ETV Bharat / state

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଖଣ୍ଡିକନପା

author img

By

Published : Jan 23, 2023, 12:51 PM IST

Khandikanapa in Boudh
ଖଣ୍ଡିକନପା

ସରି ଆସୁଛି ନୂଆ ବର୍ଷର ପ୍ରଥମ ମାସ । ଆଉ ଏହି ସମୟରେ ଜିଲ୍ଲା ତଥା ରାଜ୍ୟର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀରେ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥିବା ବେଳେ ବଣଭୋଜି ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଅଧିକ ପଢ଼ନ୍ତୁ

ଖଣ୍ଡିକନପା

ବୌଦ୍ଧ: ଅପରୂପ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନରେ ପରିପୂର୍ଣ୍ଣ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଣଭୋଜି ପାଇଁ ବେଶ ଭିଡ ପରିଲକ୍ଷିତ ହୋଇଛି । ନୂଆ ବର୍ଷର ପ୍ରଥମ ମାସ ସରିବାକୁ ବସିଥିବା ବେଳେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନ ବର୍ତ୍ତମାନ ବଣଭୋଜି ପାଇଁ ବେଶ ପ୍ରକୃଷ୍ଟ ସମୟ ହୋଇଛି । ବୌଦ୍ଧ ଜିଲ୍ଲାର କୁମ୍ଭୀଦରହଠାରୁ ନେଇ ମର୍ଜାକୁଦ ଓ ନୂଆପଡା ଡ୍ୟାମଠାରୁ ନେଇ ସୌନ୍ଦର୍ଯ୍ୟଭରା ଖଣ୍ଡିକନପା ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ସହିତ ବଣଭୋଜି ପାଇଁ ବେଶ ଭିଡ ପରିଲକ୍ଷିତ ହୋଇଛି । ବୌଦ୍ଧ ଜିଲ୍ଲାର ଏଭଳି ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସ୍ଥାନ ହେଲା ଶଗଡା ପଞ୍ଚାୟତର ଖଣ୍ଡିକନପା ।

ବାଘନଦୀ ଅବବାହିକାରେ ଥିବା ଖଣ୍ଡିକନପା ବୌଦ୍ଧ ଜିଲ୍ଲାର ବଣଭୋଜି ପାଇଁ ଏକ ପ୍ରକୃଷ୍ଟ ସ୍ଥାନ । ତେଣୁ ଏଠାରେ ଡିସେମ୍ବର ମାସରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ଜିଲ୍ଲା ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଭିଡ ଲାଗିରହିଥାଏ । ବର୍ତ୍ତମାନ ଜାନୁଆରୀ ମାସ ଶେଷ ହେବାକୁ ବସିଥିବା ବେଳେ ଏଠାରେ ପର୍ଯ୍ୟଟକଙ୍କ ଭିଡ ଲାଗିରହିଛି । ବଣଭୋଜି ପାଇଁ ବୌଦ୍ଧ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଠାକୁ ଲୋକେ ଆସୁଥିବା ବେଳେ ଏଠାରେ ଥିବା କାଠପୋଲର ସେତୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କହିବାକୁ ଗଲେ ଏହି ସ୍ଥାନ ବା କାଠପୋଲ ଏକ ପ୍ରକାର ସେଲ୍‌ଫି ପଏଣ୍ଟ ପାଲଟି ଯାଇଛି । ଏହି ସ୍ଥାନରେ ବାଘନଦୀ ବାଘଭଳି ଗର୍ଜନ କରି ପ୍ରବାହିତ ହେଉଛି । ତଥାପି ଏଠାକାର ପରିବେଶ ବର୍ଷ ତମାମ ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥାଏ । ବିଭିନ୍ନ ଦୁର୍ଲଭ ବୃକ୍ଷରାଜିରେ ପରିପୂର୍ଣ୍ଣ ଜଙ୍ଗଲ ସହିତ ଶାନ୍ତ ଶୀତଳ ପରିବେଶ ବଣଭୋଜି ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ ।

ଏହାମଧ୍ୟ ପଢ଼ନ୍ତୁ. Religious conversion: ଅସହ୍ୟ ହେଲା ପତ୍ନୀଙ୍କ ସହ ଝଗଡ଼ା, ଧର୍ମ ପରିବର୍ତ୍ତନ କଲା ସ୍ବାମୀ

ବାଘନଦୀର ଅପର ପାର୍ଶ୍ଵରେ ଗୁପ୍ତେଶ୍ବର ନାମରେ ଏକ ଶୈବପୀଠ ରହିଛି । ସେଠାକୁ ପହଞ୍ଚିବା ପାଇଁ ନଦୀ ଉପରେ ଏକ କାଠପୋଲ ସ୍ଥାନୀୟ ଲୋକଙ୍କ ସହଯୋଗରେ ପ୍ରତ୍ୟେକ ବର୍ଷ ନିର୍ମାଣ ହୋଇଥାଏ । ଏହି କାଠପୋଲ ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ନୂଆବର୍ଷରୁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ପ୍ରତିବର୍ଷ ଅକ୍ଟୋବର ମାସଠାରୁ ମାର୍ଚ୍ଚ ମାସ ଯାଏଁ ଖଣ୍ଡି କନ୍‌ପାକୁ ଭକ୍ତ ଓ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଏହି ଅଞ୍ଚଳର ପ୍ରାକୃତିକ ପରିବେଶ ଓ ଚିରସ୍ରୋତା ବାଘନଦୀର କୁଳୁକୁଳୁ ନାଦ ସମସ୍ତଙ୍କୁ ବିମୋହିତ କରିଥାଏ ।

ଅଞ୍ଚଳବାସୀଙ୍କ ସହଯୋଗ ଓ ଶ୍ରମଦାନରେ କାଠପୋଲ ନିର୍ମିତ ହେବା ପରେ ବର୍ତ୍ତମାନ ଗୁପ୍ତେଶ୍ୱର ମହାଦେବଙ୍କ ପୀଠକୁ ଯାତାୟାତ ସୁଗମ ହୋଇ ପାରିଛି । କାର୍ତ୍ତିକ ମାସର ଚତୁର୍ଦ୍ଦଶୀ ଓ ପୁର୍ଣ୍ଣିମା ଅବସରରେ ହଜାରହଜାର ଭକ୍ତଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଥାଏ । ତେବେ ଏହି ପ୍ରାକୃତିକ ପରିବେଶର ସୁରକ୍ଷା ଏବଂ ବିକାଶ ଦିଗରେ ଜିଲ୍ଲା ପ୍ରସାଶନ ଅଧିକ ଯତ୍ନଶୀଳ ହୋଇପାରିଲେ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ଅଧିକ ଲୋକଲୋଚନକୁ ଆସିପାରିବ ବୋଲି ପ୍ରକୃତିପ୍ରେମୀ ମହଲରେ ମତପ୍ରକାଶ ପାଉଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.