ETV Bharat / state

ଶ୍ରାବଣରେ ଶୁଖିଲା ଜମି; ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀକୂଳ ହତାଶ

author img

By

Published : Jul 9, 2023, 2:08 PM IST

less rainfall in niali
less rainfall in niali

ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ । ପାଣି ଅଭାବ ଯୋଗୁଁ ଚାଷୀକୂଳ ହତାଶ । ଅଧିକ ପଢନ୍ତୁ

less rainfall in niali

ନିଆଳି: ଆଷାଢ ସରି ଶ୍ରାବଣ ଆସିଲାଣି । ହେଲେ ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ଘୋର ବାଧାପ୍ରାପ୍ତ ହୋଇଛି । ମୌସୁମୀ ବାୟୁ ଦୁର୍ବଳ ହେତୁ ବର୍ଷାର ପରିମାଣ କମ୍ ରହିଛି । ପାଣି ଅଭାବ ଯୋଗୁଁ ଚାଷୀକୂଳ ହତାଶ ହୋଇପଡିଛି । ଧାରା ଶ୍ରାବଣରେ ନିଅଣ୍ଟିଆ ବର୍ଷା ଯୋଗୁଁ ଆଗେଇ ପାରୁନି ଚାଷ କାମ । ବର୍ଷାର ଆଗମନ ଦେଖି ଚାଷୀ ଧାନ ବିହନ ସଂଗ୍ରହ କରି ତଳି ପକାଇଥିଲେ । କିନ୍ତୁ ବର୍ଷା ହେଉନଥିବାରୁ ଏବେ ସେ ସବୁ ତଳି ମରିବାକୁ ବସିଲାଣି । ବୁଣା ଯାଇଥିବା ତଳି ବିଲ ମଧ୍ୟ ଫାଠି ଆଁ କଲାଣି । ତେଣୁ ତଳିକୁ ବଞ୍ଚାଇବା ପାଇଁ ଚାଷୀ ଚୂଆ ଓ କେଉଁ ଖାଲ ଜମିରୁ ପାଣି ସଂଗ୍ରହ କରି ବିଲରେ ଛିଞ୍ଚୁଛି । କଟକ ଜିଲ୍ଲାର ନିଆଳି, କଣ୍ଟାପଡ଼ା, କଟକ ସଦର, ବାରଙ୍ଗ ଏବଂ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଓ ବାଲିପାଟଣା ବ୍ଲକ ଅଞ୍ଚଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ।

ଏବେସୁଦ୍ଧା ୫୦ ପ୍ରତିଶତ ଧାନ ଜମି ରୁଆ ସରିବାକୁ ଥିବାବେଳେ ନିଅଣ୍ଟିଆ ବର୍ଷା ଯୋଗୁଁ ଆଦୌ ଧାନ ଚାଷ ଆଗେଇ ପାରୁନାହିଁ । ଫଳରେ ଚିନ୍ତାରେ ପଡିଛି ଚାଷୀ । ଯଦି ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବର୍ଷା ନ ହୁଏ ତେବେ ବୁଣା ଯାଇଥିବା ତଳି ନଷ୍ଟ ହୋଇଯିବ ଆଉ ତଳି ପକାଇବା ପାଇଁ ବିହନ ମୁଠେ ବି ମିଳିବ ନାହିଁ । କିଛି ଦିନ ତଳେ ଭଲ ବର୍ଷା ହୋଇଥିଲା । ହେଲେ ହଠାତ୍ ବର୍ଷା ଗାଏବ ହୋଇଯିବା କାରଣରୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ । ଯାହାକୁ ନେଇ ଧାନ ଚାଷୀ ଆଶା ଓ ଆଶଙ୍କାରେ ଗତି କରୁଥିବା ବେଳେ ଏ ସବୁ ଅଞ୍ଚଳରେ ଧାନ ଜମି ପଡିଆ ପଡିଛି । ଯାହାଦ୍ଵାରା ଧାନ ଜମି ପାଲଟିଛି ଗୃହପାଳିତ ପଶୁଙ୍କ ଚାରଣ ଭୂମି ।

ଏହା ମଧ୍ୟ ପଢନ୍ତୁ-ଜଗତସିଂହପୁରରେ ସ୍ୱାଭାବିକଠାରୁ ୩୯ ପ୍ରତିଶତ କମ ବର୍ଷା, ଗଜା ମରୁଡି ଆଶଙ୍କା

ସେପଟେ କଣ୍ଟାପଡ଼ା, ନିଆଳି, ପ୍ରତାପନଗରୀ, ବାଲିଅନ୍ତା ଓ ବାଲିପାଟଣା ଜଳ ସମ୍ପଦ ଉପଖଣ୍ଡ ଅଧିନରେ ଥିବା କେନାଲ ଗୁଡ଼ିକରେ ଘାସ ଏବଂ ଅନାବନା ଗଛ ଉଠି କେନାଲ ସଙ୍କୁଚିତ ହୋଇପଡିଛି । ବିଭାଗ ନା କେନାଲ ସଫା କରୁଛି ନା କେନାଲ ପାଣି ଯୋଗାଇ ଦେଉଛି । ଏନେଇ ଧାନ ଚାଷୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ରାଜ୍ୟ ଜଳ ସମ୍ପଦ ବିଭାଗ ତୁରନ୍ତ କେନାଲ ପାଣି ଯୋଗାଇ ଦେବା ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.