ETV Bharat / state

ଭିସୁଟ ଛାତ୍ରୀ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ଛାତ୍ରୀଙ୍କ ଶେଷ ହ୍ୱାଟ୍‌ସ୍‌ ଆପ୍‌ ଚାଟ୍‌

author img

By

Published : Mar 3, 2023, 7:55 PM IST

vssut student chinmayee death case
vssut student chinmayee death case

ଭିସୁଟ ଛାତ୍ରୀ ମୃତ୍ୟୁ ଘଟଣାରେ ପରିବାର ଲୋକଙ୍କ ହତ୍ୟା ଅଭିଯୋଗ । ସାମ୍ନାକୁ ଆସିଛି ଛାତ୍ରୀଙ୍କ ଶେଷ ଚାଟ ମେସେଜ। ଅଧିକ ପଢନ୍ତୁ

ସାମ୍ନାକୁ ଆସିଲା ଛାତ୍ରୀଙ୍କ ଶେଷ ହ୍ୱାଟ୍‌ସ୍‌ ଆପ୍‌ ଚାଟ୍‌

ବଲାଙ୍ଗୀର: ବୁର୍ଲାରେ ଇଂଜିନିୟରିଂ ଛାତ୍ରୀ ମୃତ୍ୟୁ ଘଟଣାରେ ପରିବାର ଲୋକଙ୍କ ହତ୍ୟା ଅଭିଯୋଗ । ସଚିବଙ୍କ ପୁଅ ସାମିଲ ଥିବାରୁ ତଦନ୍ତ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା କରିଛନ୍ତି ମୃତକଙ୍କ ପରିବାର ଲୋକେ । ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ। ଅନ୍ୟପଟେ ସାମ୍ନାକୁ ଆସିଛି ଛାତ୍ରୀଙ୍କ ଶେଷ ହ୍ୱାଟ୍‌ସ୍‌ ଆପ୍‌ ଚାଟ ସ୍କ୍ରିନ୍‌ ସଟ୍‌ । ବଲାଙ୍ଗୀର ସହର ଟିକ୍ରପଡା ଡାକ୍ତର ବନମାଳୀ ସାହୁ ଓ ଲବଙ୍ଗ ସାହୁଙ୍କ ବଡ ଝିଅ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ । ଯିଏକି ବୁର୍ଲା ଭିସୁଟରେ ଆଇଟି ପାଠ ପଢୁଥିଲେ । ହେଲେ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ସେ ଆଉ ଘରକୁ ଫେରି ନଥିଲେ ।

ଗତ ମଙ୍ଗଳବାର ଦିନ ତାଙ୍କ ମୃତଦେହ ବୁର୍ଲା ପାୱାର ଚାନେଲରେ ଖୋଜା ଖୋଜି କଲା ପରେ ବୁଧବାର ଦିନ ତାଙ୍କର ମୃତଦେହ ପାଣି ମଧ୍ୟରୁ ଉଦ୍ଧାର ହୋଇଥିଲା । ତେବେ ଏହାକୁ ନେଇ ପରିବାର ଲୋକେ ଝିଅକୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଥିଲେ । ସେହିପରି ଆଜି ତୃତୀୟ ଦିନରେ ମଧ୍ୟ ତାଙ୍କ ପରିବାର ଲୋକେ ଏହି ଅଭିଯୋଗ କରିଛନ୍ତି । ତାଙ୍କ ଝିଅକୁ ହତ୍ୟା କରା ଯାଇଥିବାର କହିବା ସହ ଏଥିରେ ଗୃହ ବିଭାଗ ଅତିରିକ୍ତ ସଚିବ ପ୍ରଣବ ଦେ ଙ୍କ ପୁଅ ପ୍ରୀତିକାନ୍ତ ଦେ ସାମିଲ ଥିବାର ଏମାନେ ଅଭିଯୋଗ ଆଣିଛନ୍ତି । ତେବେ ସଚିବଙ୍କ ପୁଅ ଏଥିରେ ସାମିଲ ଥିବାରୁ ତଦନ୍ତ ବାଟବଣା ହୋଇପାରେ ବୋଲି ମୃତକଙ୍କ ପରିବାର ଲୋକେ ଆଶଙ୍କା କରିଛନ୍ତି।

ସେହିପରି ଛାତ୍ରୀଙ୍କ ମୃତ୍ୟୁ ପୂର୍ବରୁ ମାଆ ସହିତ ହୋଇଥିବା ଶେଷ ହ୍ୱାଟସ୍‌ ଆପ୍‌ ଚାଟ୍‌ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଛାତ୍ରୀ ଜଣକୁ ତାଙ୍କ ମା ସମାବର୍ତ୍ତନ ଉତ୍ସବର ଫଟୋ ମାଗିଥିଲେ । ତେବେ ଛାତ୍ରୀ ଜଣକ ତାଙ୍କ ସାଙ୍ଗ ପ୍ରୀତିକାନ୍ତ ମୋବାଇଲରୁ ଫଟୋ ପଠାଇଥିବା ମେସେଜ କରିଥିଲେ । ସେହିପରି ତାଙ୍କ ବସ୍‌ ରାତି 9ଟାରେ ଅଛି ବୋଲି ମଧ୍ୟ ସେ ମେସେଜରେ କହିଥିଲେ । ତେବେ ସେ ବସ୍‌ ଧରିବାକୁ ଯାଉଥିବାର ମେସେଜ କରିଥିବା ବେଳେ କେମିତି ସେ ବୁର୍ଲା ପାୱାର ଚାନାଲକୁ ଗଲେ ଓ ସେଠି ତାଙ୍କର ମୃତ୍ୟୁ ହେଲା ତାହା ଏବେ ବି ଅସ୍ପଷ୍ଟ । ସେହିପରି ତାଙ୍କ ଶେଷ ମେସେଜରୁ ତାଙ୍କ ସାଙ୍ଗରେ ପ୍ରୀତିକାନ୍ତ ଥିବା ମଧ୍ୟ ସ୍ପଷ୍ଟ ହୋଇଛି । ସେପଟେ ତାଙ୍କ ବାପା ଡାକ୍ତର ବନମାଳୀ ସାହୁ କହିଛନ୍ତି ଯେ ପୋଲିସର ପ୍ରଥମ ରିପୋର୍ଟରେ ସନ୍ତୁଷ୍ଟ ଥିବା ବେଳେ ପରବର୍ତ୍ତୀ ତଦନ୍ତରେ ସେମାନେ ସନ୍ତୁଷ୍ଟ ନଥିବାର ସେ କହିଛନ୍ତି ।

ଅନ୍ୟପଟେ ଝିଅର ବେକରେ ହାତ ଚିହ୍ନ ଓ ନଖ ଆମ୍ପୁଡିବା ଚିହ୍ନ ରହିଥିଲା । ଏଥିସହ ଅର୍ଦ୍ଧ ଚେତନା ଅବସ୍ଥାରେ ତାଙ୍କୁ ପାଣିରେ ଫିଙ୍ଗା ଯିବା ପରେ ତାହା ପାଣିରେ ବୁଡି ମରିବା ଭଳି ଜଣା ପଡୁଥିବାର ସେ କହିଛନ୍ତି । ତେବେ ଯେହେତୁ ଏହି ହତ୍ୟାକାଣ୍ଡରେ ସଚିବଙ୍କ ପୁଅ ସାମିଲ ଅଛି ତେଣୁ ତଦନ୍ତ ଦିଗହରା ହୋଇପାରେ ବୋଲି ସେ ଆଶଙ୍କା କରିବା ସହ ଏହି ଘଟଣାର ନିରପେକ୍ଷ ତଦନ୍ତ ନେଇ ଦାବି କରିଛନ୍ତି ।

ସେହିପରି ଛାତ୍ରୀଙ୍କ ମା ଲବଙ୍ଗ ସାହୁ ତାଙ୍କ ଝିଅ ସହ ଶେଷ ପର୍ଯ୍ୟନ୍ତ କଥା ହେଉଥିଲେ । ଏଥିସହ ତାଙ୍କ ତଣ୍ଟି କେହି ଚିପୁଥିବାର ସେ କହିଛନ୍ତି । ତେଣୁ ତାଙ୍କ ଝିଅକୁ ହତ୍ୟା କରାଯିବା ସହ ତାଙ୍କ ବେକରେ ଥିବା ସୁନା ଚେନ ଓ ମୋବାଇଲ ଗାୟବ ଥିଲା ତେଣୁ ତାଙ୍କୁ ନ୍ୟାୟ ଦରକାର ବୋଲି ସେ କହିଛନ୍ତି । ସେପଟେ ଏହାକୁ ନେଇ ଏକ ଟିମ୍‌ ଗଠିତ ହୋଇଛି ଯେଉଁମାନେ ବଲାଙ୍ଗୀର, ସୋନପୁର ଓ ଭୁବନେଶ୍ୱର ଯାଇ ତଦନ୍ତ କରିବେ ବୋଲି ସୂଚନା ପୋଲିସ ପକ୍ଷରୁ ମିଳିଛି । ତେବେ ଏହି ଘଟଣାରେ ପୋଲିସର ତଦନ୍ତ କେଉଁ ଆଡକୁ ଯିବ ତାହା ସମୟ ହିଁ କହିବ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.