ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ASIଙ୍କ ଗୁଳିମାଡ, ହସ୍ପିଟାଲରେ ଭର୍ତ୍ତି

author img

By

Published : Jan 29, 2023, 12:44 PM IST

Updated : Jan 29, 2023, 4:11 PM IST

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ । ମନ୍ତ୍ରୀଙ୍କୁ ଏଏସଆଇ ଗୋପାଳ ଚନ୍ଦ୍ର ଦାଶ ଗୁଳିମାଡ କରିଥିବା ସୂଚନା । ଅଧିକ ପଢନ୍ତୁ

ନବ ଦାସଙ୍କୁ ଗୁଳିମାଡ

ଝାରସୁଗୁଡା: ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ । ମନ୍ତ୍ରୀ ନବ ଦାସଙ୍କ ଛାତିରେ ଗୁଳି ବାଜିଛି । ବ୍ରଜରାଜନଗର ଗସ୍ତ ବେଳେ ଗୁଳିମାଡ ହୋଇଥିବା ସୂଚନା । ଗୁରୁତର ଅବସ୍ଥାରେ ମନ୍ତ୍ରୀଙ୍କୁ ହସ୍ପିଟାଲ ନିଆଯାଉଥିବା ସୂଚନା । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଯାଉଥିବା ବେଳେ ଗାନ୍ଧି ଛକ ନିକଟରେ ଗୁଳି କରାଯାଇଛି । ତେବେ ପୋଲିସର ଉପସ୍ଥିତିରେ ଗୁଳିମାଡ ହୋଇଥିବା ବେଳେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନାଅନୁସାରେ, ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିଜ କାରରେ ଯାଉଥିଲେ । କାରରୁ ଓହ୍ଲାଉଥିବା ବେଳେ ଖୋଦ ପୋଲିସ ASI ଗୁଳି କରିଥିବା ଜଣା ପଡିଛି । ଗାନ୍ଧି ଛକ ଫାଣ୍ଡିର ASI ଗୋପାଳ ଚନ୍ଦ୍ର ଦାଶ ଗୁଳିମାଡ କରିଥିବା ନେଇ ବ୍ରଜରାଜନଗର ଏସଡିପିଓ ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ ଉପରେ ୫ ରାଉଣ୍ଡ ଗୁଳି ଚାଳନା କରାଯାଇଥିବା ବେଳେ ଗୋଟିଏ ଗୁଳି ଛାତିରେ ବାଜିଥିବା ସୂଚନା ରହିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମନ୍ତ୍ରୀଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମନ୍ତ୍ରୀଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବା ନେଇ ଖବର ହସ୍ତଗତ ହୋଇଛି । ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏଏସଆଇ ଗୋପାଳ ଚନ୍ଦ୍ର ଦାଶଙ୍କୁ ପଚରାଉଚରା କରାଯାଉଛି । ତେବେ ଗୁଳିକାଣ୍ଡ ପଛରେ ରାଜନୈତିକ କାରଣ ରହିଛି ନା ଅନ୍ୟ କିଛି ତାହା ଅସ୍ପଷ୍ଟ ରହିଛି । ପୂର୍ବରୁ ଏଏସଆଇଙ୍କ ସହ କିଛି ରାଜନୈତିକ ଶତ୍ରୁତା ରହିଛି କି ? ଏନେଇ ବର୍ତ୍ତମାନ ପ୍ରଶ୍ନ ସୃଷ୍ଟି ହୋଇଛି । ମନ୍ତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ଏୟାର ଲିଫ୍ଟ କରାଯାଉଛି । ଭୁବନେଶ୍ବର ଆପୋଲ ହସ୍ପିଟାଲକୁ ନିଆଯାଉଥିବା ସୂଚନା ରହିଛି ।

ଏନେଇ ବ୍ରଜରାଜଗର ଏସଡିପିଓ କହିଛନ୍ତି, " ସ୍ବାସ୍ଥ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିବା ବେଳେ ଗାନ୍ଧି ଛକ ନିକଟରେ ଗାନ୍ଧି ଛକ ଫାଣ୍ଡିର ଏଏସଆଇ ଗୋପାଳ ଚନ୍ଦ୍ର ଦାସ ଗୁଳିମାଡ କରିଛନ୍ତି । କଣ ପାଇଁ କେଉଁ ପରିସ୍ଥିତିରେ ଗୁଳି ଚାଳନା କରାଗଲା ସେନେଇ ସଠିକ ତଥ୍ୟ ଆମ ପାଖରେ ନାହିଁ । ପଚରାଉଚରା ଜାରି ରହିଛି । ପରବର୍ତ୍ତୀ ସମୟରେ ସଠିକ ତଥ୍ୟ ସାମ୍ନାକୁ ଆସିବ । ଏଭଳି ଏକ ଘଟଣା ଗ୍ରହଣୀୟ ନୁହେଁ । ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । "

ମନ୍ତ୍ରୀ ସହ ହୋଇଥିବା ଅଘଟଣର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଖୁବ ଶୀଘ୍ର କ୍ରାଇମବ୍ରାଞ୍ଚର ଏକ ଟିମ ଝାରସୁଗୁଡା ଆସିବା ନେଇ ପୋଲିସ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ନବ ଦାସଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୃଢ ନିନ୍ଦା କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆକ୍ରମଣକୁ ମୁଁ ଦୃଢ ନିନ୍ଦା କରିବା ସହ ଆଶୁ ଆରୋଗ୍ୟ କାମନା କରୁଛି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ଝାରସୁଗୁଡା

Last Updated :Jan 29, 2023, 4:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.