ETV Bharat / state

କେନ୍ଦ୍ରାପଡ଼ା କଲେଜରେ ଦୁର୍ନୀତିର ପର୍ଦ୍ଦାଫାସ କଲା RTI ତଥ୍ୟ, ଉଚ୍ଚଶିକ୍ଷା ବିଭାଗ ଓ ଲୋକାୟୁକ୍ତରେ ମାମଲା

author img

By ETV Bharat Odisha Team

Published : Nov 25, 2023, 7:12 PM IST

କେନ୍ଦ୍ରାପଡ଼ା କଲେଜରେ ଦୁର୍ନୀତିର ପର୍ଦ୍ଦାଫାସ କଲା RTI ତଥ୍ୟ
କେନ୍ଦ୍ରାପଡ଼ା କଲେଜରେ ଦୁର୍ନୀତିର ପର୍ଦ୍ଦାଫାସ କଲା RTI ତଥ୍ୟ

ବହୁ ପୁରାତନ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରେ କୋଟି କୋଟି ଟଙ୍କାର ଦୁର୍ନୀତି । RTIରୁ ମିଳିଲା ସାଙ୍ଘାତିକ ତଥ୍ୟ । କଲେଜର ପୁରାତନ ଛାତ୍ର ତଥା ସୂଚନାଧିକାର କର୍ମୀଙ୍କ ଆବେଦନ ପରେ ଉଚ୍ଚଶିକ୍ଷା ବିଭାଗ ଓ ଲୋକାୟୁକ୍ତଙ୍କ ପକ୍ଷରୁ ତଦନ୍ତ ଆରମ୍ଭ । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡ଼ା କଲେଜରେ ଦୁର୍ନୀତିର ପର୍ଦ୍ଦାଫାସ କଲା RTI ତଥ୍ୟ

କେନ୍ଦ୍ରାପଡ଼ା: ରାଜ୍ୟର ସର୍ବ ପୁରାତନ ସ୍ବୟଂଶାସିତ ମହାବିଦ୍ୟାଳୟ ତାଲିକାରେ ରହିଛି କେନ୍ଦ୍ରାପଡ଼ା ମହାବିଦ୍ୟାଳୟ । ଯେଉଁଠାରୁ ପାଠପଢି ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀ ହେବା ସହ ରାଜ୍ୟ ରାଜନୀତିର ନେତୃତ୍ବ ନେଇଛନ୍ତି ଅନେକ ବ୍ୟକ୍ତି । ଏହି ମହାବିଦ୍ୟାଳୟରେ ପାଠପଢି ଯେଉଁ ପୁରାତନ ଛାତ୍ରଛାତ୍ରୀମାନେ ନିଜକୁ ଗୌରାବାନ୍ବିତ ମନେ କରୁଥିଲେ, ଆଜି ସେହି ଛାତ୍ରଙ୍କ ଦ୍ବାରା ଆଗତ ମାମଲାରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହେଉଛନ୍ତି । ଅନ୍ୟପଟେ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବିଧାନସଭାରେ ପ୍ରଶ୍ନ କରିବା, ଘଟଣାର ଗୁରୁତ୍ବକୁ ଆହୁରି ବଢ଼ାଇଛି । ଫଳରେ ଅଧ୍ୟାପକ ନାଁରେ ଠିକାଦାର ସାଜି କାମ କରୁଥିବା ବ୍ୟକ୍ତିବିଶେଷଙ୍କ ଛାତିରେ ପଶିଛି ଛନକା ।

କେନ୍ଦ୍ରାପଡ଼ା କଲେଜରେ କୋଟି କୋଟି ଟଙ୍କାର ଦୁର୍ନୀତି: ଦେଶ ସ୍ବାଧିନ ହେବାର କିଛିବର୍ଷ ପରେ ଅବିଭକ୍ତ କଟକ ଜିଲ୍ଲାର କେନ୍ଦ୍ରାପଡ଼ା ସହର ଓ ଆଖପାଖ ଅଞ୍ଚଳରେ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ଆରମ୍ଭ ହୋଇଥିଲା କେନ୍ଦ୍ରାପଡ଼ା କଲେଜ । କିଛିବର୍ଷ ପରେ ଏହା ସ୍ବୟଂଶାସିତ ମହାବିଦ୍ୟାଳୟ ମାନ୍ୟତା ମଧ୍ୟ ପାଇଥିଲା । ଏଠାରୁ ଶିକ୍ଷାଲାଭ କରି ଆଜି ଦେଶ ବିଦେଶରେ ଅନେକ ନାମ ଓ ଯଶ କମାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ କମ ନୁହେଁ । ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ସମୟରେ ପୂର୍ବତନ ପରିଚାଳନା ସମିତି ଓ କର୍ତ୍ତୃପକ୍ଷ ଯତ୍ନବାନ ହେଉଥିବା ଦେଖିବାକୁ ମିଳିଛି । ତେବେ ଯେଉଁ ମହାବିଦ୍ୟାଳୟର ରାଜ୍ୟ ତଥା ରାଜ୍ୟ ବାହାରେ ସୁନାମ ରହିଛି, ସେହି ମହାବିଦ୍ୟାଳୟରେ ପାଠ ପଢିଥିବା ଜଣେ ପୂର୍ବତନ ଛାତ୍ରଙ୍କ ସୂଚନା ମାଗିବା ଘଟଣା ଯେତିକି ଆଶ୍ଚର୍ଯ୍ୟ କରୁଛି, ତା'ଠାରୁ ଅଧିକ ମହାବିଦ୍ୟାଳୟରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତିକୁ ନେଇ ଏବେ ଜିଲ୍ଲାରେ ହଟଚମଟ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ସୂଚନା ଫଳକରୁ ହେଉଛି ଲୁଟ୍‌, RTI ବଳରେ ସାମ୍ନାକୁ ଆସିଲା ତଥ୍ୟ

RTI ତଥ୍ୟ ଖୋଲିଲା ଦୁର୍ନୀତିର ଗୁମର: ସୂଚନାଧିକାର କର୍ମୀ ତଥା ମହାବିଦ୍ୟାଳୟର ପୁରାତନ ଛାତ୍ର ଭାବରେ ଜଣାଶୁଣା ପ୍ରତାପ ମହାନ୍ତି ମହାବିଦ୍ୟାଳୟର RTI ମାଧ୍ୟମରେ ସୂଚନା ମାଗିଥିଲେ । ଏଥିରୁ କଲେଜରେ ପ୍ରତିମାସରେ ସିସିଟିଭି ସଜଡ଼ା ଓ ପ୍ରତିବର୍ଷ ଏସି କିଣା ଭଳି ତଥ୍ୟ ମିଳିଥିଲା । ସେହିପରି ଅଡିଟ୍‌ ରିପୋର୍ଟର କପି ସୂଚନାଧିକାର ଆଇନ ବଳରେ ମାଗି ପାଇବା ପରେ ସନ୍ଦେହ ବଢିଥିଲା । ଏହାକୁ ନେଇ ମହାବିଦ୍ୟାଳୟକୁ ବିଭିନ୍ନ ସମୟରେ ଆସିଥିବା ରୁସା, ୟୁଜିସି, ଇଗ୍‌ନୋ ପ୍ରଭୃତି ଅନୁଦାନ ସମେତ ବହୁ ଟଙ୍କା ହେରଫେର କରାଯାଇଥିବା ନେଇ ଅଭିଯୋଗ ହୋଇଛି ।

ତଦନ୍ତ ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ: ଆବେଦନକାରୀ ପ୍ରତାପ ମହାନ୍ତି ଉଚ୍ଚଶିକ୍ଷା ବିଭାଗକୁ ଏହି ଦୁର୍ନୀତି ସମ୍ପର୍କରେ ଅବଗତ କରିଥିଲେ । ପରେ ଉଚ୍ଚଶିକ୍ଷା ବିଭାଗ ଗତ କିଛିଦିନ ପୂର୍ବରୁ କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟର ଲୋକାଲ ଫଣ୍ଡ ଅଡିଟ୍‌ ପାଇଁ ନିର୍ଦ୍ଦେଶ ଦେଇଛି । ଚିଠି ନମ୍ବର ୪୭୨୭୬ରେ ଉଚ୍ଚଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ଲୋକାଲ ଫଣ୍ଡ ଅଡିଟରଙ୍କୁ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି । ସେହିପରି ଆବେଦନକାରୀ ପ୍ରତାପ ମହାନ୍ତିଙ୍କ ଅଭିଯୋଗରେ ଲୋକାୟୁକ୍ତ ଗତ ୪ ବର୍ଷରେ ମହାବିଦ୍ୟାଳୟକୁ ଆସିଥିବା ଅର୍ଥରାଶି ଓ ଏହାର ବିନିଯୋଗରେ ତତ୍ପରତା ଏବଂ ବାଟମାରଣା ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Job Scam: ଚାକିରି ନାଁରେ ଭୁଆଁ ବୁଲାଉଥିବା ଠକ ଗିରଫ, ସରକାରୀ ନିଯୁକ୍ତି ପାଇଁ ଦେଉଥିଲା ଫେକ୍ ଅଫର୍‌

ମୁହଁ ଖୋଲିଲେନି କଲେଜ ଅଧ୍ୟକ୍ଷ: ଏହି ଦୁର୍ନୀତି ଘଟଣାରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ପାଇଁ ଆମେ ଯୋଗାଯୋଗ କରିଥିଲୁ । ହେଲେ ସେ ଏନେଇ କିଛି କହିବେ ନାହିଁ କହି ଚୁପ ରହିଥିଲେ । ସେପଟେ ଅଧ୍ୟକ୍ଷଙ୍କ ନାଁରେ ୬୭/୧୪ରେ ଭିଜିଲାନ୍ସ ବିଭାଗର ଏକ ମାମଲା ଚାଲିଥିବାବେଳେ ସେ କିପରି ଅଧ୍ୟକ୍ଷ ହେଲେ, ସେନେଇ ତନାଘନା ଚାଲିଛି । ହେଲେ କୌଣସି ସମ୍ପର୍କରେ ମତାମତ ଦେବାକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରସ୍ତୁତ ନାହନ୍ତି ।

ଉଚିତ୍‌ ତଦନ୍ତ ଦାବିକଲେ ବୁଦ୍ଧିଜୀବୀ: ମହାବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କଠାରୁ ଟ୍ୟୁସନ ଫି, ହଷ୍ଟେଲ୍‌ ଫି ଓ ସ୍ପୋର୍ଟସ ଫି ଆଳରେ କୋଟି କୋଟି ଟଙ୍କା ଆଦାୟ ହେଉଛି । ଏହି ଟଙ୍କାରେ ଅଧ୍ୟାପକମାନେ ଠିକାଦାର ସାଜି କାମ କରିବାକୁ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି । ଏହା ସହିତ RTI ତଥ୍ୟରେ ସାମ୍ନାକୁ ଆସିଥିବା ଦୁର୍ନୀତିର ସଠିକ ତଦନ୍ତ କରି କେନ୍ଦ୍ରାପଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟର ପୂର୍ବ ଗୌରବମୟ ଗାରିମା ଫେରାଇ ଆଣିବାକୁ ନିବେଦନ କରିଛନ୍ତି ସ୍ଥାନୀୟ ଶିକ୍ଷାବିତ୍‌ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.