ETV Bharat / state

ଆଢେଣୀଗଡ ପଞ୍ଚାୟତରେ ବାଟ ହୁଡିଛି ସରକାରୀ ଯୋଜନା

author img

By ETV Bharat Odisha Team

Published : Oct 20, 2023, 2:30 PM IST

ଆଢେଣୀଗଡ ପଞ୍ଚାୟତରେ ବାଟ ହୁଡିଛି ସରକାରୀ ଯୋଜନା
ଆଢେଣୀଗଡ ପଞ୍ଚାୟତରେ ବାଟ ହୁଡିଛି ସରକାରୀ ଯୋଜନା

ସମସ୍ୟା ଘେରରେ ବୌଦ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳ ଆଢେଣୀଗଡ ପଞ୍ଚାୟତ । ଦୀର୍ଘ ଦିନ ହେଲା ରାସ୍ତା, ପାନୀୟ ସମସ୍ୟା ଲାଗି ରହିଛି ଏହି ଅଞ୍ଚଳରେ । ଯାହାକୁ ନେଇ ସ୍ଥାନୀୟବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢି ଚାଲିଛି । ଆଗକୁ ପଢନ୍ତୁ

ଆଢେଣୀଗଡ ପଞ୍ଚାୟତରେ ବାଟ ହୁଡିଛି ସରକାରୀ ଯୋଜନା

ବୌଦ୍ଧ: ସମସ୍ୟା ଘେରରେ ବୌଦ୍ଧ ଜିଲ୍ଲା ସୀମାନ୍ତ ପଞ୍ଚାୟତର ଅନେକ ଗରିବ ଅସହାୟ ହିତାଧିକାରୀ । ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତରେ ବିକାଶ ସାତ ସପନ ପାଲଟିଛି । ଦୁଇ ଦୁଇଟି ଜିଲ୍ଲାର ସୀମାକୁ ସଂଲଗ୍ନ କରି ରହିଥିବା ଆଢେଣୀଗଡ ପଞ୍ଚାୟତର ଅଧିବାସୀ ଅଧିକାଂଶ ଆଦିବାସୀ ସଂପ୍ରଦାୟର ହୋଇ ଥିବା ବେଳେ ଏଠାରେ ସରକାରୀ ଯୋଜନା କେବଳ ପ୍ରତିଶ୍ରୁତି ଓ ଲାଲ ଫାଇଲ ଭିତରେ ସୀମିତ ରହିଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ବୌଦ୍ଧ ସୀମାନ୍ତରେ ଏହି ଆଢେଣୀଗଡ ପଞ୍ଚାୟତ ରହିଥିବାରୁ ପ୍ରଶାସନିକ ଅଧିକାରୀ ଓ ବିଭାଗୀୟ ଅଧିକାରୀଙ୍କ ପାଦ ପଡେନାହିଁ । ଆଢେଣୀଗଡ ପଞ୍ଚାୟତ ଦେଇ ଯଦିଓ ଜାତୀୟ ରାଜପଥ ଯାଇଛି କିନ୍ତୁ ପଞ୍ଚାୟତର ଅଧିକାଂଶ ଅଞ୍ଚଳକୁ ଯୋଗାଯୋଗ ନିମନ୍ତେ ସବୁଦିନିଆ ରାସ୍ତା ଖଣ୍ଡିଏ ନାହିଁ । ତେଣୁ ଗତ ପଞ୍ଚାୟତ ନିର୍ବାଚନରେ ଆଢ଼େଣୀଗଡ଼ ପଞ୍ଚାୟତର କଣ୍ଡରା, କାଚପାଜୁ ଭଳି ଅଞ୍ଚଳର ଅଧିବାସୀ ଭୋଟ ବର୍ଜନ କରିଥିଲେ ।

ଏହାମଧ୍ୟ ପଢନ୍ତୁ..ଶ୍ରୀହିନ ହୋଇପଡ଼ିଛି ବୌଦ୍ଧ ଜିଲ୍ଲାର ଆକାଂକ୍ଷୀ ପ୍ରକଳ୍ପ ନନ୍ଦନବନ

ଗତ କିଛି ମାସ ତଳେ ବୌଦ୍ଧ ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଉକ୍ତ କଣ୍ଡରା, କାଚପାଜୁ ଅଞ୍ଚଳର ବିକାଶ ତଥା ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ ଆରମ୍ଭ କରିଥିଲେ ମଧ୍ୟ ବର୍ତ୍ତମାନ ତାହା ଦିଗହରା ହୋଇ ରହିଛି । ସେଭଳି ପଞ୍ଚାୟତର ଲେଙ୍ଗେରପାଜୁ, ମାଣ୍ଡାଲି, ଛତ୍ରପଡ଼ା, ନୂଆସାହି ଭଳି ଅନେକ ଗ୍ରାମକୁ କେବଳ ପାଦଚଲା ରାସ୍ତା ହିଁ ରହିଛି । ବୌଦ୍ଧ ଜିଲ୍ଲାର ୬୯ ପଞ୍ଚାୟତ ମଧ୍ୟରୁ ଆଢେଣୀଗଡ ପଞ୍ଚାୟତର ଆଉ ଏକ ପ୍ରମୁଖ ସମସ୍ୟା ହେଲା ପାନୀୟଜଳ କିମ୍ବା ଜଳସେଚନ ।

ଆଢେଣୀଗଡ଼ଠାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଥିଲେ ମଧ୍ୟ ଆମ୍ବୁଲାନ୍ସ ଓ ରାସ୍ତାର ସମସ୍ୟା ଯୋଗୁଁ ଜନନୀ ଯନ୍ତ୍ରଣା ବର୍ଷ ବର୍ଷ ଧରି ଲାଗି ରହୁଛି । ପଞ୍ଚାୟତ ଉଭୟ ନୟାଗଡ଼ ଓ କନ୍ଧମାଳ ଜିଲ୍ଲାକୁ ରହି ଚକାଚକା ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ପଞ୍ଚାୟତ ର ଗ୍ରାମ ଗୁଡିକୁ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ଏନେଇ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।ଏ ସମ୍ପର୍କରେ ସେମାନେ ବାରମ୍ବାର ପଞ୍ଚାୟତଠାରୁ ନେଇ ଜିଲ୍ଲା ପ୍ରଶାସନ ଓ ନେତା ମନ୍ତ୍ରୀଙ୍କୁ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି । ଆଢ଼େଣୀଗଡ ପଞ୍ଚାୟତର ଭାଗ୍ୟ ବର୍ତ୍ତମାନ ଅନିଶ୍ଚିତତା ଘେରରେ ରହିଥିବା ବେଳେ କେବେ ଏହାର ସମାଧାନ ହେବ ସେନେଇ ସ୍ଥାନୀୟ ଅଧିବାସୀ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..ସମସ୍ୟା ଘେରରେ ସାମ୍ପୋଚ ପଞ୍ଚାୟତ, ସ୍ଥାନୀୟ ବାସିନ୍ଦା ଅସନ୍ତୋଷ

ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଏବେବି ଅନେକ ସରକାରୀ ଯୋଜନା ଅପହଞ୍ଚ ହୋଇ ରହିଯାଇଛି । ସମସ୍ୟାର ଲମ୍ବା ତାଲିକା ରହିଥିବା ବେଳେ ଲୋକଙ୍କ ସମସ୍ୟାର ସମାଧାନ ହେଉନଥିବାରୁ ସାଧାରଣରେ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.