିଲା । ସଚିବଙ୍କ ଜିଲ୍ଲ ଗସ୍ତ ନେଇ ଗୃହରେ ବିବୃତ୍ତି ରଖିଥିଲେ ମୁଖ୍ୟମନ୍ତ୍ରୀ । ବିରୋଧୀଙ୍କ ହୋ ହଲ୍ଲା ଓ ବାରମ୍ବର ଗୃହ କାର୍ଯ୍ୟ ମୁଲତବୀ ଭିତରେ ମୌସୁମୀ ଅଧିବେଶନ ଦ୍ବିତୀୟ ଦିନ ଶେଷ ହୋଇଥିଲା । ଏହାରି ଭିତରେ ବିଧାନସଭାରେ କିଛି ରୋଚକ ଚିତ୍ର ଦେଖିବାକୁ ମିଳିଥିଲା । ଯାହାକୁ ଯାହାକୁ ନେଇ ପଢନ୍ତୁ ଈଟିଭି ଭାରତର ସ୍ୱତନ୍ତ୍ର ଖବର 'ବିଧାନସଭାର ଏପାଖ ସେପାଖ'

ଗୃହକୁ ଆସିଲେ ପୂର୍ବତନ ବିରୋଧୀ ଦଳ ନେତା: ଷୋଡ଼ଷ ଓଡିଶା ବିଧାନସଭାର ବିରୋଧୀ ଦଳର ନେତା ହୋଇଥିଲେ କଳାହାଣ୍ଡି ବିଧାୟକ ପ୍ରଦୀପ୍ତ ନାୟକ । ପ୍ରଥମ 3ବର୍ଷ ବିରୋଧୀ ଦଳର ନେତାର ଦାଇତ୍ୱ ସେ ତୁଲାଇଥିଲେ । ଏହାରି ଭିତରେ ଆସିଥିଲା ମହାମାରୀ କୋଭିଡ଼ । କୋଭିଡ଼ରେ ଆକ୍ରାନ୍ତ ହୋଇଥିଲେ ପ୍ରଦୀପ୍ତ । ସେ କୋଭିଡ଼ରୁ ସୁସ୍ଥ ହେଲେ ସତ । କିନ୍ତୁ କୋଭିଡ ଜନିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାରେ ପ୍ରଦୀପ୍ତ ଛନ୍ଦି ହୋଇଗଲେ । ହସ୍ପିଟାଲ ବେଡ଼ରେ ସେ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କଲେ । ପ୍ରାୟ 3 ବର୍ଷର ସଂଘର୍ଷ ପରେ ସେ ଏବେ ସୁସ୍ଥ ହୋଇଛନ୍ତି । ନୂଆ ଜୀବନ ନେଇ ଫେରିଛନ୍ତି । ସୁସ୍ଥ ହେବା ପରେ ଆଜି ସେ ପ୍ରଥମ ଥର ଲାଗି ବିଧାନସଭାକୁ ଆସିଛନ୍ତି । ହେଲେ ଆଜି ସେ ବିରୋଧୀ ଦଳର ନେତା ଭାବେ ନୁହେଁ, ବିଜେପି ବିଧାୟକ ଭାବେ ଆସିଛନ୍ତି । କାରଣ ପ୍ରଦୀପଙ୍କ ଅସୁସ୍ଥତା କାରଣରୁ ନୂଆ ବିରୋଧୀ ଦଳ ନେତା ହୋଇଛନ୍ତି ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ।

ବିଷ୍ଣୁଙ୍କୁ ମିସ କଲେ, ସୂର୍ଯ୍ୟବଂଶୀଙ୍କ ଭିତରେ ବନ୍ଧୁକୁ ଖୋଜିଲେ: ପ୍ରଦୀପ ବିରୋଧୀ ଦଳ ନେତା ଥିବାବେଳେ ଉପନେତା ଥିଲେ ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀ । କୋଭିଡ଼, ପରବର୍ତ୍ତୀ ସ୍ୱାସ୍ଥ୍ୟଜନିତ ସମସ୍ୟା ପରେ ପ୍ରଦୀପ ସୁସ୍ଥ ହୋଇ ଫେରିଲେ କିନ୍ତୁ ବିଷ୍ଣୁଙ୍କ ପରଲୋକ ହୋଇଛି । ସୁସ୍ଥ ହୋଇ ପ୍ରଦୀପ ପ୍ରଥମ ଥର ବିଧାନସଭା ଆସିଥିଲେ ହେଲେ ତାଙ୍କ ବନ୍ଧୁ ତଥା ସହଯୋଗୀ ବିଷ୍ଣୁ ସେଠୀ କିନ୍ତୁ ଆଉ ନାହାନ୍ତି । ମନେ ମନେ ସେ ବିଷ୍ଣୁଙ୍କୁ ବହୁତ ଖୋଜିବା ପରି ମନେ ହେଉଥିଲା । କାରଣ ସେ ବରାବାର ବିଷ୍ଣୁଙ୍କ ପୁଅ ତଥା ବର୍ତ୍ତମାନର ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ଅନାଉଥିଲେ । ସୁରଜ ସିଟରେ ବସିଥିବା ବେଳେ ପ୍ରଦୀପ ତାଙ୍କୁ ପଛକୁ ବୁଲି ଦେଖୁଥିଲେ । ସେହିପରି ଦଳୀୟ ବିଧାୟକଙ୍କ ସହ ପୋଡିୟମ ନିକଟରେ ବିକ୍ଷୋଭ କରିବା ବେଳେ ମଧ୍ୟ ସୁରଜଙ୍କୁ ଚାହିଁ ରହିଥିଲେ ପ୍ରଦୀପ । ସତେ ଯେମିତି ସେ କିଛି କହିବାକୁ ଚାହୁଁଥିବା ପରି ମନେ ହେଉଥିବା ଏବଂ ବିଷ୍ଣୁଙ୍କ ପୁଅଙ୍କ ମଧ୍ୟରେ ତାଙ୍କ ବନ୍ଧୁଙ୍କୁ ଖୋଜି ଥିଲେ ପ୍ରଦୀପ ।

ଗୃହରେ ବିଧାୟିକା, ଗ୍ୟାଲେରୀରେ ପୁରୁଷ ବନ୍ଧୁ: ନୂଆ କରି ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି ଜଣେ ଯୁବ ବିଧାୟକା । ବିଧାୟିକା ଜଣକ ଗୃହ କାର୍ଯ୍ୟରେ ସାମିଲ ହୋଇଥିଲେ । ବିଧାୟିକାଙ୍କ କାର୍ଯ୍ୟ କ୍ଷେତ୍ରକୁ ପରିଦର୍ଶନ କରିବାକୁ ଆସିଥିଲେ ତାଙ୍କ ପୁରୁଷ ବନ୍ଧୁ । ବିଧାୟିକା ଗୃହ ଭିତରେ (ଗ୍ରାଉଣ୍ଡ) ଥିବା ବେଳେ ପୁରୁଷ ବନ୍ଧୁ ଦର୍ଶକ ଗ୍ୟାଲେରୀରେ (ଉପରେ) ବସିଥିଲେ । ପୁରୁଷ ବନ୍ଧୁଙ୍କ ସହ ଦର୍ଶକ ଗ୍ୟାଲେରୀରେ ବସିଥିଲେ ବିଧାୟିକାଙ୍କ ପାରିବାରିକ ସହାୟକ । ଉଭୟଙ୍କ ମଧ୍ୟରେ ଠାରରେ କିଛି କଥାବାର୍ତ୍ତା ମଧ୍ୟ ହୋଇଥିଲା । ଅପରାହ୍ନରେ ବାରମ୍ବାର ଗୃହ କାର୍ଯ୍ୟ ମୁଲତବୀ ହେଇଥିବାବେଳେ ଏହା ଦେଖିବାକୁ ମିଳିଥିଲା । ପ୍ରାୟ 1 ଘଣ୍ଟା ଧରି ବିଧାୟିକାଙ୍କୁ ପୁରୁଷ ବନ୍ଧୁ ଦର୍ଶକ ଗ୍ୟାଲେରୀରେ ବସି ରହିଥିଲେ । ପୁରୁଷ ବନ୍ଧୁ ଯିବା ସମୟରେ ବିଧାୟିକା ଉପର ଫ୍ଲୋରକୁ ଆସିଥିଲେ । ପ୍ରେସ ଗ୍ୟାଲେରୀ ବାଟ ଦେଇ ପୁରୁଷ ବନ୍ଧୁଙ୍କୁ ତଳେ ଛାଡି ଆସି ପୁନର୍ବାର ଗୃହ କାର୍ଯ୍ୟରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିବା ।

ମୁଲତବୀ ଉପବାଚସ୍ପତି: ଅପରାହ୍ନରେ ଗୃହ କାର୍ଯ୍ୟ 3 ଥର ମୁଲତବୀ ହୋଇଥିଲା । ପ୍ରଥମ ଥର କାର୍ଯ୍ୟ ଆରମ୍ଭ ହେବା ପରେ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ । 30 ମିନିଟ ଗୃହ ମୁଲତବୀ ଘୋଷଣା କରି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ବୈଠକ ସରିନଥିବାରୁ ଆଉ 30 ମିନିଟ ମୁଲତବୀ ଘୋଷଣା କରିଥିଲେ ଉପ ବାଚସ୍ପତି ରଜନୀକାନ୍ତ ସିଂ । ତାପରେ ପୁଣି 30 ମିନିଟ ମୁଲତବୀ । ପୁନର୍ବାର 15 ମିନିଟ ମୁଲତବୀ । ପୁଣି ଆଉଥରେ 5 ମିନିଟ ମୁଲତବୀ ହୋଇଥିଲା ଗୃହ । ଏଥିପାଇଁ ଉପବାଚସ୍ପତିଙ୍କୁ ମୁଲତବୀ ବୋଲି ଗୃହ ସଦସ୍ୟ ସମ୍ବୋଧନ କରିଥିଲେ ଯାହାକୁ ନେଇ ଗୃହରେ ହାସ୍ୟ ପରିବେଶ ସୃଷ୍ଟି ହୋଇଥିଲା ।

ଚେୟାର ପକେଇ ବସିଲେ କୁସୁମ: ଗୃହ କାର୍ଯ୍ୟ ସ୍ୱାଭାବିକ କରିବା ଲାଗି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ବୈଠକ ବିଫଳ ହେବା ପରେ ଗୃହ ମଧ୍ୟଭାଗରେ ନାରା ବାଜି କରିଥିଲେ ବିଜେପି ବିଧାୟକ । 5.21ରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିଜେପି ବିଧାୟକ ପୋଡ଼ିୟମ ନିକଟକୁ ଆସି ନାରାବାଜି ଆରମ୍ଭ କରି ଦେଇଥିଲେ । ନାରାବାଜି ଭିତରେ ବିଲ ଆଗତ କରିବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି । ଦଳୀୟ ବିଧାୟକଙ୍କ ସହ ବିକ୍ଷୋଭରେ ସାମିଲ ହୋଇଥିଲେ ଏକମାତ୍ର ବିରୋଧୀ ଦଳ ବିଧାୟିକା କୁସୁମ ଟେଟେ । ନାରାବାଜି କରି ସେ ଯେତେବେଳେ ଥକି ଯାଉଥିଲେ ପୋଡ଼ିୟମ ନିକଟରେ ଥିବା ବିଧାନସଭା ସଚିବଙ୍କ ଚେୟାର ଟାଣି ଆଣି ବସୁଥିବା ଦେଖିବାକୁ ମିଳିଥିଲା । ଟିକେ ଜୋସ ଭରିଗଲେ ପୁଣି ନାରାବାଜି କରିଥିଲେ । ପ୍ରାୟ ଘଣ୍ଟାଏ ଏମିତି ଚାଲିଥିଲା ।

ଏହା ବି ପଢନ୍ତୁ...Monsoon Session: ଜାତୀୟ ରାଜପଥ ପ୍ରସଙ୍ଗରେ ବିଜେଡି ବିଜେପି ମୁହାଁମୁହିଁ, ଦୀପାଳିଙ୍କୁ କୁସୁମଙ୍କ ସମାଲୋଚନା

ଆଲୋଚନା କଲେ ନିରଞ୍ଜନ, ନରସିଂହଙ୍କ ସହ କଥା ହେଲେ ପ୍ରଣବ: ପୋଡ଼ିୟମ ନିକଟରେ ନାରାବାଜି କରୁଥିଲେ ବିଜେପି ବିଧାୟକ । 5.21ରୁ ଗୃହ ମୁଲତବୀ ହେବା ପର୍ଯ୍ୟନ୍ତ ଏମିତି ଚାଲିଥିଲା । ମଝିରେ ସ୍ୱାସ୍ଥ୍ୟମନ୍ତ୍ରୀ ଗୃହ ମଧ୍ୟକୁ ଆସି ବିଜେପି ବିଧାୟକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ସେମାନେ ନବୁଝିବାରୁ ନିରଞ୍ଜନ ଫେରିଯାଇ ନିଜ ସିଟ୍‌ରେ ବସିଥିଲେ । ସେପଟେ କଂଗ୍ରେସ ବିଧାୟକ ନିଜ ନିଜ ସିଟରେ ବସିଥିଲେ । ଏହାରି ଭିତରେ ବିଜେଡି ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ ନିଜ ସିଟରୁ ଉଠି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ସିଟ ନିକଟକୁ ଯାଇଥିଲେ । ନରସିଂହଙ୍କୁ କିଛି କହିଥିଲେ ପ୍ରଣବ । ପ୍ରାୟ 5 ମିନିଟ ଧରି ଉଭୟଙ୍କ ମଧ୍ୟରେ କଥା ବାର୍ତ୍ତା ହୋଇଥିଲା । କଣ କଥା ହୋଇଥିଲେ ସୂଚନା ମିଳିନାହିଁ କିନ୍ତୁ ପ୍ରଣବ କହୁଥିବା କଥାରେ ନରସିଂହ ଏକମତ ନଥିବା ତାଙ୍କ ଅଙ୍ଗିଭଙ୍ଗିରୁ ଜଣାପଡୁଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.