ETV Bharat / state

ଓଡ଼ିଶାର ପ୍ରମୁଖ ଜନଜାତି ଗୋଣ୍ଡ ସମାଜ ବହୁତ ଆଗକୁ ଭାବୁଥାଏ: ଧର୍ମେନ୍ଦ୍ର ପ୍ରଧାନ

author img

By ETV Bharat Odisha Team

Published : Jan 14, 2024, 10:13 PM IST

ଗୋଣ୍ଡ ଆଦିବାସୀ ସମାଜ
Gond Tribal Community

Gond Tribal Community: ଅନୁଗୋଳ ଆଠମଲ୍ଲିକରେ ଗୋଣ୍ଡ ସମାଜର ଜଙ୍ଘାଦେଓ ପୀଠ ପ୍ରତିଷ୍ଠା ଏବଂ ଦାରୁ ବିଗ୍ରହ ସ୍ଥାପନା ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି । ସେପଟେ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ରାଜ୍ୟପାଳ । ଅଧିକ ପଢ଼ନ୍ତୁ

Gond Tribal Community

ଅନୁଗୋଳ: ଅନୁଷ୍ଠିତ ହୋଇଛି ଅନୁଗୋଳ ଆଠମଲ୍ଲିକରେ ଗୋଣ୍ଡ ସମାଜର ଜଙ୍ଘାଦେଓ ପୀଠ ପ୍ରତିଷ୍ଠା ଏବଂ ଦାରୁ ବିଗ୍ରହ ସ୍ଥାପନା ଉତ୍ସବ । ରାଜ୍ୟପାଳଙ୍କ ଦ୍ବାରା ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ମଧ୍ୟ ଉନ୍ମୋଚିତ ହୋଇଛି । ତେବେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ବେଳେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡାର ମନୋରମ ପରିବେଶରେ ଗୋଣ୍ଡ ସମାଜର ଆରାଧ୍ୟ ଦେବତା ଜଙ୍ଘାଦେଓଙ୍କ ପୀଠ ପ୍ରତିଷ୍ଠା ହେବା ଆନନ୍ଦର ମୁହୂର୍ତ୍ତ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାଜ୍ୟପାଳ ରଘୁବର ଦାସଙ୍କ ସହ ଗୋଣ୍ଡ ସମାଜର 'ସର୍ବୋଚ୍ଚ ପ୍ରକୃତି ଶକ୍ତି ଜଙ୍ଘା ପେନଠାନା (ପୀଠ) ପ୍ରତିଷ୍ଠା ଓ ନବନିର୍ମିତ ଦାରୁ ଦେବତାଙ୍କ ପେନଠାନା ପ୍ରବେଶ ଉତ୍ସବ'ରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଓଡ଼ିଶା ପାଇଁ ଆଜି ଏକ ଗୌରବର ଦିନ । ଗୋଣ୍ଡ ସମାଜ ଆମ ରାଜ୍ୟ ଓଡ଼ିଶାର ପ୍ରମୁଖ ଜନଜାତି ସମାଜ । ବହୁତ ଆଗକୁ ଭାବୁଥିବାର ସମାଜ । ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଦୂରଦୃଷ୍ଟିରେ ଆମ୍ବସରମୁଣ୍ଡା ଗାଁ ସ୍ଥାପିତ ହୋଇଥିଲା । ଆଜି ଯେତେବେଳେ ଅଯୋଧ୍ୟାରେ ୫୦୦ ବର୍ଷ ପରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠା ହେଉଛି, ସେହି ସମୟରେ ଗୋଣ୍ଡ ସମାଜର ଆରାଧ୍ୟ ଦେବତା ପ୍ରଭୁ ଜଙ୍ଘାଦେଓଙ୍କ ଭବ୍ୟ କାର୍ଯ୍ୟକ୍ରମରେ ସାମିଲ ହେବା ମୋର ସୌଭାଗ୍ୟ । ଓଡ଼ିଆ ସଂସ୍କୃତି ଓ ଜନଜାତି ସଂସ୍କୃତିରେ ପ୍ରଭୁ ଜଙ୍ଘାଦେଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଂଶ ବୋଲି କୁହାଯାଏ ।" ଏହି ସଫଳ ଉଦ୍ୟମ ପାଇଁ କେନ୍ଦ୍ରମନ୍ତ୍ରୀ ଗୋଣ୍ଡ ସମାଜର ବ୍ୟକ୍ତିବିଶେଷ, ମାତୃଶକ୍ତି ବିଶେଷ ଭାବରେ ଯୁବ ସମାଜକୁ ଧନ୍ୟବାଦ ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପତ୍ନୀଙ୍କ ସହ ହିଙ୍ଗୁଳା ମନ୍ଦିର ସଫେଇ କଲେ ଧର୍ମେନ୍ଦ୍ର

ଏହି ଅବସରରେ ରାଜ୍ୟପାଳଙ୍କ ଦ୍ବାରା ଭାରତର ମହାନ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଥିଲା । ଏନେଇ କେନ୍ଦ୍ରମନ୍ତ୍ରୀ ଖୁସି ପ୍ରକାଶ କରିବା ସହ କହିଛନ୍ତି, "୧୮୫୭ ମସିହା ବ୍ରିଟିଶ ବିରୋଧୀ ଲଢେଇରେ ବୀର ସୁରେନ୍ଦ୍ର ସାଏ ନେତୃତ୍ବ ନେଇଥିଲେ । ଇତିହାସ ପୃଷ୍ଠାରେ ଅନାଲୋଚିତ ଅଜଣା ନାୟକମାନଙ୍କୁ ଖୋଜି ସେମାନଙ୍କୁ ରାଷ୍ଟ୍ରୀୟ ସ୍ତରରେ ପରିଚିତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ପରାମର୍ଶ ଦେଇଛନ୍ତି । ସୁରେନ୍ଦ୍ର ସାଏଙ୍କ ସୌର୍ଯ୍ୟପୂର୍ଣ୍ଣ ଲଢେଇ ଏବଂ ତାଙ୍କ ସଶସ୍ତ୍ର ସଂଗ୍ରାମ ଆଜିର ଯୁବ ସମାଜକୁ ସର୍ବଦା ପ୍ରେରିତ କରିବ । ଆଜି ଗରିବ ଲୋକ ମାନଙ୍କର ଆସ୍ଥାର ନୂଆ ନେତୃତ୍ବ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହିଳାମାନେ ସଶକ୍ତ ହେଉଛନ୍ତି ।" ୨୦୩୬ରେ, ଅର୍ଥାତ ପ୍ରାୟ ୧୩ ବର୍ଷ ପରେ ଓଡିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ୨୦୪୭ରେ, ଅର୍ଥାତ ପ୍ରାୟ ୨୪ ବର୍ଷ ପରେ ଭାରତ ସ୍ବାଧୀନତା ପାଇବାର ୧୦୦ ବର୍ଷ ପୂରଣ କରିବ । ଏହି ସମୟ ଭିତରେ ଆମେ ବିକଶିତ ଭାରତ ପ୍ରତି ନିଜର ଦାୟିତ୍ବ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.