ETV Bharat / state

ଧାନ କିଣାରେ ଦୁର୍ନୀତି ନେଇ ଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରିଲା ବିଜେପି, ଅଭିଯୋଗକୁ ଉପଜିଲ୍ଲାପାଳଙ୍କ ଖଣ୍ଡନ

author img

By

Published : Dec 30, 2022, 10:34 PM IST

Paddy Purchase in Balangir
Paddy Purchase in Balangir

ବଲାଙ୍ଗୀର ଜିଲ୍ଲାରେ ଧାନ କିଣାରେ ଅବ୍ୟବସ୍ଥା ଓ ଅନିୟମିତତା ଅଭିଯୋଗ ଆଣି ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରାଉ କଲା ବିଜେପି । ସେପଟେ ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଠିକ ଚାଲିଥିବା କହିଛନ୍ତି ଉପଜିଲ୍ଲାପାଳ କୁମାର ନାଗ ଭୂଷଣ । ଅଧିକ ପଢ଼ନ୍ତୁ

ଧାନ କିଣାରେ ଦୁର୍ନୀତି ନେଇ ଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରିଲା ବିଜେପି

ବଲାଙ୍ଗୀର: ଜିଲ୍ଲାରେ ଧାନ କିଣାରେ ଅବ୍ୟବସ୍ଥା ଓ ଅନିୟମିତତା ଅଭିଯୋଗ ଆଣି ବିଜେପିର ଆନ୍ଦୋଳନ । ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରାଉ କଲା ବିଜେପି । ସେପଟେ ବିଜେପିର ଅଭିଯୋଗକୁ ଖଣ୍ଡନ କରି ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଠିକ ଚାଲିଥିବା କହିଛନ୍ତି ଉପଜିଲ୍ଲାପାଳ କୁମାର ନାଗ ଭୂଷଣ ।

ବଲାଙ୍ଗୀରରେ ଖରିଫ ଋତୁ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ସହ ଅନିୟମିତତା ଅଭିଯୋଗ ଆଣି ଶୁକ୍ରବାର ବିଜେପି ଦଳ ପକ୍ଷରୁ ଜିଲ୍ଲା ବେସାମରିକ ଯୋଗାଣ ବିଭାଗ ଘେରାଉ କରାଯାଇଥିଲା । ତେବେ ଏଥିରେ ବଲାଙ୍ଗୀର ଜିଲ୍ଲାର ଶତାଧିକ ବିଜେପି କର୍ମୀଙ୍କ ସହ ଲୋଇସିଂହା ବିଧାୟକ ମୁକେଶ ମହଲିଙ୍ଗ, ବିଜେପି ସଭାପତି ଶିବାଜୀ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ । ତେବେ ବିଜେପି ଗତ କିଛି ଦିନ ତଳେ ସବୁ ଜିଲ୍ଲାପାଳଙ୍କୁ ଭେଟି ମଣ୍ଡି ବ୍ୟବସ୍ଥା ସୁଦୃଢ଼ କରିବାକୁ ଦାବି ଜଣାଇ ଥିଲା । ସେହିପରି ବିଜେପି ମଣ୍ଡି ଚାଲ ଅଭିଯାନ କରିଥିବା ବେଳେ ଅନେକ ସ୍ଥାନରେ ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ କରିଛନ୍ତି ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି । ସମାନ ଭାବରେ ଲୋଇସିଂହା ବିଧାୟକଙ୍କୁ ମଧ୍ୟ ଆକ୍ରମଣ ହୋଇଥିବାର ସେ ଅଭିଯୋଗ ଆଣିଛନ୍ତି । ତେବେ ଆଗକୁ ମଣ୍ଡିରେ ସୁବ୍ୟବସ୍ଥା ନହେଲେ ଏମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

ସେପଟେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ତାଙ୍କୁ ମଣ୍ଡି ବୁଲିବା ସମୟରେ ଆକ୍ରମଣ ହୋଇଥିବା କହିଥିବାବେଳେ ଏବେ ମାମଲା ଥାନାରେ ଥିବାର ସେ କହିଛନ୍ତି । ସେହିପରି ଚାଷୀଙ୍କୁ ଧାନର ଉଚିତ ମୂଲ୍ୟ ପ୍ରଦାନ, ମଣ୍ଡିରେ କଟନିଛଟନୀ ବନ୍ଦ, ଚାଷୀଙ୍କୁ ବସ୍ତା ଓ ସୁତୁଲି ଟଙ୍କା ପ୍ରଦାନ ସହ CSOଙ୍କ ବଦଳି ଭଳି 5ଟି ଦାବି ବିଜେପି କରୁଛି ବୋଲି ସେ କହିଛନ୍ତି । ସେପଟେ ବିଜେପିର ଏହି ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛି ଜିଲ୍ଲା ପ୍ରଶାସନ । ବଲାଙ୍ଗୀର ଉପଜିଲ୍ଲାପାଳ କୁମାର ନାଗ ଭୂଷଣ ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଠିକ ଥିବାର କହିଛନ୍ତି । ତେବେ ଯେଉଁ ସ୍ଥାନରେ ଅନିୟମିତିତା ପରିଲକ୍ଷିତ ହେଉଛି ତା ଉପରେ କାର୍ଯ୍ୟାନୁଷ୍ଠାନ ହେଉଥିବାର ସେ ପ୍ରକାଶ କରିଛନ୍ତି । ସେହିପରି ବିଭିନ୍ନ ସ୍କ୍ବାଡ ଗଠନ କରାଯାଇ ସବୁ ଯାଞ୍ଚ ଚାଲିଥିବା ବେଳେ ମିଲିଂ କାପାସିଟି ମଧ୍ୟ ପୁନଃ ଯାଞ୍ଚ କରାଯାଉଥିବା ସେ କହିଛନ୍ତି । ତେବେ ଆଗକୁ ମଧ୍ୟ ଅନିୟମିତତା ସାମ୍ନାକୁ ଆସିଲେ ତା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.