ETV Bharat / sports

ପୂରା ହେଲା ବିଶ୍ବକପ୍‌ ପ୍ରତିଶୋଧ, ଶୃଙ୍ଖଳା ହାରିଲା ଅଷ୍ଟ୍ରେଲିଆ

author img

By ETV Bharat Odisha Team

Published : Dec 1, 2023, 10:38 PM IST

Updated : Dec 1, 2023, 10:47 PM IST

ଶୃଙ୍ଖଳା ହାରିଲା ଅଷ୍ଟ୍ରେଲିଆ
ପୂରା ହେଲା ବିଶ୍ବକପ୍‌ ପ୍ରତିଶୋଧ

ପୂରା ହେଲା ବିଶ୍ବକପ୍‌ ପ୍ରତିଶୋଧ । ୪ର୍ଥ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୨୦ ରନରେ ହରାଇ ଶୃଙ୍ଖଳାରେ ୩-୧ରେ ଆଗୁଆ ରହିବା ସହ ସିରିଜ୍‌ କବ୍‌ଜା କରିନେଇଛି ଟିମ୍‌ ଇଣ୍ଡିଆ । ଅଧିକ ପଢ଼ନ୍ତୁ

ରାୟପୁର: ଦିନିକିଆ ବିଶ୍ବକପ୍‌ ପରାଜୟର ପୂରା ହେଲା ପ୍ରତିଶୋଧ । ବିଶ୍ବକପ୍‌ ପରେ ଆରମ୍ଭ ହୋଇଥିବା ଟି୨୦ ଶୃଙ୍ଖଳାରେ ଅଷ୍ଟ୍ରେଲିଆକୁ ହରାଇଛି ଟିମ୍‌ ଇଣ୍ଡିଆ । ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ପ୍ରଥମରୁ ଭାରତ କ୍ରମାଗତ ୨ଟି ବିଜୟ ହାସଲ କରିଥିବାବେଳେ ତୃତୀୟ ମ୍ୟାଚ୍‌ ଛଡ଼ାଇ ନେଇଥିଲେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ । ହେଲେ ୪ର୍ଥ ମ୍ୟାଚ୍‌ରେ ଦମଦାର କମ୍‌ବ୍ୟାକ୍‌ କରି ସିରିଜ୍‌ ସିଲ୍‌ କରିନେଇଛି ଭାରତ । ଆଜି ରାୟପୁରରେ ଖେଳାଯାଇଥିବା ୪ର୍ଥ ମ୍ୟାଚ୍‌ରେ ବ୍ୟାଟିଂରେ ସେତେଟା ଭଲ ପ୍ରଦର୍ଶନ କରିପାରିନଥିଲେ ବି ବୋଲରଙ୍କ କମାଲରେ ଅଷ୍ଟ୍ରେଲିଆକୁ ୨୦ ରନ୍‌ରେ ମାତ୍‌ ଦେଇଛି ଟିମ୍‌ ଇଣ୍ଡିଆ । ଫଳରେ ଗୋଟିଏ ମ୍ୟାଚ୍‌ ବାକି ଥାଇ ଏହି ସିରିଜ୍‌ ସିଲ୍‌ କରିନେଇଛି ସୂର୍ଯ୍ୟ ବାହିନୀ ।

ଭାରତ ବ୍ୟାଟିଂ: ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଆରମ୍ଭରୁ ଉଭୟ ଭାରତୀୟ ଓପନର କିଛିମାତ୍ରାରେ ଲୟରେ ନଥିବା ପରି ମନେ ହୋଇଥିଲେ । ହେଲେ ପରବର୍ତ୍ତୀ ମୂହୁର୍ତ୍ତରେ ଉଭୟ ପରସ୍ଥିତିକୁ ସମ୍ଭାଳିନେଇ ବ୍ୟାଟିଂ କରିଥିଲେ । ଉଭୟ ପ୍ରଥମ ୱିକେଟ୍‌ ପାଇଁ ଦଳୀୟ ଖାତାରେ ୫୦ ରନ ଯୋଡ଼ିଥିଲେ । ଏହାପରେ ୨୮ ବଲରୁ ୩୭ ରନ କରି ଯଶସ୍ବୀ ଜୟସ୍ବାଲ ଆଉଟ୍‌ ହୋଇଥିଲେ । ଋତୁରାଜ ଗାଏକ୍‌ୱାଡ୍‌ ୩୨ ରନର ପାଳି ଖେଳି ଆଉଟ୍‌ ହୋଇଥିଲେ । ଏହି ଶୃଙ୍ଖଳାରେ ପ୍ରଥମ ଥର ସୁଯୋଗ ପାଇଥିବା ଶ୍ରେୟସ ଆୟର କେବଳ ୮ ରନ କରି ଆଉଟ୍‌ ହୋଇଥିଲେ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ କେବଳ ୧ ରନ କରିବାକୁ ସକ୍ଷମ ହୋଇଥିଲେ । ଶେଷରେ ରିଙ୍କୁ ସିଂହ ଓ ଜିତେଶ ଶର୍ମା ଆକ୍ରାମଣାତ୍ମକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୬୦ ପାର କରାଇଥିଲେ । ଜିତେଶ ଶର୍ମା ୧୯ ବଲରୁ ୩୫ ରନ ସଂଗ୍ରହ କରିଥିବା ବେଳେ ରିଙ୍କୁ ୨୯ ବଲରୁ ୪୬ ରନ କରି ଆଉଟ୍‌ ହୋଇଥିଲେ । ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁବାରେ ସକ୍ଷମ ହୋଇନଥିଲେ । ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୭୪ ରନ କରିଥିଲା ଭାରତ ।

ଅଷ୍ଟ୍ରେଲିଆ ବୋଲିଂ: ଅଷ୍ଟ୍ରେଲିଆ ପକ୍ଷରୁ ଆଜି ଶୃଙ୍ଖଳା ରକ୍ଷା କରିବା ପାଇଁ ଭରପୁର ଚେଷ୍ଟା କରିଥିଲେ ବୋଲର । ବେଶ ଶୃଙ୍ଖଳିତ ବୋଲିଂ କରି ଏହି ଶୃଙ୍ଖଳାରେ ପ୍ରଥମ ଥର ପାଇଁ ଭାରତୀୟ ବ୍ୟାଟରଙ୍କୁ ୨୦୦ରୁ କମ୍‌ ସ୍କୋରରେ ଅଟକାଇ ପାରିଥିଲେ । ବେନ୍‌ ଡ୍ବାର୍‌ଶୁଇସ୍‌ ସର୍ବାଧିକ ୩ଟି ୱିକେଟ୍‌ ହାସଲ କରିଥିବାବେଳେ ଜାଶନ ବେରେନ୍‌ଡ୍ରଫ୍‌ ଓ ଟି ସାଙ୍ଘା ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । ଆରୋନ୍‌ ହାର୍ଡିଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ରାୟପୁରରେ ଭାରତୀୟ ବ୍ୟାଟରଙ୍କ ସଙ୍ଘର୍ଷ; ରିଙ୍କୁ-ଜିତେଶଙ୍କ ଲଢ଼ୁଆ ପାଳି ବଳରେ ଭାରତ ୧୭୪/୯

ଅଷ୍ଟ୍ରେଲିଆ ବ୍ୟାଟିଂ: ଶୃଙ୍ଖଳାରେ ଜୀବୀତ ରହିବା ପାଇଁ ଅଷ୍ଟ୍ରେଲିଆକୁ ୧୭୫ ରନ ଆବଶ୍ୟକତା ଥିଲା । ହେଲେ କେବଳ ୮ ରନ କରି ଆଉଟ୍‌ ହୋଇଥିଲେ ଜୋଶ ଫିଲିପ୍‌ । ଅନ୍ୟତମ ଓପନର ଟ୍ରାଭିସ୍‌ ହେଡ୍‌ ୩୧ ରନ କରି ଆଉଟ୍‌ ହୋଇଥିବାବେଳେ ବେନ୍‌ ମ୍ୟାକ୍‌ଡର୍‌ମୋଟ୍‌ ଓ ଟିମ୍‌ ଡେଭିଡ୍‌ ୧୯ ରନ ଲେଖାଏଁ କରିପାରିଥିଲେ । ମାଥ୍ୟୁ ଶର୍ଟ୍‌ ୨୨ ରନ କରି ଆଉଟ୍‌ ହୋଇଥିବା ବେଳେ ଶେଷ ପର୍ଯ୍ୟନ୍ତ ଲଢ଼ି ୨୩ ବଲରୁ ୩୬ ରନର ଅପରାଜିତ ପାଳି ଖେଳିଥିଲେ ଅଧିନାୟକ ମାଥ୍ୟୁ ୱେଡ୍‌ । ହେଲେ ଏହା ଦଳର ବିଜୟ ପାଇଁ ପର୍ଯ୍ୟାପ୍ତ ନଥିଲା । ଫଳରେ କେବଳ ୧୫୪ ରନ୍‌ରେ ଅଟକିଯାଇଥିଲା ଅଷ୍ଟ୍ରେଲିଆ । ଏହା ସହିତ ଭାରତ ଶୃଙ୍ଖଳା ହାତେଇ ନେଇଛି ।

ଭାରତ ବୋଲିଂ: ଭାରତ ପକ୍ଷରୁ ବେଶ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଅକ୍ଷର ପଟେଲ୍‌ ଚମତ୍କାର ସ୍ପେଲ୍‌ ବଳରେ ୪ ଓଭରରେ କେବଳ ୧୬ ରନ ବ୍ୟୟ କରି ୩ଟି ୱିକେଟ୍‌ ଅକ୍ତିଆର କରିଥିଲେ । ରବି ବିଷ୍ଣୋଇ ୪ ଓଭରରୁ ୧୭ ରନ ଦେଇ ଗୋଟିଏ ୱିକେଟ୍‌ ନେଇଥିଲେ । ଅନ୍ୟପଟେ ଦୀପକ ଚହରଙ୍କୁ ୨ଟି ସଫଳତା ମିଳିଥିବାବେଳେ ଅଭେଶ ଖାନଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 1, 2023, 10:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.