ETV Bharat / sports

IPL 2023 KKR vs CSK: ଇଡେନ ଗାର୍ଡେନରେ ରନ ବର୍ଷା, 49 ରନରେ ଜିତି ଟେବୁଲ ଟପର ଚେନ୍ନାଇ

author img

By

Published : Apr 24, 2023, 12:36 AM IST

IPL 2023 KKR vs CSK
IPL 2023 KKR vs CSK

ଆଜି କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ମୁକାବିଲାରେ ଗୋଟିଏ ପାଳିରେ ଚଳିତ ସଂସ୍କଣର ସବୁଠାରୁ ବଡ଼ ସ୍କୋର ଦେଖିବାକୁ ମିଳିଥିଲା । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗସ 235 ରନ ସଂଗ୍ରହ କରିଥିଲା । ତେବେ କୋଲକାତା 186 ରନରେ ଅଟକିବା ପରେ 49 ରନରେ ବଡ଼ ବିଜୟ ହାସଲ କରିଛି ଚେନ୍ନାଇ । ଅଧିକ ପଢ଼ନ୍ତୁ

କୋଲକାତା: ଆଇପିଏଲ 2023ରେ ପ୍ରତିଟି ମ୍ୟାଚ ହେଉଛି ରୋମାଞ୍ଚକର । ତେବେ ଆଜିର ଦ୍ବିତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଚଳିତ ସଂସ୍କରଣର ସବୁଠାରୁ ବଡ଼ ସ୍କୋର କରିଥିଲା ଚେନ୍ନାଇ । ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ ହରାଇ 235 ରନ କରିଥିଲା ଦଳ । ତେବେ କୋଲକାତା କେବଳ 186 ରନ ପର୍ଯ୍ୟନ୍ତ ପହଞ୍ଚି ପାରିଛି । ଧୂଆଁଧାର ବ୍ୟାଟିଂ ପାଇଁ ଆଜିଙ୍କ୍ୟ ରାହାଣେ ଆଜି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

ଘରୋଇ ଗ୍ରାଉଣ୍ଡରେ ଟସ ଜିତି ପ୍ରଥମେ ଚେନ୍ନାଇକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ କୋଲକାତା ଅଧିନାୟକ ନୀତିଶ ରାଣା । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଚେନ୍ନାଇର ଦୃଢ଼ ମୂଳଦୁଆ ପକାଇଥିଲେ ପ୍ରାରମ୍ଭିକ ଯୋଡ଼ି । ଦଳୀୟ ସ୍କୋର 73 ରନ ବେଳେ ପ୍ରଥମ ୱିକେଟ ହରାଇଥିଲା ଦଳ । 20 ବଲରୁ 35 ରନ କରି ପାଭିଲିୟନ ଫେରିଥିଲେ ଋତୁରାଜ ଗାଏକୱାଡ । ଏହାପରେ ଡେଭନ କନୱେ 40 ବଲରୁ 4 ଚୌକା ଓ 3 ଛକା ବଳରେ 56 ରନ କରି ବରୁଣ ଚକ୍ରବର୍ତ୍ତୀଙ୍କ ଶିକାର ପାଲଟିଥିଲେ । ତେବେ ଆଜିଙ୍କ୍ୟ ରାହାଣେ ଶିବମ ଦୁବେଙ୍କ ବ୍ୟାଟରୁ ଆଜି ଚୌକା ଓ ଛକାର ବର୍ଷା ହୋଇଥିଲା । 21 ବଲରୁ ଦୃତ ଅର୍ଦ୍ଧଶତକ ହାସଲ କରି ପାଭିଲିୟନ ଫେରିଥିଲେ ଦୁବେ । ତାଙ୍କର ଏହି ପାଳିରେ 5ଟି ଛକା ଓ 2ଟି ଚୌକା ସାମିଲ ଥିଲା । ଜାଡେଜା 8 ବଲରୁ 18 ରନ କରି ଆଉଟ ହୋଇଥିବା ବେଳେ ଅଧିନାୟକ ଧୋନି 2 ରନ କରି ଅପରାଜିତ ଥିଲେ । ଅନ୍ୟପଟେ ଆଜି ମ୍ୟାଚ୍‌ରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଆଜିଙ୍କ୍ୟ ରାହାଣେ 29 ବଲରୁ ଧୂଆଁଧାର ବ୍ୟାଟିଂ କରି ଅପରାଜିତ 71 ରନ ସଂଗ୍ରହ କରିଥିଲେ । ଫଳରେ ଚଳିତ ସଂସ୍କରଣର ସର୍ବାଧିକ 235 ରନରେ ପହଞ୍ଚିଥିଲା ଚେନ୍ନାଇ ସୁପର କିଙ୍ଗସ ।

କୋଲକାତା ପକ୍ଷରୁ ଆଜି ପ୍ରାୟ ସମସ୍ତ ବୋଲର ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । କୁଲୱନ୍ତ ଖେଜ୍ରୋଲିୟା 3 ଓଭରରୁ 44 ରନ ବ୍ୟୟ କରି ସର୍ବାଧିକ 2ଟି ୱିକେଟ ପାଇଥିଲେ । ବରୁଣ ଚକ୍ରବର୍ତ୍ତୀ ଓ ସୂୟଶ ଶର୍ମାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ତେବେ ବରୁଣ ଚକ୍ରବର୍ତ୍ତୀ 4 ଓଭରୁ ସର୍ବାଧିକ 49 ରନ ବ୍ୟୟ କରିଥିଲେ ।

ଏହାପରେ ଚଳିତ ସଂସ୍କରଣର ସବୁଠାରୁ ବଡ଼ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା କୋଲକାତାକୁ ପ୍ରଥମ ଓଭରରେ ହିଁ ଝଟକା ଦେଇଥିଲେ ଚେନ୍ନାଇର ଆକାଶ ସିଂହ । ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ ସୁନୀଲ ନାରାୟଣ । ଏହାପରେ ତୁରନ୍ତ ଦ୍ବିତୀୟ ଓଭରରେ ମାତ୍ର 1 ରନ କରି ଅନ୍ୟ ପ୍ରାରମ୍ଭିକ ବ୍ୟାଟର ଏନ ଜଗଦୀଶନ ଆଉଟ ହୋଇଥିଲେ । ଭେଙ୍କଟେଶ ଆୟର ଓ ନୀତିଶ ରାଣା 20ଟି ଲେଖାଏଁ ବଲ ଖେଳି ଯଥାକ୍ରମେ 20 ଓ 27 ରନ କରି ଆଉଟ ହେବା ପରେ ଦଳର ଚାପ ବଢ଼ିଥିଲା । ତେବେ ଏହାପରେ ଜାଶନ ରଏ ଓ ରିଙ୍କୁ ସିଂହ ଦଳକୁ ବହୁତ ଆଗକୁ ନେଇଥିଲେ । ଧୂଆଁଧାର ବ୍ୟାଟିଂ କରି 26 ବଲରୁ 5ଟି ଲେଖାଏଁ ଛକା ଓ ଚୌକା ମାରି 61 ରନ କରିଥିଲେ ଜାଶନ ରଏ । ସେ ଉଟ ହେବାପରେ ଦଳର ସଙ୍କଟ ପୁଣି ବଢ଼ିଥିଲା । ଗୋଟିଏ ପଟେ ରିଙ୍କୁ ସିଂହ ପାଳି ସମ୍ଭାଳିଥିବା ବେଳେ ଅନ୍ୟପଟେ ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । ତେବେ ରିଙ୍କୁ ସିଂହ ଆଜି 33 ବଲରୁ 53 ରନ ସଂଗ୍ରହ କରିଥିଲେ । ହେଲେ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ସ୍କୋର କରିପାରିନଥିଲେ । ଫଳରେ ଦଳ 186 ରନରେ ଅଟକି ଯାଇଥିଲା ।

ଏନ୍ୟପଟେ ଚେନ୍ନାଇ ପକ୍ଷରୁ ତୁଷାର ଦେଶପାଣ୍ଡେ ଓ ମହୀଶ ତୀକ୍ଷାଣା 2ଟି ଲେଖାଏଁ ସଫଳତା ପାଇଥିଲେ । ଆକାଶ ସିଂହ, ମୋଇନ ଅଲ୍ଲୀ, ରବିନ୍ଦ୍ର ଜାଡେଜା ଓ ମଥିଶା ପଥିରାନାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା । ତେବେ ଆଜିର ମ୍ୟାଚ ଜିତିବା ପରେ 10 ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି ଚେନ୍ନାଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.