ETV Bharat / state

ଯବାନଙ୍କ ଦଶାହ କାର୍ଯ୍ୟରେ ଅଘଟଣ: ନଦୀରେ ବୁଡ଼ି ଦୁଇ ମୃତ, ଜଣେ ଉଦ୍ଧାର

author img

By ETV Bharat Odisha Team

Published : Oct 17, 2023, 4:50 PM IST

Updated : Oct 17, 2023, 9:27 PM IST

ଯବାନଙ୍କ ଦଶାହ ତୁଠରେ ଅଘଟଣ
ଯବାନଙ୍କ ଦଶାହ ତୁଠରେ ଅଘଟଣ

ଯବାନଙ୍କ ଦଶାହ ତୁଠରେ ଅଘଟଣ । ତୁଠ ଖଟିବା ବେଳେ ନଦୀରେ ଭାସି ଗଲେ 3ଜଣ ଯୁବକ । ଦୁଇ ମୃତ୍ୟୁ ଜଣେ ଉଦ୍ଧାର । ଅଧିକ ପଢନ୍ତୁ

ଯବାନଙ୍କ ଦଶାହ ତୁଠରେ ଅଘଟଣ

ଜଗତସିଂହପୁର/ନିଆଳି: ଜଗତସିଂହପୁର ବିରିଡି ଥାନା ବାରେଡ଼ିଆ ଗ୍ରାମକୁ ଛାଡୁନି ଦୁଃଖ । ଗାଁରେ ଗଡୁଛି ଗୋଟେ ପରେ ଗୋଟେ ମୁଣ୍ଡ । ଦଶ ଦିନ ତଳେ 32 ବର୍ଷୀୟ ବିଏସଏଫ ଯବାନ ସତ୍ୟ ରଞ୍ଜନ ପାଲଙ୍କ ମୃତ୍ୟୁ ଘଟିଥିଲା । ଭୁବନେଶ୍ୱରରୁ ଘରକୁ ଫେରୁଥିବା ବେଳେ ଗୋବିନ୍ଦପୁର ଥାନା ବଗଲପୁର ଝାରପଡ଼ା ରାସ୍ତାର ଚଉପଡା ବୁଲାଣି ଠାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ପଥରରେ ପିଟିହୋଇ ଯାଇଥିଲେ ଯବାନ । ଘଟଣାସ୍ଥଳରେ ଯବାନ ସତ୍ୟଙ୍କ ଅକାଳ ବିୟୋଗ ଘଟିଥିଲା । ଏହି ଶୋକ ସ୍ଥାନୀୟ ଅଞ୍ଚଳବାସୀ ଓ ପରିବାର ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ଘଟିଛି ଅଘଟଣ । ଯବାନଙ୍କ ଦଶାହ ତୁଠରେ 3ଜଣ ଯୁବକ ନଦୀରେ ଭାସି ଯାଇଥିଲେ । ଦୁଇଜଣଙ୍କ ନଦୀରେ ବୁଡି ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଅଳ୍ପକେ ବଞ୍ଚି ଯାଇଥିବା ସୂଚନା ମିଳିଛି ।

ତେବେ ସୂଚନା ଅନୁଯାୟୀ, ଯବାନଙ୍କ ଦଶାହ ତୁଠ କାର୍ଯ୍ୟ ଦେବୀ ନଦୀର ବାରେଡିଆ ଅନଢେଇସାହି ପୋଲ ଠାରେ ହେଉଥିଲା । ଏହି ସମୟରେ ଦେବୀ ନଦୀର ପ୍ରଖର ସ୍ରୋତରେ ତିନି ଜଣ ଭାସି ଯାଇଥିଲେ । ସେମାନେ ହେଲେ ସ୍ବର୍ଗତ ଯବାନଙ୍କ ଦାଦା ପୁଅ ଭାଇ 18 ବର୍ଷୀୟ ବାବୁଲ ପାଲ ଓ ବଡ ବାପାଙ୍କ ପୁଅ 35 ବର୍ଷିୟ ଅଧ୍ୟାପକ ରିଙ୍କୁ ପାଲ ଓ ଅନ୍ୟ ଜଣେ 19 ବର୍ଷୀୟ ଭାଇ ପି.କେ.ଅନ୍ୱେଷ ନଦୀ ସ୍ରୋତରେ ଭାସି ଯାଇଥିଲେ । ପରିବାର ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ହେଲେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚିବାରେ ବିଳମ୍ବ ହେବାରୁ ଗ୍ରାମବାସୀମାନେ 3ଜଣଙ୍କର ଉଦ୍ଧାର କରିଥିଲେ ।

ଅଧିକ ପଢନ୍ତୁ...ବ୍ରାହ୍ମଣୀ ନଦୀରେ ବୁଡି ପ୍ରାଣ ହରାଇଲେ 2 ସମ୍ପର୍କୀୟ ଭାଇ

ବହୁକଷ୍ଟରେ ସେମାନଙ୍କୁ ଉଦ୍ଧାର କରି କଟକ ଜିଲ୍ଲା ଅଡଶପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ରିଙ୍କୁ ଓ ବାବୁଲ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ।‌ ଅନ୍ୟ ଜଣେ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ଯାହାକୁ ନେଇ ଗ୍ରାମ ଓ ପରିବାରରେ ଶୋକର ଛାୟା ଖେଳି ଯାଇଛି । ଘଟଣା ସ୍ଥଳରେ ପୋଲିସ ପହିଞ୍ଚି ମୃତକୁ ବ୍ଯବଚ୍ଛେଦ ପାଇଁ କଟକ ପଠାଇଛି । ଦୁର୍ଘଟଣା ପରେ ଦୁର୍ଘଟଣା ପରିବାରର ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି । ଘର ଗୋଟିଏ ପୁଅକୁ ହରାଇ ତାର ଶୋକ ପାଳନ କରୁଥିବା ବେଳେ ଦଇବ ପୁଣି ଆଉ ଦୁଇ ପୁଅଙ୍କୁ ସାଙ୍ଗରେ ନେଇ ପରିବାର ଉପରେ ଦାଉ ସାଧିଛି ।

ଇଟିଭି ଭାରତ, ନିଆଳି

Last Updated :Oct 17, 2023, 9:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.