Naba Das Murder: 543 ପୃଷ୍ଠାର ଚାର୍ଜସିଟ ଦାଖଲ, ବ୍ୟକ୍ତିଗତ ଆକ୍ରୋଶରୁ ନବଙ୍କ ଜୀବନ ନେଲା ଗୋପାଳ

author img

By

Published : May 26, 2023, 12:14 PM IST

Updated : May 26, 2023, 3:32 PM IST

JMFC କୋର୍ଟରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ନବ ଦାସ ହତ୍ୟା ମାମଲାରେ JMFC କୋର୍ଟରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ । ଅଧିକ ପଢନ୍ତୁ

JMFC କୋର୍ଟରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ଝାରସୁଗୁଡା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡା JMFC କୋର୍ଟରେ ଦାଖଲ ହେଲା ଚାର୍ଜସିଟ୍ । ଆଜି (ଶୁକ୍ରବାର) କ୍ରାଇମବ୍ରାଞ୍ଚ କୋର୍ଟରେ ପ୍ରିଲିମିନାରୀ ଚାର୍ଜସିଟ୍ ଦାଖଲ କରିଛି । ଗତ ଜାନୁୟାରୀ ୨୯ ତାରିଖରେ ASI ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କ ଗୁଳି କରି ହତ୍ୟା କରିଥିଲା । ଏହି ଘଟଣାକୁ ୪ ମାସ ବିତିଥିବା ବେଳେ ଆଜି କୋର୍ଟରେ 543 ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି । ଏହି ଚାର୍ଜଟିସଟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଥିବା ସୂଚନା ମିଳିଛି । ବ୍ୟକ୍ତିଗତ ଆକ୍ରୋଶ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା ନେଇ ଚାର୍ଜସିଟରେ ଉଲ୍ଲେଖ ରହିଛି । ତେବେ ହତ୍ୟା ସମ୍ପୂର୍ଣ୍ଣ ଭାବେ ପ୍ରି-ପ୍ଲାନ୍ଡ ବା ପୂର୍ବ ନିର୍ଦ୍ଧାରିତ ଥିଲା ଏବଂ ହତ୍ୟା କରିବା ସମୟରେ ଗୋପାଳର ମାନସିକ ସ୍ଥିତି ଠିକ୍ ଥିଲା ।

ଗୋପାଳ ପାଗଳ ନୁହେଁ: JMFC କୋର୍ଟରେ ଦାଖଲ ଚାର୍ଜସିଟରେ କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି ଯେ ଗୋପାଳ ପାଗଳ ନୁହେଁ । ସମ୍ପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ସେ ନବ ଦାସଙ୍କୁ ହତ୍ୟା କରିଥିଲା । ବ୍ୟକ୍ତିଗତ ଆକ୍ରୋଶ ଓ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିଲା । ନବ ଦାସ ଓ ତାଙ୍କ ସମର୍ଥକଙ୍କ ପଟୁ ତା' ଜୀବନ ପ୍ରତି ବିପଦ ଥିବା ଗୋପାଳ ଭାବୁଥିଲା । ତେଣୁ ନବ ଦାସଙ୍କ ପ୍ରତି ଗୋପାଳ ମନରେ ଆକ୍ରୋଶ ସୃଷ୍ଟି ହୋଇଥିଲା । ହତ୍ୟା ପାଇଁ ସେ ଯୋଜନା ପ୍ରସ୍ତୁତ କରିଥିଲା । ହତ୍ୟା ପରେ ଗୋପାଳର ମାନସିକ ଅବସ୍ଥା ଠିକ୍ ନଥିବା ତା'ର ପରିବାର ଲୋକେ କହିଥିଲେ । ମେଡିକାଲ ଟିମ୍ ଗୋପାଳର ଟେଷ୍ଟ କରି ମାନସିକ ଅସ୍ବାଭାବିକତା ନଥିବା ସ୍ପଷ୍ଟ କରିଥିଲେ । ସ୍ଥାନୀୟ ଲୋକ ଓ ସମ୍ପର୍କୀୟ ମଧ୍ୟ ଗୋପାଳ ସମ୍ପୂର୍ଣ୍ଣ ସୁସ୍ଥ ଓ ସ୍ବାଭାବିକ ଥିବା କହିଥିଲେ ।

ସୂଚନା ଅନୁଯାୟୀ, ନବ ଦାସ ହତ୍ୟାକାଣ୍ଡ ଘଟଣାର ଚାର୍ଜସିଟ୍ ଦାଖଲ ପାଇଁ ଭୁବନେଶ୍ବରରୁ କ୍ରାଇମବ୍ରାଞ୍ଚ ଟିମ୍ ଗତକାଲି ରାତିରେ ଝାରସୁଗୁଡାରେ ପହଞ୍ଚିଥିଲେ । ତଦନ୍ତ ଅଧିକାରୀ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏହି ଟିମ୍ ଝାରସୁଗୁଡା ଆସିଛି । ଆଜି ପୂର୍ବାହ୍ନରେ କ୍ରାଇମବ୍ରାଞ୍ଚ ଦୁଇ ଜଣିଆ ଟିମର ଡିଏସପି ତଥା ଏହି ହତ୍ୟା ମାମଲାର ଆଇଓ ରମେଶ ଚନ୍ଦ୍ର ଦୋରାଙ୍କ ସହିତ ଜଣେ ସହଯୋଗୀ ଅଧିକାରୀ ଆସି JMFC କୋର୍ଟରେ ଚାର୍ଜସିଟ ଦାଖଲ କରିଛନ୍ତି । ଆଇପିସିର ଦଫା ୩୦୨, ୩୦୭ ଆର୍ମସ ଏକ୍ଟ ୨୭(୦୧) ଅନୁଯାୟୀ ପ୍ରେଲିମିନାରୀ ଚାର୍ଜସିଟ ଦାଖଲ କରିଥିବା ସୂଚନା ମିଳିଛି ।

୧୨୦ ଦିନ ପୂର୍ବରୁ ଚାର୍ଜସିଟ ଦାଖଲ: ୧୨୦ ଦିନ ପୂର୍ବରୁ ଏହି ହାଇପ୍ରୋଫାଇଲ ମାମଲାର ତଦନ୍ତ କରି ଚାର୍ଜସିଟ୍ ଚୂଡାନ୍ତ କରିଥିଲା ତଦନ୍ତକାରୀ ସଂସ୍ଥା । ଅଭିଯୁକ୍ତ ଏଏସ୍ଆଇ ଗୋପାଳକୃଷ୍ଣ ଦାସକୁ ଦୋଷୀ ସାବ୍ୟସ୍ତ କରିବା ଲାଗି କ୍ରାଇମବ୍ରାଞ୍ଚ ସମସ୍ତ ପ୍ରକାର ସାଇଣ୍ଟିଫିକ୍ ତଥ୍ୟ ତଥା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତିକରି ଏହି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରିଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ : ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ASIଙ୍କ ଗୁଳିମାଡ, ହସ୍ପିଟାଲରେ ଭର୍ତ୍ତି

ଗତ ଜାନୁଆରୀ ୨୯ ତାରିଖରେ ଝାରସୁଗୁଡା ବ୍ରଜରାଜନଗର ଗାନ୍ଧୀ ଛକ ଠାରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ପୋଲିସ ଏଏସ୍ଆଇ ଗୋପାଳ କୃଷ୍ଣ ଦାସର ଗୁଳିରେ ଟଳି ପଡିଥିଲେ ତତକାଳୀନ ସ୍ବାସ୍ଥ୍ୟ ତଥା ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ନବ ଦାସ । ଘଟଣାସ୍ଥଳରୁ ଅଭିଯୁକ୍ତ ଗୋପାଳକୁ ପିସ୍ତଲ ସହ ଗିରଫ କରିଥିଲା ପୋଲିସ । ଏହି ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରିଦେଇଥିଲା । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ବିରୋଧି ହଙ୍ଗାମା କରିଥିଲେ । କ'ଣ ପାଇଁ ଜଣେ ପୋଲିସ ମନ୍ତ୍ରୀଙ୍କୁ ହତ୍ୟା କଲା ସେନେଇ ସମସ୍ତଙ୍କୁ ମନରେ ପଶ୍ନ ଉଠିଥିଲା । ତେବେ କେଉଁ ପରିସ୍ଥିତିରେ ଗୋପାଳ ଏହି କାଣ୍ଡ ଘଟାଇଥିଲା ସେ ସମସ୍ତ ପ୍ରକାର ତଥ୍ୟ ଏହି ଚାର୍ଜସିଟରେ ଉଲ୍ଲେଖ କରାଯାଇଥିବା କୁହାଯାଉଛି ।

ଏହାମଧ୍ୟ ପଢନ୍ତୁ : CHSE Plus 2 Results 2023: ମେ’ ୩୧ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, 28ରେ ତାରିଖ ଘୋଷଣା

ଇଟିଭି ଭାରତ, ଝାରସୁଗୁଡା

Last Updated :May 26, 2023, 3:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.