ETV Bharat / state

ଜଗତସିଂହପୁରରେ ସ୍ୱାଭାବିକଠାରୁ ୩୯ ପ୍ରତିଶତ କମ ବର୍ଷା, ଗଜା ମରୁଡି ଆଶଙ୍କା

author img

By

Published : Jul 6, 2023, 9:14 AM IST

ଧାରା ଶ୍ରାବଣରେ ନିଅଣ୍ଟିଆ ବର୍ଷା ଯୋଗୁଁ ଆଗେଇ ପାରୁନି ଚାଷ କାମ । ଜଗତସିଂହପୁର ଜିଲ୍ଲାରେ ଚାଷ କାମରେ ବାଧକ ସାଜିଛି ନିଅଣ୍ଟିଆ ବର୍ଷା । ଅଧିକ ପଢନ୍ତୁ

farmers facing problem
farmers facing problem

farmers facing problem

ଜଗତସିଂହପୁର: ଆଷାଢ଼ ଯାଇ ଶ୍ରାବଣ ଆସିଲାଣି । ହେଲେ ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ଘୋର ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି । ମୌସୁମୀ ବାୟୁ ଦୁର୍ବଳ ହେତୁ ବର୍ଷାର ପରିମାଣ କମ ରହିଛି । ଫଳରେ ଗଜା ମରୁଡି ହେବାର ଆଶଙ୍କା ଦେଖା ଦେଲାଣି । ପାଣି ଅଭାବ ଯୋଗୁଁ ଚାଷୀ କୂଳ ହତାଶ ହୋଇପଡିଛି । ଧାରା ଶ୍ରାବଣରେ ନିଅଣ୍ଟିଆ ବର୍ଷା ଯୋଗୁଁ ଆଗେଇ ପାରୁନି ଚାଷ କାମ । ଜଗତସିଂହପୁର ଜିଲ୍ଲାରେ ଚାଷ କାମରେ ବାଧକ ସାଜିଛି ନିଅଣ୍ଟିଆ ବର୍ଷା ।

ଗତ ଜୁନ ମାସରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ମୌସୁମୀ ବାୟୁ 10 ଦିନ ଡେରିରେ ରାଜ୍ୟରେ ପ୍ରବେଶ କରିଥିଲା । ଚାଷୀ ଆଶା ରଖିଥିଲେ ବର୍ଷା ହେଲେ ଧାନ ରୁଆ କାର୍ଯ୍ୟ କରିବେ । ଦୁଇ ତିନିଦିନ ମଧ୍ୟ ଭଲ ବର୍ଷା ହୋଇଥିଲା। ହେଲେ ରୁଆରୋଇ ବେଳକୁ ବର୍ଷା ହେଲାନି । ବର୍ଷାକୁ ଦେଖି ଯେଉଁମାନେ ଧାନ ତଳି ପକାଇବା ପାଇଁ ରଖିଥିଲେ ପାଣି ଅଭାବରୁ ସେଗୁଡିକ ଜଳିଗଲାଣି । ଜଗତସିଂହପୁର ଜିଲ୍ଲାରେ ସ୍ୱାଭାବିକଠାରୁ 39 ପ୍ରତିଶତ ବର୍ଷା ହୋଇଛି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 5 ପ୍ରତିଶତ ଚାଷ ଜମିରେ ରୁଆ ତ ଦୂରର କଥା କାଦୁଅ ବି ଟିକେ ହୋଇପାରିନାହିଁ । ଯଦି ଏହିପରି ସ୍ଥିତି ଲାଗି ରହେ ଆଗାମୀ ଦିନରେ ମରୁଡି ହେବା ଥୟ ।

ସେହିପରି ଜିଲ୍ଲାର 50 ପ୍ରତିଶତରୁ ଅଧିକ ଚାଷଜମି କେନାଲ ଦ୍ୱାରା ଜଳ ସେଚିତ ହୋଇଥାଏ । କିନ୍ତୁ କେନାଲରେ ପାଣି ଆସିବା ତ ଦୂରର କଥା ଜଳ ସେଚନ ବିଭାଗ ପକ୍ଷରୁ କେନାଲ ଆଜି ପର୍ଯ୍ୟନ୍ତ ସଫା ହୋଇ ପାରିଲା ନାହିଁ । ଫଳରେ ନାଳ ପାଣି ଉପରେ ନିର୍ଭର କରୁଥିବା ଚାଷୀ ଏବେ ନିରାଶ ହୋଇଛନ୍ତି । ଜିଲ୍ଲାର କୁଜଙ୍ଗ, ବାଲିକୁଦା, ଏରସମା, ବିରିଡି, ରଘୁନାଥପୁର, ତିର୍ତ୍ତୋଲ, ଆଦି ଅଞ୍ଚଳରେ ତଳି ପକାଇବେ କଣ ବିଲ ଫାଟି ଆଁ କଲାଣି ।

ଏହା ମଧ୍ୟ ପଢନ୍ତୁ-ଶ୍ରାବଣରେ ବର୍ଷାର ନାଁ ନାହିଁ, ନିଅଣ୍ଟିଆ ବର୍ଷା ଯୋଗୁଁ ହତାଶ ଚାଷୀକୁଳ

ଅନ୍ୟପଟେ ପାଣିପାଗ ବିଭାଗ ପକ୍ଷରୁ ମିଳୁଥିବା ସୂଚନା ଅନୁସାରେ, 10 ରୁ 15 ତାରିଖ ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଯଦି ସେ ସମୟରେ ବର୍ଷା ହୁଏ ତେବେ ତଳି ରୁଆ ଓ ବେଉଷଣ କାର୍ଯ୍ୟ ହେବ। ନହେଲେ ଗଜା ମରୁଡି ହେବାର ସମ୍ଭାବନା ରହିଥିବା ଚାଷୀମାନେ କହିଛନ୍ତି । ସେପଟେ ଜିଲ୍ଲା କୃଷି ବିଭାଗର କହିବା କଥା ଜିଲ୍ଲାରେ ବର୍ଷା ଅଭାବ ଯୋଗୁଁ ଚାଷକାର୍ଯ୍ୟ ପଛାଇଛି । ଆଗାମୀ ଦିନରେ ବର୍ଷା ହେବାର ସମ୍ଭାବନା ରହିଛି । ଯଦି ବର୍ଷା ହୁଏ ତେବେ ଚାଷୀମାନେ କାଦୁଅ କରି ତଳି ରୁଆ କାର୍ଯ୍ୟ ଆରମ୍ଭ କରିବେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.