ETV Bharat / sports

ବିପଦରେ ଟେଷ୍ଟ ମ୍ୟାଚ୍‌ ଭବିଷ୍ୟତ ! ୨-୩ରୁ ଅଧିକ ଚାଲୁନି ମ୍ୟାଚ୍‌, 642 ବଲରେ ସରିଲା ‘ସବୁଠୁ ଛୋଟ’ ଟେଷ୍ଟ

author img

By ETV Bharat Odisha Team

Published : Jan 4, 2024, 10:52 PM IST

FUTURE OF TEST CRICKET IS IN DANGER
FUTURE OF TEST CRICKET IS IN DANGER

Test crickets future in danger: ବିପଦରେ କ୍ରିକେଟ ଟେଷ୍ଟ ମ୍ୟାଚ୍‌ର ଭବିଷ୍ୟତ । ପୂର୍ବରୁ ୫ ଦିନ ଧରି ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ ଏବେ ୨ ଦିନ ବି ଚାଲୁନି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି ଟେଷ୍ଟ ମ୍ୟାଚର ରୋମାଞ୍ଚ । ପୂର୍ବରୁ ଟେଷ୍ଟ ମ୍ୟାଚ୍‌ରେ ଦୀର୍ଘ ୫ ଦିନ ଧରି ଖେଳାଳିଙ୍କ ପରୀକ୍ଷା ହେଉଥିଲା । ଲାଲ ବଲ୍‌ ଅଧିକ ସ୍ବିଙ୍ଗ ଓ ସିମ ହେଉଥିବା ଯୋଗୁଁ ବ୍ୟାଟରମାନେ ଭଲ ପ୍ରଦର୍ଶନରେ କରିବାରେ ଅସୁବିଧା ଭୋଗୁଥିବା ବେଳେ ସେପଟେ ହେଉଥିଲା ୱିକେଟ ବର୍ଷା । ପୂର୍ବରୁ ୫ ଦିନ ଧରି ଚାଲୁଥିବା ମ୍ୟାଚ୍‌ ଏବେ ୨ରୁ ୩ ଦିନ ମଧ୍ୟରେ ଶେଷ ହେଉଛି । ଘରୋଇ ଦକ୍ଷିଣ ଆଫ୍ରିକ ଓ ଭାରତ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ ମଧ୍ୟ ବେଶୀ ଦିନ ଖେଳାଯାଇନାହିଁ । ଏହି ଟେଷ୍ଟ ସିରିଜର ଦ୍ବିତୀୟ ଟେଷ୍ଟ ମ୍ୟାଚ ମାତ୍ର ଦେଢ ଦିନରେ ଶେଷ ହୋଇ ରେକର୍ଡ ସୃଷ୍ଟି କରିଛି ।

କାହିଁକି ୨-୩ ଦିନ ମଧ୍ୟରେ ସରୁଛି ଟେଷ୍ଟ ମ୍ୟାଚ ?:- ୧୮୭୭ ମସିହାରେ ପ୍ରଥମେ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଥିଲା । ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ମାର୍ଚ୍ଚ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଖେଳାଯାଇଥିଲା । ତତ୍କାଳୀନ ମ୍ୟାଚ୍‌ ଓ ବର୍ତ୍ତମାନର ଟେଷ୍ଟ ମ୍ୟାଚ ମଧ୍ୟରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳୁଛି । ପୂର୍ବରୁ ଦୀର୍ଘ ୫ ଦିନ ଧରି ଟେଷ୍ଟ ମ୍ୟାଚ୍‌ ଖେଳୁଥିଲେ କ୍ରିକେଟର । ମାତ୍ର ଏବେ ୨ରୁ ୩ ଦିନ ମଧ୍ୟରେ ଏହା ସରିଯାଉଛି । ଟେଷ୍ଟ ମ୍ୟାଚ ସମସ୍ତ ଟିମ ଭିନ୍ନ ଭିନ୍ନ ସ୍ଥିତିରେ ଖେଳିଥାନ୍ତି । ଯେଉଁ ଟିମ ଏହାର ଆୟୋଜକ ହୋଇଥାଏ ସେମାନେ ନିଜ ସୁବିଧା ଅନୁଯାୟୀ ପିଚ୍‌ ପ୍ରସ୍ତୁତ କରନ୍ତି । ଏହି ପିଚ୍‌ରେ ଅଧିକାଂଶ ବିପକ୍ଷ ଟିମ ଅସୁବିଧାର ସମ୍ମୁଖୀନ ହୁଏ ।

ଦର୍ଶକଙ୍କୁ ଭାରତରେ ସ୍ପିନ୍‌ ପିଚ୍‌ ଦେଖିବାକୁ ମିଳୁଥିବା ବେଳେ ସେପଟେ ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆରେ ଦ୍ରୁତ ଏବଂ ବାଉନ୍ସ ପିଚ୍‌ ଦେଖିବାକୁ ମିଳେ । ଏଭଳି ସ୍ଥିତିରେ ଏସୀୟ ଟିମ ବିଦେଶ ମାଟିରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଇଂଲଣ୍ଡ ପିଚ୍‌ରେ ବଲ୍‌ ଅଧିକ ସ୍ବିଙ୍ଗ କରିଥାଏ । ଏଣୁ ଏଭଳି ପିଚ୍‌ରେ ବିଦେଶ ମାଟିରେ ଖେଳୁଥିବା ଟିମ ମାଟି କାମୁଡିଥାଏ । ଏହାସହ ୨ରୁ ୩ ଦିନ ମ୍ୟାଚ୍‌ ହାରିଥାଏ ।

୨ଦିନରେ ଶେଷ ହୋଇଥିବା ଟେଷ୍ଟ ମ୍ୟାଚ୍‌:- ଏହାର ତାଜା ନମୁନା ହେଉଛି ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ । ଏହା ୨ଦିନ ନୁହେଁ, ବରଂ ଦେଢ ଦିନରେ ଶେଷ ହୋଇଛି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଘରୋଇ ମୈଦାନରେ ଦ୍ରୁତ ଓ ବାଉନ୍ସ ପିଚ୍‌ ପ୍ରସ୍ତୁତ କରିଥିଲା । ଯୋଜନା ଥିଲା ଭାରତୀୟ ଟିମ ଏଭଳି ପିଚ୍‌ରେ ମାଟି କାମୁଡିବେ ଏବଂ ଘରୋଇ ଦଳକୁ ସହଜରେ ବିଜୟ ମିଳିବ । ହେଲେ ବାଜି ଓଲଟା ପଡ଼ିଥିଲା । କେପଟାଉନରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୩.୨ ଓଭର ସୁଦ୍ଧା ମାତ୍ର ୫୫ ରନ୍‌ କରି ଅଲଆଉଟ୍‌ ହୋଇଥିଲା ।

ଭାରତ ପ୍ରଥମ ପାଳିରେ ୩୪.୫ ଓଭର ଖେଳି ୧୫୩ ରନ୍‌ରେ ଅଲଆଉଟ୍‌ ହୋଇଥିଲା । ଏହାସହ ୧୧ ବଲ୍‌ରେ ୬ ୱିକେଟ ହରାଇଥିଲା । ଏହାପରେ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ବିତୀୟ ପାଳିରେ ୩୬.୫ ଓଭର ଖେଳି ୧୭୬ ରନ୍‌ କରିଥିଲା । ଏହାପରେ ଭାରତ ଆଗରେ ୭୯ ରନ୍‌ ଟାର୍ଗେଟ ଥିବା ବେଳେ ଏହାକୁ ସଫଳତାପୂର୍ବକ ପୂରଣ କରିଥିଲା ଟିମ ଇଣ୍ଡିଆ । ଏହାସହିତ ଭାରତକୁ ମିଳିଥିଲା ଐତିହାସିକ ବିଜୟ ।

  • ୧୮୮୨ ମସିହାରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ୨ ଦିନରେ ଶେଷ ହୋଇଥିଲା । ଅଷ୍ଟ୍ରେଲିଆ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରିଥିଲା ।
  • ୧୮୮୯ ମସିହାରେ ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ୍ ୨ ଦିନରେ ଶେଷ ହୋଇଥିଲା । ଏହି ସିରିଜ କବଜା କରିଥିଲା ଇଂଲଣ୍ଡ ।
  • ୧୯୧୨ ମସିହାରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା, ଯାହାକି ୨ ଦିନ ମଧ୍ୟରେ ଶେଷ ହୋଇଥିଲା ଏବଂ ଅଷ୍ଟ୍ରେଲିଆ ଜିତିଥିଲା ।
  • ୨୦୦୦ ମସିହାରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟେଷ୍ଟ ମ୍ୟାଚ୍ ୨ ଦିନରେ ଶେଷ ହୋଇଥିଲା । ଏହି ମ୍ୟାଚ ଜିତିଥିଲା ଇଂଲଣ୍ଡ ।
  • ୨୦୦୨ରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଟେଷ୍ଟ ମ୍ୟାଚ୍ ମଧ୍ୟ ୨ ଦିନରେ ଶେଷ ହୋଇଥିଲା । ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌ ଜିତିଥିଲା ।
  • ୨୦୦୫ରେ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ମଧ୍ୟରେ ହୋଇଥିବା ଟେଷ୍ଟ ମ୍ୟାଚ୍ ମଧ୍ୟ ୨ ଦିନରେ ଶେଷ ହୋଇଥିଲା । ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲା ।
  • ୨୦୦୭ ମସିହାରେ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ମଧ୍ୟରେ ହୋଇଥିବା ଟେଷ୍ଟ ମ୍ୟାଚ୍ ମଧ୍ୟ ୨ ଦିନରେ ଶେଷ ହୋଇଥିଲା । ଏହି ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା କବଜା କରିଥିଲା ।
  • ୨୦୧୮ରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ହୋଇଥିବା ଟେଷ୍ଟ ମ୍ୟାଚ୍ ମଧ୍ୟ ୨ ଦିନରେ ଶେଷ ହୋଇଥିଲା । ଏଥିରେ ବିଜୟୀ ହୋଇଥିଲା ଇଣ୍ଡିଆନ ଟିମ ।
  • ୨୦୨୩ ମସିହାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର ଗାଭାସ୍କର ଟ୍ରଫି ଖେଳାଯାଇଥିଲା । ଏହାର ୨ଟି ମ୍ୟାଚ୍ ଅଢେଇ ଦିନରେ ଶେଷ ହୋଇଥିଲା । ଏହି ୨ଟି ମ୍ୟାଚ୍ ୧୦ ଦିନ ପରିବର୍ତ୍ତେ ୫ ଦିନ ହୋଇଥିଲା । ଏହି ମ୍ୟାଚଗୁଡିକରେ ଭାରତ ବିଜୟୀ ହୋଇଥିଲା ।

ସୂଚନା ଥାଉ କି ଗତ ୫ ବର୍ଷ ଧରି କ୍ରିକେଟ ଟେଷ୍ଟ ମ୍ୟାଚ୍‌ର ଭବିଷ୍ୟତ ବିପଦଗାମୀ ହେଉଥିବା ପରିଲକ୍ଷିତ ହେଉଛି । ଏହି ଧାରା ଗତ ୫ ବର୍ଷ ଧରି ବଜାୟ ରହିଥିବା ବେଳେ ୨ରୁ ୩ ଦିନ ମଧ୍ୟରେ ଶେଷ ହୋଇଯାଉଛି ଟେଷ୍ଟ ମ୍ୟାଚ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.