ETV Bharat / sports

India Tour of Ireland: ଆୟରଲାଣ୍ଡ ଗସ୍ତରେ ଟିମ୍‌ ଇଣ୍ଡିଆ, ଫଟୋ ସେୟାର କଲା BCCI

author img

By

Published : Aug 15, 2023, 9:48 PM IST

India Tour of Ireland
India Tour of Ireland

ଯଶପ୍ରୀତ ବୁମରାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଆଜିଠାରୁ ଆୟରଲାଣ୍ଡ ଗସ୍ତରେ ଯାତ୍ରା କରିଛି । ଏନେଇ ନିଜ 'ଏକ୍ସ' ହ୍ୟାଣ୍ଡେଲରେ ଫଟୋ ପୋଷ୍ଟ କରି ସୂଚନା ଦେଇଛି ବିସିସିଆଇ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଭାରତୀୟ ଦଳର ୱେଷ୍ଟଇଣ୍ଡିଜ ଗସ୍ତ ଶେଷ ହୋଇଛି । ୱେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ଵ ନେଇଥିଲେ । ତେବେ ଭାରତକୁ ସଫଳତା ଦେଇପାରିନଥିଲା ପାଣ୍ଡ୍ୟା ବାହିନୀ । ଏହାପରେ ଆଜି ଏକ ଭିନ୍ନ ଦଳ ଆୟରଲାଣ୍ଡ ଗସ୍ତ କରିଛି । ଆହତ ସମସ୍ୟାରୁ ଏବେ ଏବେ ଫିଟ୍‌ ହୋଇଥିବା ଷ୍ଟାର ବୋଲର ଯଶପ୍ରୀତ ବୁମରାଙ୍କୁ ଆୟରଲାଣ୍ଡ ବିପକ୍ଷରେ ଅଧିନାୟକ ଦାୟିତ୍ଵ ଦିଆଯାଇଛି । ତେବେ ବୁମରାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଆଜି ଆୟରଲାଣ୍ଡ ଯାତ୍ରା କରିଛନ୍ତି । ଏନେଇ ଟ୍ବିଟ୍‌ କରି ସୂଚନା ଦେଇଛି ଖୋଦ୍ ବିସିସିଆଇ ।

ବିସିସିଆଇ ନିଜର 'ଏକ୍ସ' (ପୂର୍ବରୁ ଟ୍ବିଟର୍‌) ହ୍ୟାଣ୍ଡେଲରେ ଭାରତୀୟ ଦଳ ଆୟରଲାଣ୍ଡ ଯାତ୍ରା କରିବାର ଅନେକ ଫଟୋ ସେୟାର କରିଛି । ଏଥିରେ ଅଧିନାୟକ ଯଶପ୍ରୀତ ବୁମରାଙ୍କ ସହିତ ଋତୁରାଜ ଗାଏକୱାଡ, ପ୍ରସିଦ୍ଧ କ୍ରିଷ୍ଣା, ଜିତେଶ ଶର୍ମା, ରିଙ୍କୁ ସିଂ, ଶିବମ ଦୁବେ ଓ ୱାଶିଂଟନ ସୁନ୍ଦରଙ୍କୁ ଦେଖିବାକୁ ମିଳିଛି । ବୁମରାଙ୍କ ଚେହେରାରେ ଏକ ଭିନ୍ନ ଖୁସି ମଧ୍ୟ ଦେଖିବାକୁ ମିଳିଛି । କାରଣ ପ୍ରାୟ ଦେଢ଼ ବର୍ଷ ଧରି ପିଠିଜନିତ ଆହତ ସମସ୍ୟାରୁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଦୂରରେ ରହିବା ପରେ ସେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାକୁ ଆୟରଲାଣ୍ଡ ଯାଉଛନ୍ତି । କେବଳ ସେତିକି ନୁହେଁ, ସେ ପ୍ରଥମ ଥର ପାଇଁ ଟି୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଦଳର ନେତୃତ୍ଵ ମଧ୍ୟ ନେବେ ।

ଏହା ମଧ୍ୟ ପଢ଼ନ୍ତୁ...ଆୟର୍ଲାଣ୍ଡ ସିରିଜ ପାଇଁ ଦଳ ଘୋଷଣା, ଟିମ୍‌କୁ ଫେରି ନେତୃତ୍ୱ ନେବେ ଯଶପ୍ରୀତ ବୁମରା

ଆୟରଲାଣ୍ଡ ବିପକ୍ଷ ଟି୨୦ ଅଭିଯାନ ଆସନ୍ତା ଅଗଷ୍ଟ ୧୮ରୁ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ । ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍‌ର ସମସ୍ତ ମୁକାବିଲା ଡବଲିନ୍‌ରେ ଖେଳାଯିବ । ଦ୍ଵିତୀୟ ମ୍ୟାଚ୍ ଅଗଷ୍ଟ ୨୦ ଏବଂ ତୃତୀୟ ମ୍ୟାଚ୍ ଅଗଷ୍ଟ ୨୩ ତାରିଖରେ ଖେଳାଯିବ । ଏହାପରେ ଭାରତୀୟ ଦଳ ଏସିଆ କପ୍ ୨୦୨୩ ଖେଳିବ । ଏହା ପୂର୍ବରୁ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍‌ସିଏ)ରେ ଖେଳାଳିଙ୍କ ଶିବିର ଲାଗିବ । ତେବେ ବୁମରା ମଧ୍ୟ ଏସିଆ କପ୍ ୨୦୨୩ରେ ଭାରତୀୟ ଦଳରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଆୟରଲାଣ୍ଡ ବିପକ୍ଷରେ ୧୫ ଜଣିଆ ଭାରତୀୟ ଦଳ: ଯଶପ୍ରୀତ ବୁମରା (ଅଧିନାୟକ), ଋତୁରାଜ ଗାଏକ୍‌ୱାଡ (ଉପଅଧିନାୟକ), ଯଶସ୍ବୀ ଜୟସ୍ବାଲ, ରିଙ୍କୁ ସିଂ, ତିଲକ ବର୍ମା, ସଞ୍ଜୁ ସାମନ (ୱିକେଟ କିପର) , ଶିବମ ଦୁବେ, ଜିତେଶ ଶର୍ମା (ୱିକେଟ କିପର), ୱାସିଂଟନ ସୁନ୍ଦର, ଶାହବାଜ ଅହମ୍ମଦ, ରବି ବିଷ୍ଣୋଇ, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂହ, ଅଭେଶ ଖାନ, ମୁକେଶ କୁମାର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.