ETV Bharat / state

ମୋ ଘର ପାଇଁ ଆବେଦନ ଆରମ୍ଭ; ଆଦିବାସୀଙ୍କ ପାଇଁ ବ୍ୟବସ୍ଥା ଦାବି କଲା କଂଗ୍ରେସ, ବିଜେପି କହିଲା ନିର୍ବାଚନୀ ଚାଲ୍‌

author img

By

Published : Jun 16, 2023, 8:23 PM IST

Updated : Jun 16, 2023, 9:56 PM IST

ମୋ ଘର ପାଇଁ ଆବେଦନ ଆରମ୍ଭ
ମୋ ଘର ପାଇଁ ଆବେଦନ ଆରମ୍ଭ

ମୋ ଘର ଯୋଜନା ପାଇଁ ଆଜିଠାରୁ ଆବେଦନ ଆରମ୍ଭ ହୋଇଛି । ଏଥିରେ ହିତାଧିକାରୀଙ୍କୁ ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଯୋଗାଇ ଦିଆଯିବ । ତେବେ ଆଦିବାସୀ ଜମି ବନ୍ଧା ପଡିବ ନାହିଁ ବୋଲି ଆଇନ ରହିଛି । ତେଣୁ ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ପଢ଼ନ୍ତୁ

ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଦାବି

ଭୁବନେଶ୍ବର: ମୋ ଘର ଯୋଜନାରେ ସହାୟତା ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ପ୍ରତି ବ୍ଲକ, ପଞ୍ଚାୟତ ଓ ମୋ ସେବା କେନ୍ଦ୍ରରେ ହିତାଧିକାରୀ ଏହି ଯୋଜନା ପାଇଁ ଆବେଦନ କରୁଛନ୍ତି । ଆବେଦନକାରୀଙ୍କ ତଥ୍ୟ ଅନୁଧ୍ୟାନ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରିଥିବା ଅର୍ଥ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ । ସେପଟେ ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ନେଇ ଆଶାବାଦୀ ଅଛନ୍ତି ଉଭୟ ଶାସକ ଓ ବିରୋଧୀ ସଦସ୍ୟ ।

ମୋ ଘର ଯୋଜନାରେ ସାମିଲ ହେବା ପାଇଁ ୱେବ୍‌ସାଇଟ୍‌ rhodisha.gov.in/moghara ରେ ଆବେଦନ କରାଯାଉଛି । ଏହି ୱେବ୍‌ସାଇଟ୍‌ରେ ଲୋକେ ସିଧାସଳଖ ଆବଦେନ କରିପାରିବେ ବୋଲି କୁହାଯାଇଛି । ଆବେଦନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ଭାବେ ପ୍ରଚାର ପ୍ରସାର କରାଯାଉଛି । ସହାୟତା ପାଇବା ପାଇଁ ଆବେଦନ ପୂର୍ବରୁ ପ୍ରଥମେ ୱେବ୍‌ସାଇଟ୍‌ରେ ପଞ୍ଜୀକରଣ କରିବାକୁ ପଡ଼ିବ । ଆବେଦନକାରୀଙ୍କୁ ଆଧାରକାର୍ଡ, ପାସପୋର୍ଟ ଫଟୋ, କେୱାଇସି ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ । ଏହା ସହିତ ଆୟ ପ୍ରମାଣ ପତ୍ର ମଧ୍ୟ ଦେବାକୁ ପଡ଼ିବ । ଯେଉଁମାନଙ୍କର କଚ୍ଚା ଘର ଥିବ, କିମ୍ବା ଗୋଟିଏ କୋଠରୀ ବାଲା ପକ୍କା ଘର ଥିବ, ସେହି ପରିବାରର ଆୟ ମାସିକ ୨୫ ହଜାରରୁ କମ ଟଙ୍କା ହୋଇଥିଲେ ସେମାନେ ଏହି ଯୋଜନାର ଲାଭ ପାଇଁ ଆବେଦନ କରିପାରିବେ ।

ଘର ନିର୍ମାଣ ପାଇଁ ପୂର୍ବରୁ ୭୦ ହଜାରରୁ ଅଧିକ ଟଙ୍କା ସରକାରୀ ସହାୟତା ପାଇଥିଲେ ମୋ ଘର ଯୋଜନାରେ ସାମିଲ କରାଯିବ ନାହିଁ । ନିମ୍ନ ଓ ନିମ୍ନ ମଧ୍ୟବିତ ପରିବାରକୁ ଘର ନିର୍ମାଣ, ମରାମତି, ଉନ୍ନତିକରଣ ଓ ସମ୍ପ୍ରସାରଣ ପାଇଁ ମୋ ଘର ଯୋଜନା ଉପଲବ୍ଧ । ହିତାଧିକାରୀଙ୍କୁ ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଯୋଗାଇ ଦିଆଯିବ । ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ସବ୍‌ସିଡି ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ ପ୍ରାୟ ୪ ଲକ୍ଷ ହିତାଧିକାରୀଙ୍କୁ ୨ ବର୍ଷ ମଧ୍ୟରେ ଘର ପାଇଁ ସହାୟତା ଯୋଗାଇ ଦେବାକୁ ୨୧୫୦ କୋଟି ଟଙ୍କା ବ୍ୟୟ ଆକଳନ କରିଛନ୍ତି ରାଜ୍ୟ ସରକାର ।

ଏହି ଯୋଜନାକୁ ସ୍ବାଗତ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ହେଲେ ଯୋଜନାରେ ଥିବା ସମସ୍ୟା ସମାଧାନ କରିବା ପାଇଁ ସେ ଦାବି କରିଛନ୍ତି । ସୁର କହିଛନ୍ତି, "ମୋ ଘର ଯୋଜନା ପାଇଁ ଋଣ ବ୍ୟବସ୍ଥା ଭଳି ଅନେକ ସର୍ତ୍ତ ରହିଛି । ଆଦିବାସୀ ଜମି ବନ୍ଧା ପଡିବ ନାହିଁ ବୋଲି ଆଇନ ରହିଛି । ସେ ଲୋକ କେମିତି ମୋ ଘର ଯୋଜନାରେ ସାମିଲ ହେବେ । ୩୩ ପ୍ରତିଶତ ଆଦିବାସୀ ଓଡିଶାରେ ରହିଛନ୍ତି । ଆଦିବାସୀ ମାନେ କିପରି ଉପକୃତ ହେବେ ସେନେଇ ପ୍ରଥମେ ବ୍ୟବସ୍ଥା କରାଯାଉ । ଯୋଜନା ଭଲ । ଲୋକଙ୍କୁ ସୁବିଧା ମିଳୁ ।" ସେହିପରି ବିଜେଡି ବିଧାୟକ ସୁଶାନ୍ତ ରାଉତ କହିଛନ୍ତି, "ସାଢେ ୪ କୋଟି ଲୋକ ତାଙ୍କ ପରିବାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଯେତେ ଯୋଜନା ହୋଇଛି ସବୁ ବର୍ଗଙ୍କୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଇଛି । ସମସ୍ତେ ଫାଇଦା ନେଇଛନ୍ତି । କେଉଁଠାରେ କର୍ମୀଙ୍କୁ ଦେଖି ଯୋଜନା କରାଯାଇନାହିଁ । ତେଣୁ ସମସ୍ତେ ଏଥିରୁ ଉପକୃତ ହେବେ ।"

ସେପଟେ ଏହି ଯୋଜନା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ସେ କହିଛନ୍ତି, "ମୋ ଘର ହେଉଛି ରାଜ୍ୟ ସରକାରଙ୍କ ନିର୍ବାଚନ ଜିତିବା ପାଇଁ ଏକ ଚାଲ୍‌ । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ୨୯ ଲକ୍ଷ ଘର ବିଭିନ୍ନ ଜିଲ୍ଲାରେ ଦେଇଛନ୍ତି । ପ୍ରକୃତ ହିତାଧିକାରୀଙ୍କୁ ଚୟନ କରି ଘର ଦିଆଯିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲେ ମୋଦି । ହେଲେ ରାଜ୍ୟ ସରକାର ବ୍ୟାପକ ଘୋଟାଲା କରିଛନ୍ତି । ଦଳୀୟ ଆଧାରରେ ଘର ଆବଣ୍ଟନ କରିଛନ୍ତି । ଅଧାପନ୍ତରିଆ ଭାବରେ ଘର ଦେଇଛନ୍ତି ରାଜ୍ୟ ସରକାର । ଯାହା ପୂର୍ବରୁ ଥିଲା ତାହା ଦେଇପାରିଲେ ନାହିଁ, ଆଉ ଏବେ ମୋ ଘର ଯୋଜନା କରି କାହାକୁ ଭଣ୍ଡେଇବା ପାଇଁ କରିଛନ୍ତି ? ବିଜୁ ପକ୍କା ଘର, ମୋ ଘର ଯୋଜନା ଓଡିଶାବାସୀଙ୍କୁ ଭ୍ରମିତ କରିବାକୁ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଟି କୋଟି ଟଙ୍କା ଅନିୟମିତତା ହୋଇଛି ବୋଲି ଗୟା ପ୍ରସାଦ କମିଟି ନିର୍ଦ୍ଦେଶ ଦେଇଥିଲେ ।" କେତେ ଜଣଙ୍କ ଉପରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jun 16, 2023, 9:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.