ETV Bharat / state

ତାଣ୍ଡବ ରଚିଲେ ହାତୀପଲ, ଫସଲ ନଷ୍ଟ କରିବା ସହ ଭାଙ୍ଗିଲେ ଘର

author img

By ETV Bharat Odisha Team

Published : Dec 21, 2023, 7:04 AM IST

ତାଣ୍ଡବ ରଚିଲେ ହାତୀପଲ
ତାଣ୍ଡବ ରଚିଲେ ହାତୀପଲ

Elephants terror in Deogarh: ତାଣ୍ଡବ ରଚିଲେ ହାତୀପଲ । ଖାଇଲେ ଧାନଫସଲ, ଭାଙ୍ଗିଲେ ଘରଦ୍ୱାର ଓ ମାରିଲେ ଗାଈଗୋରୁ ଓ ଛେଳି । ବେସାହାରା ହୋଇଗଲେ ଗାଁର 4 ଟି ପରିବାର । ଅଧିକ ପଢ଼ନ୍ତୁ

ତାଣ୍ଡବ ରଚିଲେ ହାତୀପଲ

ଦେବଗଡ଼: ରାତିସାରା ତାଣ୍ଡବ ରଚିଲେ ହାତୀପଲ । ଖାଇଲେ ଧାନଫସଲ, ଭାଙ୍ଗିଲେ ଘରଦ୍ୱାର ଓ ମାରିଲେ ଗାଈଗୋରୁ ଓ ଛେଳି । ବେସାହାରା ହୋଇଗଲେ ଗାଁର 4ଟି ପରିବାର । ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ କଲଣ୍ଡା ପଞ୍ଚାୟତ ଅନ୍ତର୍ଗତ ଚଡକମରା ଗ୍ରାମରେ ।

ଦେବଗଡ଼ ଜିଲ୍ଲାରେ ଦିନକୁ ଦିନ ହାତୀ ଉପଦ୍ରବ ଅସହ୍ୟ ହେବାରେ ଲାଗିଛି । ହାତୀପଲ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ନାହିଁ ନଥିବା କ୍ଷୟକ୍ଷତି ଘଟାଇ ଚାଲିଥିବା ବେଳେ ଦିନକୁ ଦିନ ସେମାନଙ୍କ ସ୍ଵଭାବ ହିଂସ୍ର ହେବାରେ ଲାଗିଛି । ହାତୀପଲଙ୍କ ଏମିତି ଏକ ତାଣ୍ଡବ ଗତ ରାତିରେ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ କଲଣ୍ଡା ପଞ୍ଚାୟତ ଅନ୍ତର୍ଗତ ଛଡ଼ାକମରା ଗ୍ରାମରେ । ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ 9ଟା ସମୟରେ ହଦମୁଣ୍ଡା ସଂରକ୍ଷିତ ଜଙ୍ଗଲରୁ ପ୍ରାୟ 25ଟି ହାତୀପଲ ଛଡ଼କମରା ଗାଁକୁ ଆସିଥିଲେ । ହାତୀପଲଙ୍କ ରଡି ଶୁଣି ଗାଁ ଲୋକେ ଭୟରେ ଘରଦ୍ୱାର ଛାଡି ପିଲାଛୁଆଙ୍କୁ ନେଇ ଦୂରକୁ ଚାଲି ଯାଇଥିଲେ । ସକାଳୁ ଘରକୁ ଫେରିବା ପରେ ଗାଁରେ ହାତୀପଲଙ୍କ ତାଣ୍ଡବଲୀଳା ଦେଖିବାକୁ ପାଇଥିଲେ ଗ୍ରାମବାସୀ । ହାତୀପଲ ଗାଁର 4ଟି ଘର ଭାଙ୍ଗି ସମ୍ପୂର୍ଣ୍ଣ ଧୂଳିସାତ କରିଦେଇଥିବା ବେଳେ ଖଳାରେ ଗଦା ହୋଇଥିବା ଧାନ ଓ ଘରେ ଥିବା ଖାଦ୍ୟପଦାର୍ଥ ଖାଇବା ସହ ନଷ୍ଟ କରି ଚାଲି ଯାଇଥିଲେ ।

କେବଳ ସେତିକି ନୁହଁ, ହାତୀପଲଙ୍କ ଆକ୍ରମଣରୁ ବର୍ତ୍ତି ପାରିନଥିଲେ ଗୃହପାଳିତ ପଶୁ । ଗାଁର ଦୁଇଟି ପରିବାରର ତିନୋଟି ବଳଦ ଓ ଚାରିଗୋଟି ଛେଳିକୁ ହାତୀ କଚାଡି ମାରି ଦେଇଥିବା ଦୃଶ୍ୟ ସମସ୍ତଙ୍କୁ ଆତଙ୍କିତ କରିଛି । ଗୁହାଳ ଘର ଭାଙ୍ଗି ବଳଦ ଓ ଛେଳିଙ୍କୁ ତଳେ କଚାଡି ମାରି ଦେଇଛନ୍ତି ହିଂସ୍ର ହାତୀପଲ । ହାତୀପଲ ମଧ୍ୟରେ ଥିବା ଗୋଟିଏ ଦନ୍ତାହାତୀ ଅଧିକ ହିଂସ୍ର ହୋଇ ଘରଦ୍ୱାର ଭାଙ୍ଗିବା ସହ ଗୃହପାଳିତ ପଶୁଙ୍କୁ ମାରି ଦେଇଥିବା ଲୋକେ ଅଭିଯୋଗ କରିଛନ୍ତି । ହାତୀପଲଙ୍କ ଏହି ତାଣ୍ଡବଲୀଳା ସମୟରେ ଗ୍ରାମବାସୀ ଦେବଗଡ଼ ବନବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀମାନେ ତୁରନ୍ତ ଗାଁକୁ ପହଞ୍ଚି ହାତୀପଲଙ୍କୁ ଘଉଡାଇବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଶେଷରେ ବିଫଳ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....ବରଗଡ଼ରେ ମାତିଛି ରକ୍ତମୁଖା ଦନ୍ତା, ଦୁଇ ଜଣଙ୍କ ନେଲା ଜୀବନ

ତେବେ ସବୁଠାରୁ ଦୁଃଖର ବିଷୟ ହେଉଛି ଯେ, ଗାଁର ଚାରୋଟି ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବାରୁ ଚାରୋଟି ପରିବାର ବାସହରା ହୋଇ ପଡିଛନ୍ତି । ପ୍ରବଳ ଥଣ୍ଡାରେ ମୁଣ୍ଡ ଗୁଞ୍ଜିବା ପାଇଁ ସେମାନଙ୍କ ପାଖରେ ଘର ଖଣ୍ଡେ ନାହିଁ । ତେଣୁ ଗାଁର ଅନ୍ୟ ଲୋକଙ୍କ ଘରେ ଆଶ୍ରୟ ନେଇଛନ୍ତି । ଘରେ ଥିବା ଖାଦ୍ୟ ଶସ୍ୟ ମଧ୍ୟ ହାତୀପଲ ଖାଇ ଦେଇଥିବାରୁ ଏହି ପରିବାର ପାଖରେ ଖାଇବାକୁ ସୁଦ୍ଧା ଆହାର ନାହିଁ । ଗାଁ ଲୋକଙ୍କ ଆଶ୍ରାରେ ଦିନ କାଟୁଛନ୍ତି । ଏଭଳି ସ୍ଥିତିରେ ଏହି କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ ସରକାରୀ ସହାୟତା ଓ ସୁରକ୍ଷା ଯୋଗାଇ ଦିଆଯିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.