ETV Bharat / state

ଲୋୟର ସୁକତେଲ ଡ୍ୟାମରେ ପଶିଲା ବନ୍ୟାଜଳ, ବୁଡିଲା ଶହ ଶହ ବର୍ଷର ଗାଁ

author img

By

Published : Aug 4, 2023, 1:12 PM IST

Updated : Aug 4, 2023, 2:14 PM IST

ଲୋୟର ଶୁକତେଲ ଡ୍ୟାମରେ ପଶିଲା ବନ୍ୟାଜଳ
ଲୋୟର ଶୁକତେଲ ଡ୍ୟାମରେ ପଶିଲା ବନ୍ୟାଜଳ

ଲୋୟର ସୁକତେଲ ଡ୍ୟାମରେ ପ୍ରବେଶ କରିଛି ବନ୍ୟାଜଳ । ଯାହାଫଳରେ ଶହ ଶହ ବର୍ଷର ଅନେକ ଗାଁ ଏବେ ସମ୍ପୂର୍ଣ୍ଣ ବିଲୀନ ହୋଇଯାଇଛି । ଅଧିକ ପଢନ୍ତୁ

ଲୋୟର ସୁକତେଲ ଡ୍ୟାମରେ ପଶିଲା ବନ୍ୟାଜଳ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ସ୍ୱପ୍ନ ସଫଳ ହୋଇଛି । ବନ୍ୟାଜଳ ଡ୍ୟାମ ମଧ୍ୟରେ ପ୍ରବେଶ କରିଛି । ଏହାରି ସହିତ ଏହାର ପାଣିରେ ବିଲୀନ ହୋଇଛି ଶହ ଶହ ବର୍ଷର ଗାଁ । ପର୍ଦ୍ଧିଆ ପାଳି, ଗଡଶଙ୍କର ଡୁଙ୍ଗୁରିପାଲି, ବଂଛୋର ପାଲି, ବିଜାପାଟି, ପୋଢ଼ ମୁଢ, ଖଗସା ବାହାଲ, ବଡ ତେଲେନ ପାଲି ଓ ସାନ ତେଲେନ ପାଲି ପ୍ରଭୃତି ଗ୍ରାମ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି । ଏବେ ଯାହା ରହିଯାଇଛି କେବଳ ଚିହ୍ନ । ସେପଟେ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ବିସ୍ଥାପିତ କରାଯାଉଛି । ପ୍ରଶାସନ ପକ୍ଷରୁ ଅସ୍ଥାୟୀ କେନ୍ଦ୍ରରେ ଲୋକଙ୍କୁ ଥଇଥାନ କରାଯାଇ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି ।

ଲୋୟର ସୁକତେଲ ଡ୍ୟାମ୍ କାର୍ଯ୍ୟ ଶେଷ ହେବା ଦିନଠାରୁ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ଏହିସବୁ ଗ୍ରାମର ଲୋକଙ୍କୁ ବିସ୍ଥାପନ କରିବା କାର୍ଯ୍ୟ ଆରମ୍ଭ କରିଥିଲା । ବଡ ବର୍ଷା ପୂର୍ବରୁ ପ୍ରାୟତଃ ସବୁ ଗାଁର ଲୋକଙ୍କୁ ସୁରକ୍ଷିତ ଭାବରେ ବିସ୍ଥାପନ କରାଯାଇଥିଲା । ଆଉ କିଛି ଗାଁମାନଙ୍କରେ ରହି ଯାଇଥିବା ଲୋକଙ୍କୁ ଶେଷ ମୁହୂର୍ତ୍ତରେ ବିସ୍ଥାପିତ କରାଯାଇଛି । ବଲାଙ୍ଗୀରରେ ଥିବା ଆରଆର କଲୋନୀ ଓ ଚୁଡାପଲି ଆଦିବାସୀ ଆଶ୍ରମ ସ୍କୁଲରେ ବିସ୍ଥାପିତଙ୍କୁ ଅସ୍ଥାୟୀ ଭାବରେ ଥଇଥାନ କରାଯାଇଛି । ପ୍ରଶାସନ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଉଥିବା ବେଳେ ପରବର୍ତ୍ତୀ ସମୟରେ ସେମାନଙ୍କୁ ଉଚିତ୍ ଥଇଥାନ କରାଯିବ ।

ଏହାମଧ୍ୟ ପଢନ୍ତୁ: ଲୋୟର ସୁକତେଲ ପ୍ରକଳ୍ପ ପାଇଁ ବିସ୍ଥାପିତ ହେଲେ ଜଗତର ନାଥ


ତେବେ ଲୋକମାନେ ଗାଁ ସିନା ଛାଡି ଦେଲେ, ହେଲେ ଭିଟାମାଟି ସହିତ ମୋହ ତୁଟାଇ ପାରିନାହାନ୍ତି । କାରଣ ଶହ ଶହ ବର୍ଷରୁ ସେହି ଗାଁ ତାଙ୍କର ଭିଟାମାଟି ଥିଲା । ସେଇଠି ବଢିଥିଲେ, ଖେଳିଥିଲେ । ସବୁ ପର୍ବପର୍ବାଣୀ ଯାନିଯାତ ଏକାଠି ପାଳନ କରୁଥିଲେ । ଗାଁ ସ୍କୁଲ ଚଟଶାଳିରୁ ପଢି ବଡ ମଣିଷ ହୋଇଥିଲେ । ଗାଁ ମନ୍ଦିରରେ ମୁଣ୍ଡିଆଟେ ମାରି ସବୁ ଦୁଃଖ କଷ୍ଟ ଜଣାଉଥିଲେ । ତେବେ ପ୍ରଶାସନ ଲୋକମାନଙ୍କ ଭାବାବେଗ ବୁଝି ଗାଁ ମନ୍ଦିରରୁ ଦେବାଦେବୀଙ୍କ ବିଗ୍ରହକୁ ଅସ୍ଥାୟୀ ମନ୍ଦିରକୁ ସ୍ଥାନାନ୍ତରିତ କରିଥିଲା । ନିକଟରେ ଗଡଶଙ୍କର ଡୁଙ୍ଗୁରିପାଲି ଗ୍ରାମ ମନ୍ଦିରରେ ଜଗନ୍ନାଥଙ୍କ ବିଗ୍ରହକୁ ଝାଙ୍କରପାଲି ଆରଆର କଲୋନୀ ସ୍ଥିତ ଅସ୍ଥାୟୀ ମନ୍ଦିରରେ ପ୍ରତିଷ୍ଠା କରାଯାଇଥିଲା । ଆଜି ସେହି ଗାଁ ସମ୍ପୂର୍ଣ୍ଣ ବୁଡି ଯାଇଛି । କେବଳ କିଛି ଚିହ୍ନ ଥିବାବେଳେ ମନ୍ଦିରର ଧ୍ବଜା ଫରଫର୍ ହୋଇ ଉଡୁଛି ।

ଅନ୍ୟପଟେ ଏବେ ବି ଡ୍ୟାମ ମଧ୍ୟକୁ ୧୮୦ରୁ ଅଧିକ କ୍ୟୁସେକ ପାଣି ପ୍ରବେଶ କରୁଛି । ଗତ ଦୁଇ ଦିନର ପ୍ରବଳ ବର୍ଷାରେ ଏହାର ପରିମାଣ ଅଧିକ ଥିବାବେଳେ ଦେଖୁ ଦେଖୁ କିଛି ଘଣ୍ଟା ମଧ୍ୟରେ ଗାଁ ଗଣ୍ଡା ଘରଦ୍ୱାର ବୁଡି ଯାଇଥିଲା । ସେପଟେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଲ ରାଣା କହିଛନ୍ତି ଯେ, ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ ଯେତେ ପାଣି ଡ୍ୟାମରେ ରଖିବାର ଥିଲା ତଦନୁଯାୟୀ ସେତେ ସଂଖ୍ୟକ ଗାଁଗୁଡିକୁ ଖାଲି କରାଯାଇଛି । ଲୋକଙ୍କୁ ବିଭିନ୍ନ ଥଇଥାନ କେନ୍ଦ୍ରରେ ରଖାଯିବା ସହ ସେମାନଙ୍କୁ ସବୁ ସୁବିଧା ଯୋଗାଇବାକୁ ପ୍ରଶାସନ କାମ କରୁଛି । ଆବଶ୍ୟକ ସ୍ଥଳେ ଲୋକମାନଙ୍କୁ ରନ୍ଧା ଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି ।


ଇଟିଭି ଭାରତ, ବଲାଙ୍ଗୀର

Last Updated :Aug 4, 2023, 2:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.