ETV Bharat / state

ବିପୁଳ ପରିମାଣର ଦେଶୀ ମଦ ଜବତ, ଜଣେ ଗିରଫ

author img

By ETV Bharat Odisha Team

Published : Sep 13, 2023, 1:27 PM IST

huge quantity of liquor seized
huge quantity of liquor seized

ଅବକାରୀ ବିଭାଗର ଚଢାଉ । 6 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ବେଆଇନ ଦେଶୀ ମଦ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଅଧିକ ପଢନ୍ତୁ

huge quantity of liquor seized

ଭଦ୍ରକ: ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ। 6 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ବେଆଇନ ଦେଶୀ ମଦ ଜବତ ସହିତ ଏକ ବୋଲେରୋ ଏବଂ କାର ଜବତ କରିଛି ଅବକାରୀ ବିଭାଗ । ଏଥିସହ ସମ୍ପୃକ୍ତ ଥିବା ଜଣଙ୍କୁ ଗିରଫ କରାଯାଇଛି । ତେବେ ଅଭିଯୁକ୍ତ ଜଣକ ବନ୍ତ ଥାନା ଅନ୍ତର୍ଗତ ଗଭରପୁର ଗ୍ରାମର ପ୍ରଭାତ କୁମାର ବିଶ୍ୱାଳ ବୋଲି ଜଣାପଡିଛି ।

ସୂଚନା ମୁତାବକ, ଏକ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ବତନ୍ତ୍ର ଟିମ ଭଦ୍ରକର ବନ୍ତ ଥାନା ଅନ୍ତର୍ଗତ ଗଭରପୁର ଗ୍ରାମ ନିକଟରେ ପାଟ୍ରୋଲିଂ କରୁଥିଲେ । ସେହି ସମୟରେ କେନ୍ଦୁଝର ଜିଲ୍ଲାରୁ ଗଭରପୁର ଗ୍ରାମକୁ ଦ୍ରୁତ ଗତିରେ ସନ୍ଦିଗ୍ଧ ଭାବେ ଆସୁଥିବା ଗୋଟିଏ ମହିନ୍ଦ୍ରା ବୋଲେରୋ ଗାଡ଼ି ଏବଂ ଗୋଟିଏ ଟାଟା ଇଣ୍ଡିଗୋ କାର ଆସୁଥିଲା । ଏନେଇ ପୋଲିସ ସନ୍ଦେହ କରି ଗାଡିକୁ ଅଟକାଇଥିବା ବେଳେ ଉଭୟ ଦ୍ରୁତ ଗତିରେ ଖସି ପଳାଇବାକୁ ଉଦ୍ୟମ କରିଥିଲେ ।

ଏନେଇ ଭଦ୍ରକ ଅବକାରୀ ବିଭାଗର ଏହି ସ୍ଵତନ୍ତ୍ର ଟିମ ଉଭୟଙ୍କ ପିଛା କରି ଉଭୟ ଗାଡିକୁ ଅଟକାଇଥିଲା । ଗାଡିକୁ ତନଖି କରାଯିବା ପରେ 1400 ଲିଟରର ଦେଶୀ ମଦ ଜବତ କରିଥିଲା ଅବକାରୀ ବିଭାଗ । ସେହିପରି ଅନ୍ୟପଟେ ଘଟଣାସ୍ଥଳରୁ ଗାଡି ଡ୍ରାଇଭର ଫେରାର ଥିବା ଜଣାପଡିଛି । ତେବେ ଜବତ ହୋଇଥିବା ମଦର ଆନୁମାନିକ ବଜାର ମୂଲ୍ୟ 6 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏନେଇ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ 2 ଗୋଟି ପୃଥକ ପୃଥକ ମାମଲା ରୁଜୁ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ଅବକାରୀ ସ୍କ୍ୱାଡ୍‌ଙ୍କୁ ଅଟକ ଘଟଣା, ଗାଁ ମୁଖିଆଙ୍କୁ ଗିରଫ ସହ 10 ଲିଟର ଦେଶି ମଦ ଜବତ

ପ୍ରକାଶ ଥାଉକି, ଗତମାସରେ ବୌଦ୍ଧ ଜିଲ୍ଲାର କୁଶଙ୍ଗ ପଞ୍ଚାୟତ ଅନ୍ତର୍ଗତ ଭାବପୁର ଗ୍ରାମର ମୁଖିଆଙ୍କ ଘରେ ଦେଶୀ ମଦଭାଟି ଥିବା ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍ ଚଢ଼ାଉ କରିଥିଲା । ସେଠାରୁ ପ୍ରାୟ 10 ଲିଟର ରନ୍ଧା ମଦ ସହିତ ଏଥିରେ ବ୍ୟବହୃତ ବିଭିନ୍ନ ସରଞ୍ଜାମକୁ ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଥିଲା । ଏହି ଖବର ପାଇ ଭାବପୁର ଗ୍ରାମର ମହିଳା ପୁରୁଷ ଏକତ୍ରିତ ହୋଇ ଠେଙ୍ଗା ବାଡ଼ି ଧରି ଅବକାରୀ ବିଭାଗର ଟିମ୍‌କୁ ଅଟକ ରଖିଥିଲେ । ଦୀର୍ଘ ସମୟ ଧରି ସ୍ବତନ୍ତ୍ର ଟିମକୁ ଅଟକ ରଖିଥିଲେ ଗ୍ରାମବାସୀ । ପରେ ଅବକାରୀ ବିଭାଗ ସେଠାରୁ ବହୁ କଷ୍ଟରେ ଫେରିବା ପରେ ଥାନାରେ ଅଭିଯୋଗ କରିଥିଲେ । ଏହାକୁ ନେଇ ବେଆଇନ ମଦ ପ୍ରସ୍ତୁତ କରୁଥିବା ଗାଁ ମୁଖିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.