ETV Bharat / sports

ବିଶ୍ବକପ୍‌ ୨୦୨୩: ଭାରତ ବିପକ୍ଷ ସେମି ଲଢ଼େଇ ପୂର୍ବରୁ କିୱି ଅଧିନାୟକଙ୍କ ଆତ୍ମବିଶ୍ବାସ, କହିଲେ ଏବେ ଅସଲ ଖେଳ ଆରମ୍ଭ

author img

By ETV Bharat Odisha Team

Published : Nov 14, 2023, 8:34 PM IST

ଭାରତ ବିପକ୍ଷ ସେମି ଲଢ଼େଇ ପୂର୍ବରୁ କିୱି ଅଧିନାୟକଙ୍କ ଆତ୍ମବିଶ୍ବାସ
ଭାରତ ବିପକ୍ଷ ସେମି ଲଢ଼େଇ ପୂର୍ବରୁ କିୱି ଅଧିନାୟକଙ୍କ ଆତ୍ମବିଶ୍ବାସ

ଆଇସିସି ବିଶ୍ବକପ୍‌ ୨୦୨୩ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମହାମୁକାବିଲା ପୂର୍ବରୁ କିୱି ଅଧିନାୟକ କେନ୍‌ ୱିଲିୟମସନ୍‌ ଗଭୀର ଆତ୍ମବିଶ୍ବାସ ଦେଖାଇଛନ୍ତି । ଲିଗ୍‌ ପର୍ଯ୍ୟାୟ ପରେ ତାଙ୍କ ଦଳ ଭାରତ ବିପକ୍ଷ ମ୍ୟାଚ୍‌ ପାଇଁ ଏକ ନୂଆ ରଣନୀତିରେ ଓହ୍ଲାଇବ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

ମୁମ୍ବାଇ: ଆଉ ଗୋଟିଏ ରାତିର ଅପେକ୍ଷା । କ୍ରିକେଟ୍‌ ପ୍ରଶଂସକଙ୍କ ସହ ଖେଳାଳିଙ୍କ ଭିତରେ ଭରିଗଲାଣି ଉତ୍ସାହ । ୨୦୧୯ ବିଶ୍ବକପ୍‌ ସେମି ପରାଜୟର ପ୍ରତିଶୋଧ ନେବା ଅପେକ୍ଷାରେ ଭାରତ । ସେପଟେ ଟିମ୍‌ ଇଣ୍ଡିଆ ସେନାପତିଙ୍କ ଘରୋଇ ଗ୍ରାଉଣ୍ଡରେ ଭାରତ ସହ ଲଢ଼ିବ କେନ୍‌ ୱିଲିୟମସନ୍‌ଙ୍କ ଶକ୍ତିଶାଳୀ ନ୍ୟୁଜିଲାଣ୍ଡ । ଏହି ମହାଲଢ଼େଇ ପୂର୍ବରୁ ମୁମ୍ବାଇରେ ପ୍ରେସ୍‌ମିଟ୍‌ କରି ଗଭୀର ଆତ୍ମବିଶ୍ବାସ ଦେଖାଇଛନ୍ତି ୱିଲିୟମସନ୍‌ । ଭାରତ ବହୁତ ଭଲ ଖେଳୁଥିବା ସେ ସ୍ବୀକାର କରିଥିଲେ ମଧ୍ୟ ସେମିଫାଇନାଲ୍‌ କିମ୍ବା ଫାଇନାଲ୍‌ରେ ସବୁକିଛି ନୂଆରୁ ଆରମ୍ଭ ହୋଇଥାଏ ବୋଲି କହିଛନ୍ତି ।

  • 𝘕𝘰𝘵 𝘮𝘢𝘯𝘺 𝘱𝘦𝘰𝘱𝘭𝘦 𝘨𝘦𝘵 𝘵𝘩𝘢𝘵 𝘰𝘱𝘱𝘰𝘳𝘵𝘶𝘯𝘪𝘵𝘺 🗣️

    Kane Williamson looks ahead to New Zealand's #CWC23 semi-final against India in Mumbai 👀

    More 👇https://t.co/dg69UOeeRA

    — ICC Cricket World Cup (@cricketworldcup) November 14, 2023 " class="align-text-top noRightClick twitterSection" data=" ">

ମ୍ୟାଚ୍‌ ପୂର୍ବରୁ ଭାରତକୁ ଚେତାବନୀ ଦେଇ ୱିଲିୟମସନ୍‌ କହିଛନ୍ତି, "ଭାରତ ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଚମତ୍କାର କ୍ରିକେଟ୍‌ ଖେଳିଛି । ଏହା ସର୍ବଶ୍ରେଷ୍ଠ ଦଳ ମଧ୍ୟରୁ ଗୋଟିଏ । କିନ୍ତୁ ଯେତେବେଳେ ଆମେ ଆମର ଶ୍ରେଷ୍ଠ କ୍ରିକେଟ୍ ଖେଳୁ ସେତେବେଳେ କିଛି ବି ହୋଇପାରେ । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟେକ ମ୍ୟାଚ୍‌ କଷ୍ଟକର । କୌଣସି ବି ଭଲ ପ୍ରଦର୍ଶନ କରୁଥିବା ଦଳକୁ ପରାସ୍ତ କରିପାରନ୍ତି । ଅନ୍ତିମ ପର୍ଯ୍ୟାୟରେ ପୁଣିଥରେ ସବୁକିଛି ଆରମ୍ଭ ହୁଏ । ତେଣୁ ଏକ ନୂତନ ଦୃଷ୍ଟିକୋଣ ଗ୍ରହଣ କରାଯିବା ଉଚିତ୍‌ ।" ତେବେ ସେମିଫାଇନାଲ୍‌ରେ ପ୍ରବେଶ କରିଥିବା ଅନ୍ୟଦଳ ଭଳି ନ୍ୟୁଜିଲାଣ୍ଡ ମଧ୍ୟ ଏକ ସନ୍ତୁଳିତ ଦଳ । ଦମଦାର ପ୍ରଦର୍ଶନ କରି ଏଥର କ୍ରମାଗତ ୫ମ ଥର ପାଇଁ ବିଶ୍ବକପ୍‌ ୨୦୨୩ ସେମିଫାଇନାଲ୍‌ରେ ପ୍ରବେଶ କରିଛି କିୱି ଦଳ ।

ଏହା ମଧ୍ୟ ପଢ଼ନ୍ତୁ...Watch: କାଲି ସେମିଫାଇନାଲ ମ୍ୟାଚ୍‌, ୱାଙ୍ଖଡେ ଷ୍ଟାଡିୟମରେ ଅଭ୍ୟାସ ପାଇଁ ପହଞ୍ଚିଲା ଭାରତୀୟ ଟିମ

ଚଳିତ ବର୍ଷ ଆଇପିଏଲ୍‌ ପ୍ରାରମ୍ଭିକ ପର୍ଯ୍ୟାୟରେ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବହାର ହୋଇଥିଲେ କେନ୍‌ ୱଲିୟମସନ୍‌ । ଏହାପରେ ସେ ନିଜ ଦେଶ ପାଇଁ ମଧ୍ୟ ଅନେକ ମ୍ୟାଚ୍‌ରୁ ବାଦ ପଡ଼ିଥିଲେ । ବିଶ୍ବକପ୍‌ ୨୦୨୩ରେ ଆରମ୍ଭରୁ ୨ ମ୍ୟାଚ୍‌ରେ ଦଳରୁ ବାହାରେ ବସିବା ପରେ ବାଂଲାଦେଶ ବିପକ୍ଷରେ ଦଳକୁ ଫେରିଥିଲେ । ଏହି ମ୍ୟାଚ୍‌ରେ ମଧ୍ୟ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଫଳରେ ଲିଗ୍‌ ପର୍ଯ୍ୟାୟରେ ସେ ଦଳ ପାଇଁ ଅନେକ ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ହୋଇଥିଲେ । ଏନେଇ ୱିଲିୟମସନ୍‌ କହିଛନ୍ତି, "ବିଶ୍ବକପ୍‌ ୨୦୨୩ରେ ମୋତେ ପ୍ରଥମରୁ ସୁଯୋଗ ମିଳିନଥିଲା । ଯେତେବେଳେ ସୁଯୋଗ ମିଳିଲା ତ ମୋର ଆଙ୍ଗୁଠି ଭାଙ୍ଗିଗଲା । ଏହା ମୋ ପାଇଁ ବହୁତ ଦୁଃଖଦାୟକ ଥିଲା । ହେଲେ ବାସ୍ତବତା ହେଉଛି ମୁଁ ଦଳକୁ ସୁସ୍ଥ ହୋଇ ଫେରିଲି । ଏହି ସମୟରେ ମୋତେ ସମର୍ଥନ କରିଥିବା ସମସ୍ତଙ୍କ ପାଇଁ ମୁଁ କୃତଜ୍ଞ ।"

ଭାରତ ବିପକ୍ଷ ମ୍ୟାଚ୍‌ ନେଇ ସେ କହିଛନ୍ତି, "ଭଲ କ୍ରିକେଟ୍ ଖେଳିବା ଉପରେ ସମ୍ପୂର୍ଣ୍ଣ ରୂପେ ଆମର ଧ୍ୟାନ ରହିବ । ଭଲ କ୍ରିକେଟ୍ ଖେଳିବାବେଳେ ଆମର କିଛି ପରାଜୟ ହୋଇଥିଲା ଏବଂ କିଛି ଜିତିଥିଲୁ । ଏହା ପରେ ଆମେ ଏହି ସ୍ଥାନରେ ପହଞ୍ଚିଛୁ । ବ୍ୟକ୍ତିଗତ ଭାବରେ ଏହି ଟୁର୍ଣ୍ଣାମେଣ୍ଟର ଅଂଶ ହେବା ସୌଭାଗ୍ୟର ବିଷୟ । ଦଳ ମିଶ୍ରଣ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ । ପ୍ରତ୍ୟେକ ଦଳର ଏକ ଭିନ୍ନ ମିଶ୍ରଣ ଅଛି, ଯାହା ଉପରେ ସେହି ଦଳ ନିର୍ଭର କରେ । ହାର୍ଦ୍ଦିକଙ୍କ ଆଘାତ ପରେ ଭାରତର ମିଶ୍ରଣ ଟିକିଏ ବଦଳିଗଲା । କିନ୍ତୁ ଏହା ପରେ ମଧ୍ୟ ସେମାନଙ୍କ ପ୍ରଦର୍ଶନରେ କୌଣସି ପରିବର୍ତ୍ତନ ହୋଇନଥିଲା । ଆମ ଦଳ ଟିକିଏ ଅଲଗା ମିଶ୍ରଣ ସହିତ ଖେଳନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: 'ସେମିଫାଇନାଲରେ ଲୟ ରଖି ଦଳଗତ ପ୍ରଦର୍ଶନ ଦେଲେ ଫାଇନାଲ ଖେଳିବ ଭାରତ'

ଲିଗ୍‌ ପର୍ଯ୍ୟାୟରେ ଭାରତଠାରୁ ମିଳିଥିବା ପରାଜୟ ନେଇ ସେ କହିଛନ୍ତି, "ନକ୍‌ଆଉଟ୍ ମ୍ୟାଚ୍ ଏକ ଭିନ୍ନ ସ୍ଥାନ, ଯେଉଁଠାରେ ଯୋଜନାଗୁଡ଼ିକ ନୂତନ ଭାବରେ ପ୍ରସ୍ତୁତ କରାଯାଏ । ଆମ ଦଳ ମଧ୍ୟ ଏହିପରି କିଛି କରିବ । ଫାଇନାଲରେ ପହଞ୍ଚିବା ପରେ ଏସବୁ ଯୋଜନା ପୁଣି ଆରମ୍ଭ ହୁଏ । ୯ଟି ଲିଗ୍ ମ୍ୟାଚ୍‌ର ଯୋଜନା ଭିନ୍ନ ଥିଲା, ବର୍ତ୍ତମାନ ଆମେ ନୂତନ ରଣନୀତି ପ୍ରସ୍ତୁତ କରି ମୈଦାନକୁ ଓହ୍ଲାଇବୁ । ଆମେ ଭବିଷ୍ୟତ ଚିନ୍ତା କରୁଛୁ । ଅତୀତରେ ଯାହା ଘଟିଥିଲା ​​ତାହା ଭୁଲିଯିବା ଏବଂ ଆଗକୁ ଚିନ୍ତା କରିବା ଭଲ । ଆମେ ପରିସ୍ଥିତି ଅନୁଯାୟୀ ଖେଳିବୁ । ବିପକ୍ଷ ଦଳ ଏବଂ ପରିବର୍ତ୍ତନ ସ୍ଥାନ ବିଷୟରେ ଆମେ ଅଧିକ ଚିନ୍ତା କରୁନାହୁଁ । ଏହି ମ୍ୟାଚ୍ ବେଶ ରୋମାଞ୍ଚକର ହେବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.