ETV Bharat / state

ଥାନା ଅବକାରୀ ଓ ବନ ବିଭାଗ କାର୍ଯ୍ୟାଳୟ ଆଗରେ ପଡି ରହୁଥିବା ଜବତ ଗାଡିକୁ ଛାଡିବାକୁ ନୀତି ପ୍ରସ୍ତୁତ କର: ହାଇକୋର୍ଟ

author img

By ETV Bharat Odisha Team

Published : Jan 19, 2024, 12:07 PM IST

High court on seized vehicle
ଓଡିଶା ହାଇକୋର୍ଟ

High court on seized vehicle release: ପୋଲିସ ଷ୍ଟେସନ, ଅବକାରୀ କାର୍ଯ୍ୟାଳୟ, ବନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଜବତ ଗାଡିଗୁଡିକ ଯଥାଶୀଘ୍ର ଛାଡିବା ନେଇ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏ ସମ୍ପର୍କିତ ନିୟମ ସଂଶୋଧନ କରିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ


କଟକ: ପୋଲିସ ଷ୍ଟେସନ, ଅବକାରୀ କାର୍ଯ୍ୟାଳୟ, ବନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଜବତ ଗାଡି ଗୁଡିକ ଯଥାଶୀଘ୍ର ଛାଡିବା ନେଇ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ । ଖରା ବର୍ଷାରେ ଦୀର୍ଘ ଦିନ ଧରି ଗାଡି ପଡିରହୁଥିବାରୁ ଏନେଇ ଉଦବେଗ ପ୍ରକାଶ କରିଛନ୍ତି ଉଚ୍ଚ ନ୍ୟାୟାଳୟ । ତେବେ ପରିବହନ କମିଶନର ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି । ନିୟମ କାନୁନରେ କୋହଳ କରିବା ସମ୍ପର୍କରେ ଅନୁଶୀଳନ କରି ପରିବହନ କମିଶନର ସତ୍ୟପାଠ ଦାଖଲ କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଫେବୃଆରୀ 7କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।

ତେବେ ଗଞ୍ଜେଇ ଚାଲାଣ ଅଭିଯୋଗ ମାମଲାରେ ଆବେଦନକାରୀଙ୍କ ଏକ କାର ଫିରିଙ୍ଗିଆ ଥାନା ପୁଲିସ ୨୦୧୯, ଏପ୍ରିଲ ୨୫ରେ ଜବତ କରିଥିଲା । ମାମଲା ବିଚାରାଧୀନ ଥିବା ବେଳେ ଜବତ ଗାଡ଼ି ଜିମାରେ ଛାଡ଼ିବାକୁ ନ‌ିବେଦନ କରି ଆବେଦନକାରୀ ଦାଖଲ କରିଥିବା ଆବେଦନ ନିମ୍ନ ଅଦାଲତରେ ଖାରଜ ହୋଇଥିଲା । ଏହାପରେ ନିମ୍ନ ଅଦାଲତ ନିର୍ଦ୍ଦେଶ ବିରୋଧରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ବିଭିନ୍ନ ମାମଲାରେ ଜବତ ଗାଡ଼ି ଗୁଡ଼ିକ ଅନେକ ସମୟରେ ପୋଲିସ ଥାନା, ଅବକାରୀ ବିଭାଗ ଓ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଖୋଲା ଆକାଶ ତଳେ ବର୍ଷ ବର୍ଷ ଧରି ପଡ଼ି ରହିବା ପ୍ରସଙ୍ଗକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଥିଲେ । ଏଥି ସହିତ ଆବଶ୍ୟକ ସର୍ତ୍ତ ଧାର୍ଯ୍ୟ କରି ଆବେଦନକାରୀଙ୍କ ଜିମାରେ ଜବତ ଗାଡ଼ି ଛାଡ଼ିବାକୁ ନିମ୍ନ ଅଦାଲତଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗରେ ସରକାର ନୀତି ପ୍ରଣୟନ କରିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ନୂଆ ଜିଲ୍ଲା ଘୋଷଣାରେ ଅଙ୍କୁଶ, ଜିଲ୍ଲା ଗଠନ ପାଇଁ ଜରୁରୀ ହାଇକୋର୍ଟଙ୍କ ଅନୁମତି

ଥାନା, ଅବକାରୀ କାର୍ଯ୍ୟାଳୟ, ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବର୍ଷ ବର୍ଷ ଧରି ଗଦା ଗଦା ଜବତ ଗାଡ଼ି ପଡି ରହୁଛି । ସିଧା ସଳଖ ଖରା ବର୍ଷାରେ ଗାଡ଼ି ଗୁଡିକ ପଡିରହୁଥିବାରୁ ଏଗୁଡିକ ଖରାପ ହୋଇଯାଉଛି । ଯାହାକୁ ନେଇ ଓଡିଶା ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । ତେବେ ପରିବହନ କମିଶନର ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି । ଯାହାଫଳରେ ଖରା ବର୍ଷାରେ ପଡ଼ି ରହୁଥିବା ଗାଡି ଗୁଡିକ ଆଉ ଖରାପ ହେବ ନାହିଁ କିମ୍ବା ନଷ୍ଟ ହେବ ନାହିଁ ବୋଲି କୋର୍ଟ ଅନୁଭବ କରିଛନ୍ତି । ସେହିପରି ପୋଲିସ ଥାନା, ଅବକାରୀ ଓ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଜବତ ଗାଡ଼ିକୁ ହଟାଗଲେ ଭିଡ଼ ସମସ୍ୟା ମଧ୍ୟ ହ୍ରାସ ହେବ ବୋଲି ହାଇକୋର୍ଟ କହିଛନ୍ତି । ନିୟମ କାନୁନରେ କୋହଳ କରିବା ସମ୍ପର୍କରେ ଅନୁଶୀଳନ କରି ପରିବହନ କମିଶନର ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଜିତନ୍ଦ୍ରେ କୁମାର ଦିଗଲଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ..ଏପ୍ରିଲ ୩୦ ସୁଦ୍ଧା ସରିବ ଜଗମୋହନ-ନାଟ୍ୟମଣ୍ଡପ ମରାମତି କାମ, କୋର୍ଟଙ୍କୁ ଅବଗତ କଲେ ଆମିକସକ୍ୟୁରୀ

ଅନ୍ୟପକ୍ଷରେ କେତେକ ଆଇନଗତ କଟକଣା ପାଇଁ ଜବତ ଗାଡ଼ି ଗୁଡ଼ିକ ଉପଯୁକ୍ତ ବ୍ୟକ୍ତିଙ୍କ ଜିମାରେ ଛଡା ଯାଇ ପାରୁ ନାହିଁ ବୋଲି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା । ଏହି ପ୍ରସଙ୍ଗରେ ସଂଶୋଧନ ପ୍ରସଙ୍ଗ ଅନୁଧ୍ୟାନ କରାଯିବ ଓ ଏକ ନୀତି ପ୍ରଣୟନ ପାଇଁ ରାଜ୍ୟ ସରକାର ଆନ୍ତରିକ ଉଦ୍ୟମ କରିବେ, ଯାହା ଦ୍ବାରା କିଛି କଠୋର ସର୍ତ୍ତ ଧାର୍ଯ୍ୟ କରି ଜବତ ଗାଡ଼ି ଗୁଡ଼ିକ ମାଲିକ ବା ଉପଯୁକ୍ତ ବ୍ୟକ୍ତିଙ୍କ ଜିମାରେ ଛଡ଼ା ଯାଇ ପାରିବ ବୋଲି ହାଇକୋର୍ଟ କହିଛନ୍ତି । ଏହି ନିର୍ଦ୍ଦେଶର ଏକ କପି ପରିବହନ ବିଭାଗ ଷ୍ଟାଣ୍ଡିଂ କାଉନସିଲଙ୍କୁ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫେବୃଆରୀ ୭କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.