ETV Bharat / state

Jharsuguda By Poll: ସୁରେଶଙ୍କ ଦୃଢ଼ୋକ୍ତି, 'ଝାରସୁଗୁଡ଼ାରେ ପଦ୍ମ ଫୁଟିବ'

author img

By

Published : Apr 24, 2023, 4:05 PM IST

ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ସାମ୍ବାଦିକ ସମ୍ମିଳନୀ
ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ସାମ୍ବାଦିକ ସମ୍ମିଳନୀ

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ଜାରି ରହିଛି ବିରୋଧି ଓ ଶାସକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପର ରାଜନୀତି । ଆଜି ଝାରସୁଗୁଡ଼ାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଶାସକ ଦଳ ଉପରେ ବର୍ଷିବା ସହିତ ଏହି ଉପନିର୍ବାଚନରେ ବିଜେପି ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ । ଅଧିକ ପଢ଼ନ୍ତୁ

ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ସାମ୍ବାଦିକ ସମ୍ମିଳନୀ

ଝାରସୁଗୁଡ଼ା: ପାଖେଇ ଆସୁଛି ଝାରସୁଗୁଡ଼ା ଉପନିର୍ବାଚନ । ଏହା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଜୋରଦାର ପ୍ରସ୍ତୁତିରେ ଲାଗିଛନ୍ତି । ଗଡ଼ ହାତେଇବା ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ତିନି ପ୍ରମୁଖ ଦଳ ବିଭିନ୍ନ ରଣନୀତି ଆପଣାଇଛନ୍ତି । ତେବେ ବିଭିନ୍ନ ପ୍ରସଙ୍ଗରେ ବିରୋଧି ଓ ଶାସକ ଦଳ ମୁହାଁମୁହିଁ ହେଉଥିବା ବେଳେ ଆଜି ପୁଣିଥରେ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ । ଏହା ସହିତ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଦଳ କିପରି ପ୍ରସ୍ତୁତ ହେଉଛି, ସେନେଇ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ।

ଆଜି ଝାରସୁଗୁଡ଼ା ସହରରେ ଥିବା ଏକ ଘରୋଇ ହୋଟେଲରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ସମେତ ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ, ବିଜେପିର ସାଧାରଣ ସମ୍ପାଦକ ରବି ନାଏକ, ସମ୍ବଲପୁରର ଜିଲ୍ଲା ସଭାପତି ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟିଥିବା ହିଂସା ଘଟଣାକୁ ନେଇ ବରଗଡ଼ ସାଂସଦ ସୁରେଶ ପୂଜାରୀ ପ୍ରତିକ୍ରୟା ରଖିଥିଲେ । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଦାୟୀ କରି ବର୍ଷିଥିଲେ ସୁରେଶ ପୂଜାରୀ । ଅନ୍ୟପଟେ ବିଜେପିର ପୌରାଧ୍ୟକ୍ଷ ପ୍ରାର୍ଥୀ ହୋଇଥିବା ତ୍ରିନାଥ ଗୁଆଲ ବିଜେପି ଛାଡ଼ି ବିଜେଡି ଦଳରେ ସାମିଲ ହୋଇଥିବା ଉପରେ ମଧ୍ୟ ମୁହଁ ଖୋଲିଛନ୍ତି ସାଂସଦ । ସେ କହିଛନ୍ତି, "ତ୍ରିନାଥ ପ୍ରଥମେ ବିଜୁ ଜନତା ଦଳ ଛାଡ଼ି ବିଜେପି ଦଳରେ ଯୋଗ ଦେଇଥିଲେ । କିନ୍ତୁ ପୁନର୍ବାର ସେ ବିଜୁ ଜନତା ଦଳକୁ ଫେରିଛନ୍ତି । ତେବେ ବିଜେପି ଦଳ ହେଉଛି ଗୋଟିଏ ସମୁଦ୍ର । ଏଥିରୁ ବିନ୍ଦୁଏ ଜଳ କୁଆଡ଼େ ଗଲେ ଏହା ଦଳର କ୍ଷତି ନୁହେଁ । ମେ ୧୩ ତାରିଖରେ ଝାରସୁଗୁଡ଼ା ଫଳାଫଳ ଆସିଲେ ତ୍ରିନାଥ ଅନୁତାପ କରିବେ ।" ତେବେ ବିଜେପି ଝାରସୁଗୁଡ଼ାରେ ଗତ ନିର୍ବାଚନରେ ପରାଜୟର କାରଣ ସମୀକ୍ଷା କରିବା ସହିତ ସଂଗଠନ ସୁଦୃଢ଼ କରି ଆଗକୁ ବଢ଼ିବ ବୋଲି ସେ କହିଛନ୍ତି ।

ପ୍ରକାଶ ଥାଉ କି, ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଘଟିଥିବା ହିଂସା ପରେ ଏବେ ସ୍ବାଭାବିକ ହେଉଛି ସମ୍ବଲପୁର ସ୍ଥିତି । ଲୋକଙ୍କ ପୂର୍ଣ୍ଣ ସହଯୋଗ ଏବଂ ପୋଲିସ ପ୍ରଶାସନର ଦୃଢ଼ ଉଦ୍ୟମ ଯୋଗୁଁ ସେଠାରେ ସ୍ବାଭାବିକ ଅବସ୍ଥା ଫେରୁଛି । ଅନ୍ୟପଟେ ଓଡ଼ିଶା ବିଜେପି ନେତାମାନେ ସ୍ଥିତି ସ୍ବାଭାବିକ ହେଉ ବୋଲି ଚାହୁଁ ନଥିବା ବିଜୁ ଜନତା ଦଳର ବରିଷ୍ଠ ନେତା ମୁହଁ ଖୋଲିଥିଲେ । ଏଭଳି ଘଟଣା ଜାରି ରହୁ ବୋଲି ସେମାନଙ୍କ ଦ୍ବାରା ଜାରି ବିବୃତ୍ତିରୁ ଜଣାପଡୁଛି ବୋଲି ବିଜେଡି ପକ୍ଷରୁ କୁହାଯାଇଥିଲା । ଏଭଳି ଅଭିଯୋଗ ଆଣିଥିଲେ ବିଜେଡିର ଦୁଇ ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଏବଂ ଦେବୀ ପ୍ରସାଦ ମିଶ୍ର । ତେବେ ଏହି ମନ୍ତବ୍ୟକୁ ବିଜେପି ଦୃଢ଼ ବିରୋଧ କରିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଏହାର କଡ଼ା ଜବାବ ରଖିଛି ବିଜେପି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.