ETV Bharat / sports

IPL 2022: ବଦଳ ଖେଳାଳିରୁ ମ୍ୟାଚ୍‌ ବିଜେତା ପାଲଟିଲେ ରଜତ

author img

By

Published : May 26, 2022, 7:32 PM IST

IPL 2022: ବଦଳ ଖେଳାଳିରୁ ଭରଷା ଯୋଗ୍ୟ ଖେଳାଳି ପାଲଟିଲେ ରଜତ
IPL 2022: ବଦଳ ଖେଳାଳିରୁ ଭରଷା ଯୋଗ୍ୟ ଖେଳାଳି ପାଲଟିଲେ ରଜତ

ଆଇପିଏଲ ୨୦୨୨ ପାଇଁ ମେଗା ଅକ୍ସନରେ କୌଣସି ଫ୍ରାଞ୍ଚାଇଜ ରଜତଙ୍କୁ ନିଜ ଦଳରେ ସାମିଲ କରିବାକୁ ଆଗ୍ରହ ପ୍ରକାଶ କରିନଥିଲେ । ମାତ୍ର RCBରେ ସାମିଲ ଥିବା କର୍ଣ୍ଣାଟକ କ୍ରିକେଟର ଲୁଭିନ୍ଥ ସିସୋଦିଆ ଆହତ ହେବାପରେ ରଜତ ପାଟିଦାରଙ୍କୁ ବଦଳ ଖେଳାଳି ଭାବରେ ଦଳରେ ସାମିଲ କରାଯାଇଥିଲା । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: IPL 2022ର ରୋମାଞ୍ଚକର ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ୍‌କୁ ୧୪ ରନ୍‌ରେ ମାତ୍‌ ଦେବାସହ କ୍ବାଲିଫାୟର୍ସ ୨କୁ ଉନ୍ନୀତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB)। ତେବେ ବାଙ୍ଗାଲୋରର ଏହି ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲେ ଶୀର୍ଷକ୍ରମ ବ୍ୟାଟର ରଜତ ପାଟିଦାର । ଏହି ମ୍ୟାଚରେ ସେ ୫୪ ବଲ୍‌ରୁ ୧୧୨ ରନ୍‌ କରି ଦଳୀୟ ସ୍କୋର୍‌କୁ ୨୦୭ ରନ୍‌ରେ ପହଞ୍ଚାଇଥିଲେ ।

ପରେ ୨୦୮ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୧୯୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଚଳିତ ଆଇପିଏଲ ସିଜିନ୍‌ ଉଦୀୟମାନ କ୍ରିକେଟର ରଜତ ପାଟିଦାରଙ୍କ ପାଇଁ କୌଣସି ରୋଲର କୋଷ୍ଟର ରାଇଡ୍‌ଠାରୁ କମ୍‌ ନଥିଲା । ଚଳିତ ସିଜିନ୍‌ ପୂର୍ବରୁ ଆଇପିଏଲର ମେଗା ଅକ୍ସନ ହୋଇଥିଲା । କୌଣସି ଫ୍ରାଞ୍ଚାଇଜ ରଜତଙ୍କୁ ନିଜ ଦଳରେ ସାମିଲ କରିବାକୁ ଆଗ୍ରହ ପ୍ରକାଶ କରିନଥିଲେ । ମାତ୍ର RCBରେ ସାମିଲ ଥିବା କର୍ଣ୍ଣାଟକ କ୍ରିକେଟର ଲୁଭିନ୍ଥ ସିସୋଦିଆ ଆହତ ହେବାପରେ ରଜତ ପାଟିଦାର ବଦଳ ଖେଳାଳି ଭାବରେ ଦଳରେ ସାମିଲ ହୋଇଥିଲେ ।

ଏହି ସୁଯୋଗର ଭରପୁର ଫାଇଦା ଉଠାଇ ନିଜକୁ ପ୍ରମାଣିତ କରିଛନ୍ତି ରଜତ । ଜଣେ ବଦଳ ଖେଳାଳିରୁ ଦଳ ପାଇଁ ସେ ଜଣେ ଭରଷା ଯୋଗ୍ୟ ଖେଳାଳି ହୋଇ ପାରିଛନ୍ତି । ମାତ୍ର ୪୯ ବଲ୍‌ରେ ସେ ଅବିଶ୍ବସନୀୟ ଶତକୀୟ ଇଂନିସ ଖେଳି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଇନିଂସ ଆରମ୍ଭରୁ ଓପନର ଫାଫ୍‌ ଡୁ ପ୍ଲେସିସ୍‌ ଆଉଟ ହେବାପରେ ସେ ମୋର୍ଚ୍ଚା ସମ୍ଭାଳିଥିଲେ । ବଡ଼ ସଟ୍‌ ଖେଳି ଲକ୍ଷ୍ନୌ ବୋଲରଙ୍କ ଲାଇନ ଲେନ୍ଥ ବିଗାଡ଼ି ଦେଇଥିଲେ ।

ଏହାକୁ ନେଇ ରଜତ କହିଛନ୍ତି ଯେ, "ମୁଁ କେବଳ ବୋଲର ଓ ବଲ ଉପରେ ଫୋକସ କରୁଥିଲି । ପାୱାର ପ୍ଲେ'ର ଶେଷ ଓଭରରେ ବଡ଼ ସଟ୍‌ ଖେଳିବା ପରେ ମୋର ଆତ୍ମ ବିଶ୍ବାସ ବୃଦ୍ଧି ପାଇଥିଲା । ଏହି ପିଚ୍‌ରେ ବ୍ୟାଟ୍‌କୁ ବଲ୍‌ ଆସୁଥିଲା । ଏହାପରେ ମୁଁ ଆଉ କୌଣସି ଚାପ ଅନୁଭବ କରିନଥିଲି । ଡଟ୍‌ ବଲ୍‌ର ଭରଣା କରିବା ପାଇଁ ମୋ ପାଖରେ ଦକ୍ଷତା ରହିଛି । ଏହି ଦକ୍ଷତାର ମୁଁ ବ୍ୟବହାର କଲି ।"

ରଜତଙ୍କ ଏଭଳି ଇନିଂସ ପରେ ବାଙ୍ଗାଲୋର ଦଳ ତାଙ୍କୁ କେବେ ଟିମ୍‌ରୁ ବାହାର କରିବା ପାଇଁ ଚିନ୍ତା କରି ପାରିବ ନାହିଁ ବୋଲି ଆଲୋଚନା ହେଉଛି । ଏଲିମିନେଟର ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ଅନ୍‌କ୍ୟାପ୍‌ଡ ଖେଳାଳି ରଜତଙ୍କ ଏହି ଇନିଂସ ଅନ୍ୟ ଯୁବ ଖେଳାଳିଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର କରିଛି । ରଜତଙ୍କ ଭଳି ସେମାନେ ମଧ୍ୟ ସୁଯୋଗ ମିଳିଲେ ଫାଇଦା ଉଠାଇବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.