ETV Bharat / sports

ରାୟପୁରରେ ଭାରତୀୟ ବ୍ୟାଟରଙ୍କ ସଙ୍ଘର୍ଷ; ରିଙ୍କୁ-ଜିତେଶଙ୍କ ଲଢ଼ୁଆ ପାଳି ବଳରେ ଭାରତ ୧୭୪/୯

author img

By ETV Bharat Odisha Team

Published : Dec 1, 2023, 8:46 PM IST

Updated : Dec 1, 2023, 9:00 PM IST

ରିଙ୍କୁ-ଜିତେଶଙ୍କ ଲଢ଼ୁଆ ପାଳି ବଳରେ ଭାରତ ୧୭୪/୯
ରିଙ୍କୁ-ଜିତେଶଙ୍କ ଲଢ଼ୁଆ ପାଳି ବଳରେ ଭାରତ ୧୭୪/୯

ରାୟପୁରରେ ଭାରତୀୟ ବ୍ୟାଟରଙ୍କ ସଙ୍ଘର୍ଷ । ଅର୍ଦ୍ଧଶତକ କରିପାରିଲେନି କୌଣସି ବ୍ୟାଟର । ରିଙ୍କୁ ସିଂହ(୪୬) ଓ ଜିତେଶ ଶର୍ମା (୩୫) ବଳରେ ୯ ୱିକେଟ୍‌ ହରାଇ ୧୭୪ ରନ କରିଛି ପ୍ରଥମେ ବ୍ୟାଟିଂ କରିଥିବା ଭାରତ । ଅଧିକ ପଢ଼ନ୍ତୁ

ରାୟପୁର: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଟି୨୦ ଶୃଙ୍ଖଳାରେ ପ୍ରଥମ ଥର ପାଇଁ ଫେଲ୍‌ ମାରିଲେ ଭାରତୀୟ ବ୍ୟାଟର । ପ୍ରଥମ ୩ଟି ମ୍ୟାଚ୍‌ରେ ୨୦୦ରୁ ଅଧିକ ସ୍କୋର କରୁଥିବା ବ୍ୟାଟର ଆଜି ପ୍ରଥମେ ବ୍ୟାଟିଂ କରି କେବଳ ୧୭୪ ରନ୍‌ରେ ଅଟକିଯାଇଛନ୍ତି । ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳାରେ ପ୍ରଥମ ୨ଟି ମ୍ୟାଚ୍‌ କ୍ରମାଗତ ଭାବେ ଭାରତ ଜିତିବା ପରେ ୩ୟ ମ୍ୟାଚ୍‌ ଅଷ୍ଟ୍ରେଲିଆ ଜିତିନେଇଥିଲା । ଶୃଙ୍ଖଳାରେ ୨-୧ ସ୍ଥିତି ନେଇ ରାୟପୁରରେ ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ୪ର୍ଥ ମ୍ୟାଚ୍‌ ଖେଳୁଛି ଭାରତ । ହେଲେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ବ୍ୟାଟରମାନେ ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ତେବେ ରିଙ୍କୁ ସିଂହ (୪୬) ଓ ଜିତେଶ ଶର୍ମା (୩୫)ଙ୍କ ଲଢ଼ୁଆ ପାଳି ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୭୪ ରନ୍‌ ସଂଗ୍ରହ କରିଛି । ୨-୨ରେ ସ୍ଥିତି ବରାବର କରିବା ପାଇଁ ଅଷ୍ଟ୍ରେଲିଆ ଆଗରେ ୧୭୫ ରନର ଲକ୍ଷ୍ୟ ରହିଛି ।

ଭାରତ ବ୍ୟାଟିଂ: ଅଷ୍ଟ୍ରେଲିଆ ଟସ୍‌ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ଆହ୍ବାନ କରିଥିଲା । ଜବାବରେ ଆରମ୍ଭରୁ ଉଭୟ ଭାରତୀୟ ଓପନର କିଛିମାତ୍ରାରେ ଲୟରେ ନଥିବା ପରି ମନେ ହୋଇଥିଲେ । ହେଲେ ପରବର୍ତ୍ତୀ ମୂହୁର୍ତ୍ତରେ ଉଭୟ ପରସ୍ଥିତିକୁ ସମ୍ଭାଳିନେଇ ବ୍ୟାଟିଂ କରିଥିଲେ । ଉଭୟ ପ୍ରଥମ ୱିକେଟ୍‌ ପାଇଁ ଦଳୀୟ ଖାତାରେ ୫୦ ରନ ଯୋଡ଼ିଥିଲେ । ଏହାପରେ ୨୮ ବଲରୁ ୩୭ ରନ କରି ଯଶସ୍ବୀ ଜୟସ୍ବାଲ ଆଉଟ୍‌ ହୋଇଥିଲେ । ଋତୁରାଜ ଗାଏକ୍‌ୱାଡ୍‌ ୩୨ ରନର ପାଳି ଖେଳି ଆଉଟ୍‌ ହୋଇଥିଲେ । ଏହି ଶୃଙ୍ଖଳାରେ ପ୍ରଥମ ଥର ସୁଯୋଗ ପାଇଥିବା ଶ୍ରେୟସ ଆୟର କେବଳ ୮ ରନ କରି ଆଉଟ୍‌ ହୋଇଥିଲେ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ କେବଳ ୧ ରନ କରିବାକୁ ସକ୍ଷମ ହୋଇଥିଲେ । ଶେଷରେ ରିଙ୍କୁ ସିଂହ ଓ ଜିତେଶ ଶର୍ମା ଆକ୍ରାମଣାତ୍ମକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୬୦ ପାର କରାଇଥିଲେ । ଜିତେଶ ଶର୍ମା ୧୯ ବଲରୁ ୩୫ ରନ ସଂଗ୍ରହ କରିଥିବା ବେଳେ ରିଙ୍କୁ ୨୯ ବଲରୁ ୪୬ ରନ କରି ଆଉଟ୍‌ ହୋଇଥିଲେ । ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁବାରେ ସକ୍ଷମ ହୋଇନଥିଲେ । ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୭୪ ରନ କରିଛି ଭାରତ ।

ଏହା ମଧ୍ୟ ପଢ଼ନ୍ତୁ...4ର୍ଥ ଟି୨୦ ମ୍ୟାଚ୍‌ ପାଇଁ ଫ୍ୟାନ୍ସ ଉତ୍ସାହିତ, ଷ୍ଟାଡିୟମରେ ନାହିଁ ବିଜୁଳି

ଅଷ୍ଟ୍ରେଲିଆ ବୋଲିଂ: ଅଷ୍ଟ୍ରେଲିଆ ପକ୍ଷରୁ ଆଜି ଶୃଙ୍ଖଳା ରକ୍ଷା କରିବା ପାଇଁ ଭରପୁର ଚେଷ୍ଟା କରିଥିଲେ ବୋଲର । ବେଶ ଶୃଙ୍ଖଳିତ ବୋଲିଂ କରି ଏହି ଶୃଙ୍ଖଳାରେ ପ୍ରଥମ ଥର ପାଇଁ ଭାରତୀୟ ବ୍ୟାଟରଙ୍କୁ ୨୦୦ରୁ କମ୍‌ ସ୍କୋରରେ ଅଟକାଇ ପାରିଛନ୍ତି । ବେନ୍‌ ଡ୍ବାର୍‌ଶୁଇସ୍‌ ସର୍ବାଧିକ ୩ଟି ୱିକେଟ୍‌ ହାସଲ କରିଥିବାବେଳେ ଜାଶନ ବେରେନ୍‌ଡ୍ରଫ୍‌ ଓ ଟି ସାଙ୍ଘା ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । ଆରୋନ୍‌ ହାର୍ଡିଙ୍କୁ ଗୋଟିଏ ସଫଳତା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 1, 2023, 9:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.