ETV Bharat / state

ଭଦ୍ରକରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ, ଦୁଇ ଅଭିଯୁକ୍ତ ଗିରଫ

author img

By ETV Bharat Odisha Team

Published : Jan 15, 2024, 8:33 AM IST

brown sugar seized
brown sugar seized

Brown Sugar Seized: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଅମରଗଡ଼ିଆ ଗ୍ରାମ ନିକଟରେ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ । ୧୫.୦୬ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ସହିତ ୨ ଜଣ ଗିରଫ । ଅଧିକ ପଢନ୍ତୁ

brown sugar seized

ଭଦ୍ରକ: ବ୍ରାଉନସୁଗାରର ପେଣ୍ଠସ୍ଥଳ ପାଲଟିଛି ଭଦ୍ରକ ଜିଲ୍ଲା । ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଅମରଗଡ଼ିଆ ଗ୍ରାମ ନିକଟରେ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କଲା ଗ୍ରାମାଞ୍ଚଳ ଥାନା ପୋଲିସ । ୧୫.୦୬ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ ସହିତ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଦୁଇ ଜଣ ହେଲେ ଭଦ୍ରକର ସେକ୍ ଇଫଜର ଏବଂ ସମ୍ବଲପୁର ଧନୁପାଲି ଅଞ୍ଚଳର ମହମ୍ମଦ ଇମ୍ରାନ ଖାନ । ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ବ୍ରାଉନ ସୁଗାର ଜବତ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଜିଲ୍ଲାର ଅମରଗଡ଼ିଆ ଗ୍ରାମ ନିକଟରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସର ପାଟ୍ରୋଲିଂ ଚାଲିଥିଲା । ସେହି ସମୟରେ ଭଦ୍ରକର ସେକ୍ ଇଫଜର ଏବଂ ସମ୍ବଲପୁର ଧନୁପାଲି ଅଞ୍ଚଳର ମହମ୍ମଦ ଇମ୍ରାନ ଖାନଙ୍କୁ ଧରିଥିଲା ପୋଲିସ । ପୋଲିସ ଇଫଜର ଠାରୁ 6.3 ଗ୍ରାମ୍ ବ୍ରାଉନ୍‌ସୁଗାର ଜବତ କରିଥିବା ବେଳେ ଇମ୍ରାନ ଖାନ ନିକଟରୁ 9.3 ଗ୍ରାମ୍ ଜବତ କରିଛି । ଏନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ତେବେ ଏମାନଙ୍କ ସହ ଆଉ କେଉଁ ମାନେ ସାମିଲ ଅଛନ୍ତି ସେମାନଙ୍କ ସଂପର୍କରେ ପୋଲିସ ଖୋଳତାଡ଼ ଆରମ୍ଭ କରିଥିବା ଜଣାପଡିଛି ।

ସେହିପରି ଗତ କିଛି ଦିନ ପୂର୍ବେ ମଧ୍ୟ ଅମରଗଡ଼ିଆ ଗ୍ରାମ ନିକଟରେ ପାଟ୍ରୋଲିଂ ସମୟରେ ଅବକାରୀ ବିଭାଗ 45 ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା । ଏଥିସହିତ ଏଥିରେ ସମ୍ପୃକ୍ତ ନରିପୁର ଗ୍ରାମର ଗୀତାରାଣୀ ବେହେରା ଏବଂ ସୁଶାନ୍ତ କୁମାର ଦାସଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଭଦ୍ରକ ବସଷ୍ଟାଣ୍ଡ, ବନ୍ତ ଛକ, ଚରମ୍ପା ଷ୍ଟେସନ ବଜାର, ପୁରୁଣା ବଜାର, ଇଚ୍ଛାପୁର ଛକ, ଆରଡିଛକ, ଅମରଗଡ଼ିଆ, ଗାନ୍ଧି ପଡିଆର ସାଳନ୍ଦୀ ନଦୀବନ୍ଧ ଅଞ୍ଚଳରେ ବ୍ରାଉନ୍‌ସୁଗାର ବେପାର ବେଧଡ଼କ ଭାବେ ଚାଲିଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି। ହେଲେ ଏ ଦିଗରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ନିମାପଡ଼ାରୁ କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ତେବେ ଭଦ୍ରକ ଜିଲ୍ଲା ବ୍ରାଉନ୍‌ସୁଗାର ବେପାରୀଙ୍କ ହବ୍ ପାଲଟିଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଭଦ୍ରକ ପୋଲିସ ଏବଂ ଅବକାରୀ ବିଭାଗ ଜାଲ ବିଛାଇ ଥିଲେ ମଧ୍ୟ ସେମାନଙ୍କୁ ଧରିବାରେ ପୋଲିସ କି ଅବକାରୀ ବିଭାଗ ସେପରି ସଫଳ ହେଉନାହିଁ । ତେଣୁ ଭଦ୍ରକରେ ଦିନ ଦ୍ବିପ୍ରହରରେ ବ୍ରାଉନ୍‌ସୁଗାର ବେପାରୀ ନିଜର ଚୋରା କାରବାର ଚଳାଇଛନ୍ତି । ଏହି ବ୍ରାଉନ୍ ସୁଗାରର ଚେର ବାଲେଶ୍ଵର ଜିଲ୍ଲା ଜଳେଶ୍ଵରରୁ ଆରମ୍ଭ ହେଉଛି ବୋଲି ପୋଲିସ କହୁଥିବା ବେଳେ ସେପରି କୌଣସି ପଦକ୍ଷେପ ଗ୍ରହଣ କାହିଁକି କରାଯାଉନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.