ETV Bharat / state

ବିଲରେ ଚାଷୀଙ୍କୁ ଦଳିଦେଲା ଦନ୍ତା

author img

By

Published : Apr 30, 2023, 10:19 AM IST

ଢେଙ୍କାନାଳରେ ହାତୀ ଉପଦ୍ରବ
ଢେଙ୍କାନାଳରେ ହାତୀ ଉପଦ୍ରବ

ଚାଷ ଜମିକୁ ଯାଉଥିବା ବେଳେ ବିଲ ହୁ଼ଡାରେ ଚାଷୀଙ୍କୁ କଚାଡି ମାରିଲା ଦନ୍ତା । ମୃତକ ହେଲେ କୁରୁମ ଟାଙ୍ଗର ଗ୍ରାମର ଶ୍ରୀକାନ୍ତ ପରିଡା । କ୍ଷତିପୂରଣ ଦାବିରେ ଉତ୍ତେଜନା ଜାରି । ଅଧିକ ପଢନ୍ତୁ

ଢେଙ୍କାନାଳରେ ହାତୀ ଉପଦ୍ରବ

ଢେଙ୍କାନାଳ: ଜିଲ୍ଲାରେ ହାତୀ ମଣିଷ ଲଢେଇ କମିବାର ନା ନେଉନି । କେତେବେଳେ ହାତୀ ତ କେତେବେଳେ ମଣିଷ ବଳି ପଡୁଛି । ଆଜି ପୁଣି ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ କୁରୁମଟାଙ୍ଗର ଗ୍ରାମରେ ଘଟିଛି ଏହି ଘଟଣା । ବିଲକୁ କାମ କରିବାକୁ ଯାଇଥିବା ସମୟରେ ହାତୀ ଆକ୍ରମଣରେ ଚାଷୀଙ୍କର ମୃତ୍ୟୁ ଘଟିଛି । ମୃତ ଚାଷୀ ହେଲେ କୁରୁମ ଟାଙ୍ଗର ଗ୍ରାମର ଶ୍ରୀକାନ୍ତ ପରିଡା ।

ସୂଚନାଅନୁସାରେ, ଶ୍ରୀକାନ୍ତ ବିଲକୁ ଯାଉଥିବାବେଳେ ଗାଁ ମୁଣ୍ଡ ପୋଖରୀ ନିକଟରେ ଥିବା ବିଲ ହୁଡାରେ ଏକ ଦନ୍ତା ଟେକି କଚାଡି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ଆକ୍ରମଣ କରିଥିବା ଦନ୍ତା ହାତୀଟି ଗତ କିଛିଦିନ ହେଲା ଏହି ଅଞ୍ଚଳରେ ଉପଦ୍ରବ କରୁଥିବାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ରହିଥିଲା । ଏହି ହାତୀକୁ ଘଉଡାଇବା ସହ ମୃତକ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ପରିବାର ସହ ଗ୍ରାମବାସୀ ଅଡି ବସିଛନ୍ତି । ଘଟଣାସ୍ଥଳକୁ ସଦର ରେଞ୍ଜର ଓ ବନ କର୍ମଚାରୀ ମାନେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଲୋକଙ୍କୁ ବୁଝାସୁଝା ଜାରି ରଖିଛନ୍ତି ।

ପ୍ରକାଶଥାଉକି, ଗତ ଏପ୍ରିଲ ୨୧ ତାରିଖରେ ଜଣକୁ ଦଳି ଦେଇଥିଲା ଦନ୍ତା । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ଗୁରିଲୋ କାଜୁ ଜଙ୍ଗଲରେ ହାତୀ ଆକ୍ରମଣରେ ଜଣେ ପ୍ରାଣ ହରାଇଥିଲେ । ସୁରେଶ କାଜୁ ତୋଳିବାକୁ ତବକ ଗ୍ରାମ ପାଖ ଜଙ୍ଗଲକୁ ସକାଳେ ଯାଇଥିବା ବେଳେ ସେଠାରେ ହାତୀ ହାବୁଡରେ ପଡି ଯାଇଥିଲେ। ଫଳରେ ହାତୀ ତାଙ୍କୁ କଚାଡି ମାରି ଦେଇଥିଲା । ସେପଟେ ମୃତ୍ୟୁ ଖବର ପାଇବା ପରେ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ବନ କର୍ମଚାରୀଙ୍କ ଅବହେଳାକୁ ଦାୟୀ କରି ଗ୍ରାମବାସୀ ରାସ୍ତା ଅବରୋଧ କରିବା ସହ ମୃତକ ପରିବାରକୁ କ୍ଷତି ପୂରଣ ପ୍ରଦାନ ଓ ହାତୀ ମାନଙ୍କ କବଳରୁ ସୁରକ୍ଷା ଦାବି କରାଯାଇଥିଲା । ଫଳରେ ପୁରୁଣା କଟକ ସମ୍ବଲପୁର ରାସ୍ତାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା । ଏନେଇ ସାତମାଇଲି ଛକରେ ଉତ୍ତେଜନା ଦେଖାଦେଇଥିବା ବେଳେ ଘଟଣାସ୍ଥଳକୁ ବାଲିମି ପୋଲିସ ପହଞ୍ଚି ବୁଝାସୁଝା କରିଥିଲା ।

ହାତୀ ମଣିଷ ଲଢେଇରେ କେତେବେଳେ ମଣିଷ ତ ଆଉ କେତେବେଳେ ହାତୀ ବଳି ପଡୁଛନ୍ତି । ଏସବୁ ମଧ୍ୟରେ ବନ କର୍ମଚାରୀଙ୍କ ଅବହେଳା ପାଇଁ ହାତୀମାନେ ମଣିଷର ଟାର୍ଗେଟ ହୋଇ ଗଲେଣି । ଫଳରେ ହାତୀ ଶିକାରୀଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛି । ଆଉ ଏପଟେ ହାତୀମାନେ ଗାଁ ଗାଁରେ ପଶି ଉପଦ୍ରବ କରୁଥିବାରୁ ବାଡ଼ି ବଗିଚା, ଫସଲ ସବୁ ଉଜୁଡି ଗଲାଣି । ତଥାପି ହାତୀମାନଙ୍କ ପ୍ରାଦୁର୍ଭାବ କମୁ ନାହିଁ । ଯାହା ଫଳରେ ହାତୀ ଆକ୍ରମଣ ଜନିତ ଘଟଣା ଢେଙ୍କାବଳ ଜିଲ୍ଲାରେ ଏକ ନିତିଦିନିଆ ଖବର ହୋଇଗଲାଣି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.