ETV Bharat / state

Train Crash: କରମଣ୍ଡଳରେ ବସିଥିଲା ପୁଅ, ୩ ଦିନ ପରେ ହସ୍ପିଟାଲରେ ପାଇଲେ ନେପାଳ ଦମ୍ପତି

author img

By

Published : Jun 7, 2023, 11:58 AM IST

କରମଣ୍ଡଳରେ ବସିଥିବା ପୁଅକୁ ଖୋଜି ଖୋଜି ଓଡ଼ିଶାରେ ପହଞ୍ଚିଲେ ନେପାଳ ଦମ୍ପତି । କଟକ ବଡ ମେଡିକାଲରେ ମିଳିଲା ହଜିଲା ପୁଅ । ଅଧିକ ପଢନ୍ତୁ

Teenage Nepali survivor reunites with parents
Teenage Nepali survivor reunites with parents

କଟକ: ସୁଦୂର ନେପାଳରୁ ୩ ଜଣ ସମ୍ପର୍କୀୟଙ୍କ ସହ ଭାରତ ବୁଲିବାକୁ ଆସିଥିଲେ ୧୫ ବର୍ଷୀୟ ରାମାନନ୍ଦ । ସମସ୍ତେ ଶାଲିମାରରୁ କରମଣ୍ଡଳ ଏକ୍ସପ୍ରେସରେ ବସିଥିଲେ । ବାଟରେ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଭାରତ ଆସିଥିବା ନିଜ ପିଲାଙ୍କର ଆଉ କୌଣସି ଖୋଜ ଖବର ପାଇନଥିଲେ ନେପାଳରେ ରହୁଥିବା ବାପାମାଆ । ପୁଅ ମୃତ କି ଜୀବିତ ତାହା ବି ଜାଣିନଥିଲେ । ତେଣୁ ପୁଅକୁ ଖୋଜିବାକୁ ନେପାଳରୁ ଓଡ଼ିଶା ଚାଲି ଆସିଥିଲେ । ଏ ହସ୍ପିଟାଲରୁ ସେ ହସ୍ପିଟାଲକୁ ବୁଲି ବୁଲି ପୁଅକୁ ଖୋଜୁଥିଲେ । ଶେଷରେ ଦୁର୍ଘଟଣାର ୩ ଦିନ ପରେ କଟକ ବଡ ମେଡିକାଲ ବେଡ୍‌ରେ ନିଖୋଜ ୧୫ ବର୍ଷୀୟ ନାବାଳକ ପୁଅକୁ ଫେରି ପାଇଛନ୍ତି ବାପାମାଆ । ପୁଅକୁ ଜୀବିତ ଦେଖି ଖୁସିରେ ଫାଟି ପଡିଛନ୍ତି ଏହି ନେପାଳ ଦମ୍ପତି । ଯାହା ସମ୍ପର୍କରେ ଏସସିବି ପକ୍ଷରୁ ସୂଚନା ଦିଆଯାଇଛି ।

ସାଥିରେ ଆସିଥିବା ୩ ଜଣ ଆଖି ବୁଜିଥିଲେ:

ରାମାନନ୍ଦ ପାଶୱାନି ନାମକ ୧୫ ବର୍ଷୀୟ ନାବାଳକ ନିଜର ୩ ଜଣ ସମ୍ପର୍କୀୟଙ୍କ ସହ କୋଲକାତା ଆସିଥିଲେ । ସେଠାରେ କରମଣ୍ଡଳ ଟ୍ରେନରେ ବସି ଯାତ୍ରା କରୁଥିଲେ । କିନ୍ତୁ ଏହି ଯାତ୍ରା ଯେ ସେମାନଙ୍କ ଶେଷ ଯାତ୍ରା ହେବ କେହି ଜାଣିନଥିଲେ । ବାଲେଶ୍ବର ବାହାନଗା ଠାରେ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରେନ । ଏଥିରେ ରାମାନନ୍ଦଙ୍କ ସାଥିରେ ଆସିଥିବା ଅନ୍ୟ ୩ ଜଣ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଗଲା । କିନ୍ତୁ କୌଣସି ଚମତ୍କାର ଭଳି ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ରାମାନନ୍ଦ । ଗୁରୁତର ଅବସ୍ଥାରେ ସେ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ହଜିଲା ପୁଅକୁ ଖୋଜି ପାଇଲେ:

ସେପଟେ ପୁଅ ଯାଉଥିବା ଟ୍ରେନ ଦୁର୍ଘଟଣା ହେବା ଖବର ଜାଣି ଦୁଃଖରେ ଭାଙ୍ଗି ପଡିଥିଲେ ନେପାଳରେ ଥିବା ରାମାନନ୍ଦଙ୍କ ବାପାମାଆ । ପୁଅକୁ ଖୋଜିବାକୁ ସଙ୍ଗେ ସଙ୍ଗେ ନେପାଳରୁ ଓଡ଼ିଶା ଚାଲି ଆସିଥିଲେ । ସବୁ ହସ୍ପିଟାଲ ବୁଲି ବୁଲି ଖୋଜିଥିଲେ ହେଁ ପାଇନଥିଲେ । ସେମାନେ ଭୁବନେଶ୍ବର ଏମ୍ସରେ ପୁଅକୁ ଖୋଜିବା ସମୟରେ କିଛି ଗଣମାଧ୍ୟମ ପ୍ରତିନିଧି ସେଠାରେ ଖବର ସଂଗ୍ରହ କରୁଥିଲେ । ଏହି ସମୟର ଦୃଶ୍ୟ ପ୍ରସାରଣ ହେବା ବେଳେ ମେଡିକାଲରେ ଚିକିତ୍ସାଧୀନ ଥିବା ରାମାନନ୍ଦ ଟିଭି ପରଦାରେ ନିଜର ବାପାମାଆଙ୍କୁ ଦେଖି ଚିହ୍ନି ପାରିଥିଲେ । ଏ ସମ୍ପର୍କରେ ସେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ତାଙ୍କ ବାପାମାଆଙ୍କ ସହ ଯୋଗାଯୋଗ କରାଯାଇଥିଲା ।

ଏହାପରେ ରାମାନନ୍ଦଙ୍କ ବାପାମାଆ କଟକ ବଡ ମେଡିକାଲରେ ପହଞ୍ଚି ନିଜ ପୁଅକୁ କୋଳାଇ ଧରିଥିଲେ । ପୁଅ ବଞ୍ଚି ଥିବାର ଆଶା ଛାଡି ଦେଇଥିବା ବାପାମାଆ ତାଙ୍କୁ ଜୀବିତ ଦେଖି ଖୁସିରେ ଗଦ ଗଦ ହୋଇଯାଇଥିଲେ । ହସ୍ପିଟାଲ ବେଡରେ ଏହି ନେପାଳୀ ପରିବାରର ମିଳନ ହୋଇଥିଲା । ଏହି ସମୟରେ ସେଠାରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.