ETV Bharat / state

ଫୁଲୁଛି ବୈତରଣୀ, ଭଦ୍ରକରେ ବନ୍ୟା ପରିସ୍ଥିତି

author img

By

Published : Aug 15, 2022, 8:38 PM IST

flood at baitarani river in bhadrak
ଫୁଲୁଛି ବୈତରଣୀ, ଭଦ୍ରକରେ ବନ୍ୟା ପରିସ୍ଥିତି

ବଢୁଛି ବୈତରଣୀ ନଦୀର ଜଳସ୍ତର । ଧାମନଗର ଓ ଭଣ୍ଡାରିପୋଖରୀର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅଧିକ ପଢ଼ନ୍ତୁ

ଭଦ୍ରକ: ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବା ପରେ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଖୁଆପଦା ଠାରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଭଣ୍ଡାରିପୋଖରୀ ବ୍ଲକର କଣ୍ଟିଘାଇ ଦେଇ ଗେଙ୍ଗୁଟିରେ ବନ୍ୟାଜଳ ପଶିବାରୁ ଦୋବଲ ଜୋନର କିଛି ଅଂଶ ଜଳମଗ୍ନ ହୋଇଛି ।

ଭଦ୍ରକରେ ବନ୍ୟା ପରିସ୍ଥିତି

ସୂଚନା ଅନୁଯାୟୀ, ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଖୁଆପଦା ଠାରେ ବିପଦ ସଙ୍କେତ 17.83 ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର 18.63 ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଆନନ୍ଦପୁର ପଞ୍ଚାୟତର ଉତ୍ତେଇପୁର ଠାରେ ଥିବା ମଲ୍ଲିମାହାରା ଏସକେପରେ ବନ୍ୟାପାଣି ପଶି ତଳ ଆନନ୍ଦପୁର, ନଡ଼ିଆବାଗ ଅଞ୍ଚଳ ଜଳମଗ୍ନ ହୋଇଛି । ସେହିପରି ଗୌରାଙ୍ଗପୁର ଏସକେପର ସୋହଡ଼ା, କରଦା ଓ ପଧାନି ପଞ୍ଚାୟତର କିଛି ଅଂଶ ଜଳମଗ୍ନ ହୋଇଛି । ବିଶେଷ କରି ଖଡ଼ିପଦାର କାଞ୍ଜିଆପାଳ, ବେଦପୁର, ସୋହଡ଼ାର ମିଶ୍ରପୁର, ପିତେଇପୁର, ବାଲିପଡ଼ା ଗ୍ରାମରେ ପାଣି ପଶିଛି। ଲଗାଣ ବର୍ଷା ଯୋଗୁଁ ଧାମନଗର ଦେଇ ପ୍ରବାହିତ ରେବ, କପାଳୀ ନଦୀରେ ବନ୍ୟା ଆସିଛି । ଫଳରେ କାଶୀମପୁର, ଫତେପୁର ଓ ଅସୁରାଳି ଅଞ୍ଚଳର କିଛି ଗ୍ରାମରେ ପାଣି ମାଡ଼ିଯାଇଛି ।

ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର ବିଭିନ୍ନ ଅଞ୍ଚଳ ଗସ୍ତ କରି ବନ୍ୟା ପରିସ୍ଥିତି ସମୀକ୍ଷା କରିଛନ୍ତି । ସେ କହିଛନ୍ତି, " ବନ୍ୟାକୁ ଦୃଷ୍ଟି ରଖି ପ୍ରଶାସନ ସଜାଗ ରହିଛି । ବନ୍ୟା ବିପନ୍ନ ଲୋକଙ୍କ ସହ ଜିଲ୍ଲା ପ୍ରଶାସନ ଯୋଗାଯୋଗରେ ରହିଛନ୍ତି । ଅବଶ୍ୟକ ପଡ଼ିଲେ ଲୋକଙ୍କୁ ଆଶ୍ରୟ ସ୍ଥଳିକୁ ସ୍ଥାନାନ୍ତର କରାଯିବ ।" ଅନ୍ୟପଟେ ବୈତରଣୀରେ ବନ୍ୟା ଆସିବା ଯୋଗୁଁ ଧାମନଗର ବ୍ଲକ ସୋହଡା ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.