ETV Bharat / state

ସୂଚନା ଫଳକରୁ ହେଉଛି ଲୁଟ୍‌, RTI ବଳରେ ସାମ୍ନାକୁ ଆସିଲା ତଥ୍ୟ

author img

By

Published : Jun 23, 2023, 8:44 PM IST

ସୂଚନା ଫଳକରୁ ହେଉଛି ଲୁଟ୍‌
ସୂଚନା ଫଳକରୁ ହେଉଛି ଲୁଟ୍‌

ମନରେଗା ଯୋଜନା ଏବେ କିଛି ସରକାରୀ ବାବୁଙ୍କ ପାଇଁ ପାଲଟିଛି ଟଙ୍କା ରୋଜଗାରର ମାଧ୍ୟମ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରଣମାଲ ପଞ୍ଚାୟତର GRS ବାବୁ ଜାଲିଆତି କରି ଲକ୍ଷାଧିକ ଟଙ୍କା ଚଳୁ କରିଦେଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ସୂଚନା ଫଳକରୁ ହେଉଛି ଲୁଟ୍‌

ଭବାନୀପାଟଣା: ଗ୍ରାମାଞ୍ଚଳରେ ବିକାଶ ସହ ଚାଷୀଙ୍କ ଜମି ଓ ପୋଖରୀ ମରାମତି କରିବା ପାଇଁ ମନରେଗା ଯୋଜନା ଭଳି ଏକ ମହତ୍ବାକାଂକ୍ଷୀ ଯୋଜନା ଏବେ କିଛି ସରକାରୀ ବାବୁଙ୍କ ପାଇଁ ପାଲଟିଛି ଟଙ୍କା ରୋଜଗାରର ଏକ ମାଧ୍ୟମ । ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଜାଲିଆତି କରି ଲକ୍ଷାଧିକ ଟଙ୍କା GRS ବାବୁ ଚଳୁ କରିଦେଇଥିବା ଅଭିଯୋଗ ହୋଇଛି । ଆଉ ସୂଚନା ଅଧିକାର ଆଇନ ମାଧ୍ୟମରେ ତଥ୍ୟ ସାମ୍ନାକୁ ଆସିବା ପରେ ଏବେ ସଫେଇ ଦେଉଛନ୍ତି ସରକାରୀ କର୍ମଚାରୀ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରଣମାଲ ପଞ୍ଚାୟତ । ଆଦିବାସୀ ବହୁଳ ଏହି ପଞ୍ଚାୟତରେ ଲୋକେ ଦିନ ମଜୁରିଆ ଭାବରେ କାମ କରିବା ସହ ଚାଷ ଉପରେ ନିର୍ଭର କରନ୍ତି । ନିଜ ଜମି ମରାମତି କରିବା ପାଇଁ ଲୋକେ ପଞ୍ଚାୟତରେ ଜଣାଇବା ପରେ MGNREGA ଯୋଜନା ମାଧ୍ୟମରେ ଜମି ମରାମତି ହେଉଛି । ତେବେ ଯେଉଁ ପ୍ରକଳ୍ପ ମାଧ୍ୟମରେ କାମ ହେଉଛି ତାହାର ବିବରଣୀ ଲୋକଙ୍କୁ ଜଣାଇବା ପାଇଁ ସୂଚନା ବୋର୍ଡ ଲଗାଇବା ବାଧ୍ୟତା ମୂଳକ । ହେଲେ ପଞ୍ଚାୟତ କର୍ମଚାରୀ ସୂଚନା ଫଳକ ପାଇଁ ଆସୁଥିବା ଟଙ୍କା ହଡପ କରିନେଇଥିବା ଅଭିଯୋଗ ହୋଇଛି । ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଥିବା ତଥ୍ୟ ଅନୁଯାୟୀ ୨୦୨୨/୨୩ ଆର୍ଥିକ ବର୍ଷରେ ରଣମାଲ ପଞ୍ଚାୟତର ଅରେବେଡା ନିକଟରେ ସବ୍‌ମାଇନର କେନାଲକୁ ଗତ ଜାନୁଆରୀ ୫ ତାରିଖରେ ସଫେଇ କରାଯାଇଥିଲା । ହେଲେ ସେହି ସଫେଇ କାମ ପାଇଁ ସୂଚନା ଫଳକ ବୋର୍ଡ଼ ଲଗାନଯାଇ ବୋର୍ଡ ବାବଦକୁ ଆସିଥିବା ୫ ହଜାର ଟଙ୍କାକୁ ଜୟପାଟଣା ଅଞ୍ଚଳର ଜଣେ ଠିକାଦାର ସଞ୍ଜୟ ପଣ୍ଡାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଛଡା ଯାଇଥିବା ଜଣାପଡିଛି । କେବଳ ଏହି ଗୋଟିଏ ନୁହେଁ, ୧୩ ସ୍ଥାନରେ ମନରେଗା ଯୋଜନାରେ କାମ ହୋଇଥିଲେ ହେଁ ସେଥିରେ ସୂଚନା ଫଳକ ଲଗାଯାଇନାହିଁ । ଆଉ ସୂଚନା ଫଳକ ବାବଦକୁ ଆସିଥିବା ଟଙ୍କା ଜଣେ ଠିକାଦାର ସଞ୍ଜୟ ପଣ୍ଡାଙ୍କ ନାମରେ ଏକ ଭେଣ୍ଡର ଆଇଡି 21BFXPP600IDIZNରେ ଟଙ୍କା ଛଡା ଯାଇଥିବା ସୂଚନା ଆଇନ ବଳରେ ତଥ୍ୟ ସାମ୍ନାକୁ ଆସିଛି ।

କେବଳ ସେତିକି ନୁହେଁ, ସ୍ଥାନୀୟ ସୂଚନା ଅଧିକାର କର୍ମୀ ତୁଳସୀ ରାମ ଛାତ୍ରିଆଙ୍କ ଅଭିଯୋଗ ଓ ତଥ୍ୟ ଅନୁଯାୟୀ ରଣମାଲ ପଞ୍ଚାୟତରେ ୨୦୨୨/୨୩ ଆର୍ଥିକ ବର୍ଷରେ ମନରେଗା ଯୋଜନା ମାଧ୍ୟମରେ ୧୯ ଜଣ ଚାଷୀଙ୍କ ଜମି ମରାମତି କରାଯାଇଥିଲା । ହେଲେ ସେହି ଜମି ମରାମତି ପାଇଁ ଲାଗିବାକୁ ଥିବା ୧୯ଟି ସୂଚନା ଫଳକ ବୋର୍ଡର ଟଙ୍କାକୁ ମଧ୍ୟ ଆତ୍ମସାତ କରି ନେଇଛନ୍ତି ସ୍ଥାନୀୟ GRS ଚୂଡାମଣି ରାଉତ । ଜମି ମରାମତି ପାଇଁ ଗୋଟିଏ ବୋର୍ଡର ମୂଲ୍ୟ ୩୦୦୦ ଟଙ୍କା ଥିବାବେଳେ ସମସ୍ତ ଟଙ୍କା ସେହି ସଞ୍ଜୟ ପଣ୍ଡାଙ୍କ ଭେଣ୍ଡର ଆଇଡିରେ ଛାଡିଛନ୍ତି GRS ବାବୁ । ଏନେଇ ସ୍ଥାନୀୟ ସୂଚନା ଅଧିକାର କର୍ମୀ ଜୟପୁର ଭିଜିଲାନ୍ସ ନିକଟରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି । କେବଳ ଏହି ଗୋଟିଏ ପଞ୍ଚାୟତ ନୁହେଁ, ବରଂ ସମ୍ପୂର୍ଣ୍ଣ ବ୍ଲକରେ ଏଭଳି ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ । ତେବେ ଘଟଣାକୁ ନେଇ GRSଙ୍କୁ ପଚାରିବାରୁ କୌଣସି ସଠିକ ଉତ୍ତର କ୍ୟାମେରା ସମ୍ମୁଖରେ ରଖି ପାରିନଥିଲେ । ତେବେ ଘଟଣାକୁ ନେଇ ଆମେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟକୁ ଯାଇଥିଲୁ, ତଥ୍ୟ ପାଇବା ପରେ ସେ ଏଦିଗରେ ତଦନ୍ତ କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.