ETV Bharat / state

ଶ୍ରାବଣରେ ବର୍ଷାର ନାଁ ନାହିଁ, ନିଅଣ୍ଟିଆ ବର୍ଷା ଯୋଗୁଁ ହତାଶ ଚାଷୀକୁଳ

author img

By

Published : Aug 4, 2022, 5:28 PM IST

ବଲାଙ୍ଗୀର ଜିଲ୍ଲାରେ ଏଥର ବି ନିଅଣ୍ଟିଆ ବର୍ଷା । ଜିଲ୍ଲାର ଅନେକ ବ୍ଲକରେ ମରୁଡି ନିଶ୍ଚିତ ହୋଇଥିବା ବେଳେ ପୁଣି ଚାଷୀଙ୍କ ଉପରେ ଚିନ୍ତାର ପାହାଡ଼ । ଅଧିକ ପଢନ୍ତୁ

ନିଆଣ୍ଟିଆ ବର୍ଷାରେ ହତାଶ ବଲାଙ୍ଗୀର ଚାଷୀ
ନିଆଣ୍ଟିଆ ବର୍ଷାରେ ହତାଶ ବଲାଙ୍ଗୀର ଚାଷୀ

ବଲାଙ୍ଗୀର: ଜିଲ୍ଲାରେ ଏବର୍ଷ ମଧ୍ୟ ନିଅଣ୍ଟିଆ ବର୍ଷା । ଅନେକ ବ୍ଲକରେ ମରୁଡି ନିଶ୍ଚିତ ହୋଇଥିବା ବେଳେ ପୁଣି ଚାଷୀଙ୍କ ଉପରେ ଚିନ୍ତାର ପାହାଡ଼ । ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଜିଲ୍ଲାରେ ଏବେ ମରୁଡି ଗୋଟିଏ ପ୍ରକାର ନିଶ୍ଚିତ ହୋଇଛି । ଯାହାକୁ ନେଇ ପୁଣି ଚିନ୍ତାରେ ପଡିଛି ଚାଷୀ । ସାଧାରଣତଃ ଅକ୍ଷୟ ତୃତୀୟା ଦିନରୁ ଜିଲ୍ଲାରେ ଚାଷ କାମ ଆରମ୍ଭ ହୋଇଥାଏ । ହେଲେ ଚଳିତ ବର୍ଷ ଶ୍ରାବଣ ସରିବାକୁ ଥିବାବେଳେ ଚାଷ କାମ ଆରମ୍ଭ ହୋଇ ପାରିନାହିଁ । ଅନେକ ବ୍ଲକରେ ଚାଷୀ ବର୍ଷା ହେବାର ଆଶାରେ ଏଥର ପୁଣି ହାତ ଉଧାର କରଜ କରି ଚାଷ ପାଇଁ ଟଙ୍କା ଯୋଗାଡ କରିଛି ହେଲେ ନିଅଣ୍ଟିଆ ବର୍ଷା ଚଷାପୁଅ ପାଇଁ ଦୁଃଖ ଆଣି ଦେଇଛି ।

ନିଆଣ୍ଟିଆ ବର୍ଷାରେ ହତାଶ ବଲାଙ୍ଗୀର ଚାଷୀ

ଅନେକ ସ୍ଥାନରେ ଚାଷୀ ତଳିପକା କାମ ସାରିଥିଲେ । ହେଲେ ସ୍ୱଳ୍ପ ବର୍ଷା ଯୋଗୁଁ ଏବେ ଧାନ ଚାରା ଶୁଖି ନଷ୍ଟ ହେବାରେ ବସିଛି । ବିଲ ଶୁଖି ଆଁ କରିଛି । ତଳି ପକାଇ ଖର୍ଚ୍ଚାନ୍ତ ହୋଇଥିବା ଚାଷୀ ନିରାଶା ହୋଇଛି । ସେପଟେ ଆଗକୁ ଆଉ ବର୍ଷା ହେଲେ ମଧ୍ୟ ଚାଷ ଆଉ ହୋଇ ପାରିବ ନାହିଁ କହିଛନ୍ତି ଚାଷୀ । କମ ବର୍ଷା ଯୋଗୁଁ ଜିଲ୍ଲାର ନାଳ, ନଦୀ ତଥା ପୋଖରୀ ସବୁ ଶୁଖିଲା ପଡ଼ିଛି । ସେହିପରି ଜଳସେଚନ ସୁବିଧା ନ ଥିବା ବେଳେ ଚାଷୀ ଅନ୍ୟ ଉପାୟ ନ ପାଇ ଏବେ ପୁଣି ନିଜ ଭାଗ୍ୟକୁ ଆଦରି ବସିଛି । ଏପରିକି ଗଲା ବର୍ଷ ମଧ୍ୟ ଅନେକ ସ୍ଥାନରେ ମରୁଡି ପଡ଼ିଥିବା ବେଳେ ଏଯାଏଁ ତାର ବୀମା ଟଙ୍କା ଚାଷୀ ପାଇ ନାହାଁନ୍ତି । ଏଥର ମଧ୍ୟ ପୁଣି ମରୁଡି ନିଶ୍ଚିତ ଥିବା ବେଳେ ଚାଷୀ ବୀମା ମଧ୍ୟ କରିବାକୁ ପଛାଇଛନ୍ତି ।

ଜିଲ୍ଲାରେ ଚାଷ କାମ ବର୍ଷା ଉପରେ ନିର୍ଭର ହୋଇଥାଏ । ଏଠି ଜଳସେଚନ ମାତ୍ର 3 ପ୍ରତିଶତ ଥିବା ବେଳେ ବର୍ଷା ପରିମାଣ ସଠିକ ଭାବରେ ହେଲେ ଏହା 30 ପ୍ରତିଶତକୁ ବୃଦ୍ଧି ପାଇଥାଏ । ଯାହା ଉପରେ କିଛି ଚାଷୀ ନିର୍ଭର କରି ଚାଷ କରିଥାନ୍ତି । ତେବେ ନିଅଣ୍ଟିଆ ବର୍ଷା ହେବାରୁ ସବୁ ଜଳ ଉତ୍ସ ଏବେ ଶୁଖିଲା ପଡ଼ିଛି । ତେବେ ବଲାଙ୍ଗୀର ଜିଲ୍ଲାରେ ଏ ବର୍ଷ ଜୁନ ମାସରେ ସାଧାରଣ ଅନୁପାତ 202 ମିମି ବର୍ଷା ଥିବା ବେଳେ ହୋଇଛି ମାତ୍ର 93 ମିମି ବର୍ଷା । 53 ପ୍ରତିଶତ ନିଅଣ୍ଟିଆ ବୃଷ୍ଟି ଜୁନରେ ରେକର୍ଡ କରାଯାଇଛି । ସେହିପରି ଜୁଲାଇ ମାସରେ 360 ମିମି ବର୍ଷା ଅନୁପାତ ଥିବା ବେଳେ ହୋଇଛି ମାତ୍ର 320 ମିମି ଅର୍ଥାତ୍ 11 ପ୍ରତିଶତ କମ ବର୍ଷା ହୋଇଛି । ତେବେ ଅଗଷ୍ଟ ମାସରେ ଯେଉଁ ବର୍ଷା ହୋଇଥାଏ ତାହା ଧାନ ଚାଷ ପାଇଁ ଶେଷ ବର୍ଷା ହୋଇଥାଏ । ଶ୍ରାବଣ ସରିବାକୁ ବସିଲାଣି ବର୍ଷାର ନାଁ ନାହିଁ । ଜିଲ୍ଲାରେ ଏଥର 1 ଲକ୍ଷ 83 ହଜାର ହେକ୍ଟରରେ ଧାନ ଚାଷ ହେବାର ଥିଲା ମାତ୍ର ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୩୦ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଛି । ହେଲେ ସ୍ୱଳ୍ପ ବର୍ଷା ଯୋଗୁଁ ଏଥର ଆଉ ଧାନ ଫସଲ ସବୁଠି ହୋଇ ପାରିବ ନାହିଁ ବୋଲି କୃଷି ବିଭାଗ ମଧ୍ୟ ସ୍ପଷ୍ଟ କରିଛି।

ନିଅଣ୍ଟିଆ ବର୍ଷା ସମସ୍ୟା ଅନେକ ଦିନର । ଏତେ ପରେ ବି ଜଳସେଚନ ବ୍ୟବସ୍ଥା ସୁଧୁରୁଛି ନା ପ୍ରଶାସନ ସଜାଗ ହେଉଛି । ସ୍ବଳ୍ପ ବର୍ଷା ଚାଷୀଙ୍କୁ ତଳି ତାଳାନ୍ତ କରିବା ପୂର୍ବରୁ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.