ETV Bharat / sports

ଜୟବର୍ଦ୍ଧନେ, ପଲକ, ବ୍ରିଟିନଙ୍କୁ ICC ହଲ୍‌ ଅଫ୍‌ ଫେମ ସମ୍ମାନ

author img

By

Published : Nov 13, 2021, 9:52 PM IST

Jayawardene, Pollock, Brittin enter ICC's Hall of Fame
ଜୟବର୍ଦ୍ଧନେ, ପଲକ୍‌, ବ୍ରିଟିନଙ୍କୁ ICC'ର ହଲ୍‌ ଅଫ୍‌ ଫେମ୍‌ ସମ୍ମାନ

ଜୟବର୍ଦ୍ଧନେ ୬୫୨ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି- ସେଥିମଧ୍ୟରେ ୧୪୯ଟି ଟେଷ୍ଟ, ୪୪୮ଟି ଦିନିକିଆ ଓ ୫୫ଟି ଟି-୨୦ ମ୍ୟାଚ୍‌ ରହିଛି । ଅଧିକ ପଢନ୍ତୁ...

ଦୁବାଇ: ଦକ୍ଷିଣ ଆଫ୍ରିକାର ସନ୍‌ ପଲକ, ଶ୍ରୀଲଙ୍କା'ର ମାହେଲା ଜୟବର୍ଦ୍ଧନେ ଓ ଇଂଲଣ୍ଡର ଜେନିଟି ବ୍ରିଟିନଙ୍କୁ ଶନିବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦର( ICC) ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି ।

ଜୟବର୍ଦ୍ଧନେ ୬୫୨ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି- ସେଥିମଧ୍ୟରେ ୧୪୯ଟି ଟେଷ୍ଟ, ୪୪୮ଟି ଦିନିକିଆ ଓ ୫୫ଟି ଟି-୨୦ ମ୍ୟାଚ୍‌ ରହିଛି । ନିଜ ଦେଶର ଜାତୀୟ ଟିମର ନେତୃତ୍ବ ନେବା ସହ ଟିମର ସ୍ଥିର ପ୍ରଦର୍ଶନକାରୀ ଥିଲେ ଜୟବର୍ଦ୍ଧନେ । ସେ ଖେଳିଥିବା ୧୪୯ଟି ଟେଷ୍ଟ କୌଣସି ଶୀଲଙ୍କା ଖେଳାଳିଙ୍କ ଠାରୁ ଅଧିକ । ସେହିପରି ଦିନିକିଆ ମ୍ୟାଚ୍‌ ସଂଖ୍ୟାରେ ସେ କେବଳ ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର(୪୬୩)ଙ୍କ ପଛରେ ରହିଛନ୍ତି ।

୪୯.୮୪ ଆଭରେଜରେ ୧୧,୮୧୪ ରନ୍‌ ସହ ଟେଷ୍ଟ କ୍ରିକେଟରେ ୯ମ ସର୍ବାଧିକ ରନସଂଗ୍ରହକାରୀ ଓ ଏହି ଫର୍ମାଟରେ ଷଷ୍ଠ ସର୍ବାଧିକ ଶତକ ହାସଲକାରୀ ରହିଛନ୍ତି ଜୟବର୍ଦ୍ଧନେ । ୩୪ଟି ଟେଷ୍ଟ ଶତକ ମଧ୍ୟରେ ୩୭୪ ରନ୍‌ର ମାରାଥନ ଇଂନିସ ତାଙ୍କର ଶ୍ରେଷ୍ଠ । ଏହା ଟେଷ୍ଟ କ୍ରିକେଟ ଇତିହାସରେ ଚତୁର୍ଥ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ । ବର୍ଷ ୨୦୦୬ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କୁମାର ସାଙ୍ଗାକାରାଙ୍କ ସହ ମିଶି ରେକର୍ଡ ୬୨୪ ରନ୍‌ର ଭାଗିଦାରୀ କରିଥିଲେ ମାହେଲା ।

ଦୁଇଥର ବିଶ୍ବକପ ରନର୍ସଅପ ଜୟବର୍ଦ୍ଧନେ ୨୦୧୧ ବିଶ୍ବକପ ଫାଇନାଲରେ ଭାରତ ବିପକ୍ଷରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ୧୦୩ ରନ୍‌ର ମାରାଥନ ଇଂନିସ ଖେଳିଥିଲେ ।

ତେବେ ବର୍ଷ ୨୦୧୫ ବିଶ୍ବକପରେ ଶ୍ରୀଲଙ୍କାର ଅଭିଯାନ ଶେଷ ହେବାପରେ ସେ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ କହିଥିଲେ । ସେହିପରି ବିଶ୍ବ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର ସନ୍‌ ପଲକ ୭,୩୮୬ ରନ୍‌ ସହ ୮୨୯ ୱିକେଟ ହାତେଇଛନ୍ତି ।

ପୂର୍ବତନ ଦକ୍ଷିଣ ଆଫ୍ରିକା ଖେଳାଲି ପିଟର ପଲକଙ୍କ ପୁତ୍ର ଓ ICC ହଲ୍‌ ଅପ୍‌ ଫେମ ଗ୍ରେମ ପଲକଙ୍କ ସଂପର୍କୀୟ ସନ୍‌ ପଲକ, ୧୦୮ଟି ଟେଷ୍ଟ, ୩୦୩ଟି ଦିନିକିଆ ଓ ୧୨ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି । ଇଂଲଣ୍ଡ ବିପକ୍ଷରେ ବର୍ଷ ୧୯୯୫ରେ ଟେଷ୍ଟ ଡେବ୍ୟୁ କରିବାପରେ ପ୍ରାୟ ୧୩ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ ।

ଜେନିଟି ବ୍ରିଟିନ ବର୍ଷ ୧୯୭୯ରୁ ୧୯୯୮ ମଧ୍ୟରେ ଇଂଲଣ୍ଡ ପାଇଁ ୨୭ଟି ଟେଷ୍ଟ ଓ ୬୩ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି । ମହିଳା ବ୍ୟାଟରଙ୍କ ମଧ୍ୟରେ ଅନ୍ୟତମ ଶ୍ରେଷ୍ଠ ବ୍ୟାଟର ରହିଛନ୍ତି ବ୍ରିଟିନ । ବର୍ଷ ୨୦୧୭ରେ ୫୬ ବର୍ଷ ବୟସରେ କ୍ୟାନସର୍‌ରେ ପୀଡିତ ହୋଇ ସେ ମୃତ୍ୟୁବରଣ କରିସାରିଛନ୍ତି । ସେ ଇଂଲଣ୍ଡର ୩୧ତମ ଖେଳାଳି ଭାବେ ICC ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.