ETV Bharat / sports

ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ; ସିରିଜ୍‌ କ୍ଲିନ୍‌ସୁଇପ୍‌ ଲକ୍ଷ୍ୟରେ ଘରୋଇଦଳ

author img

By

Published : Dec 2, 2020, 7:25 AM IST

ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ
ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ

ଆଜି ଭାରତ-ଅଷ୍ଟ୍ରେଲିଆ ଶେଷ ଦିନିକିଆ ଟକ୍କର । ସକାଳ 9.10ରେ କାନବେରାରେ ମ୍ୟାଚ୍‌ । ଅଧିକ ପଢନ୍ତୁ...

କାନବେରା: ଆଜି ଭାରତ-ଅଷ୍ଟ୍ରେଲିଆ ତୃତୀୟ ତଥା ଶେଷ ଦିନିକିଆ । ସକାଳ 9.10ରେ କାନବେରାରେ ଖେଳାଯିବ ମ୍ୟାଚ୍‌ । ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି 0-2ରେ ଆଗୁଆ ଥିବା ଘରୋଇ ଟିମ୍‌ କ୍ଲିନସୁଇପ୍‌ ଲକ୍ଷ୍ୟରେ ରହିବ । ଏପଟେ ସମ୍ମାନ ବଞ୍ଚାଇବାକୁ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ । ପ୍ରଥମ ଦୁଇଟି ମ୍ୟାଚ୍‌ରେ ବଡସ୍କୋର ଦେଖିବାକୁ ମିଳିଥିବାବେଳେ କାନବେରାରେ ମଧ୍ୟ ଏହାର ରିପିଟ୍‌ ଟେଲିକାଷ୍ଟ ଦେଖିବାକୁ ମିଳିପାରେ । କାନବେରାର ଟ୍ରାକ୍‌ ରେକର୍ଡ ଅନୁସାରେ, ଦର୍ଶକ ହାଇସ୍କୋରିଂ ମ୍ୟାଚ୍‌ ଦେଖିପାରନ୍ତି ବୋଲି କୁହାଯାଉଛି ।

ପ୍ରଥମ ଦୁଇଟି ମ୍ୟାଚ୍‌ରେ ଭାରତୀୟ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଯାହାକୁ ସୁଧାରି ସମ୍ମାନ ବଞ୍ଚାଇବାକୁ ଲକ୍ଷ୍ୟ ରଖିବ ଭାରତ । ସେହିପରି ଏହି ମ୍ୟାଚ୍‌ ଜିତି ଟି-20 ସିରିଜ ପୂର୍ବରୁ ମନୋବଳ ଦୃଢ କରିବା ଲକ୍ଷ୍ୟରେ ରହିବ ଭ୍ରମଣକାରୀ ଟିମ୍‌ । ପ୍ରଥମ ଦୁଇଟି ଦିନିକିଆରେ ଅଭିଜ୍ଞ ମହମ୍ମଦ ସାମି ଓ ଜଶପ୍ରୀତ ବୁମରା ଆଶାନୁରୂପ ପ୍ରଦର୍ଶନ କରିପାରିନାହାନ୍ତି । ନବଦୀପ ସାଇନି 7 ଓଭରରେ 70 ରନ ବ୍ୟୟ କରିବା ପରେ ବୋଲିଂ ପାଇଁ ସଂପୂର୍ଣ୍ଣ ଫିଟ ନଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ ମୟଙ୍କ ଅଗ୍ରୱାଲ ସାଇନିଙ୍କ ବାକି ସ୍ପେଲ ପୁରା କରିଥିଲେ ।

ଫଳରେ ତୃତୀୟ ଦିନିକିଆରେ ସାଇନିଙ୍କ ସ୍ଥାନରେ 27ଟି ଅନ୍ତର୍ଜାତୀୟ ମ୍ୟାଚର ଅଭିଜ୍ଞତା ଥିବା ଶାର୍ଦ୍ଦୁଳ ଠାକୁର କିମ୍ବା 'ୟର୍କର ସେନସେସନ' ବାମହାତୀ ଥଙ୍ଗାରୁସୁ ନଟରାଜନଙ୍କୁ ସ୍ଥାନ ମିଳିବାର ସମ୍ଭାବନା ରହିଛି। ନଟରାଜନଙ୍କୁ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳିଲେ ଏହା ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ ହେବ । ଅନ୍ୟପଟେ ଆଗକୁ ହାଇଭୋଲଟେଜ ଟେଷ୍ଟ ସିରିଜ ଥିବାରୁ ବୁମରା କିମ୍ବା ସାମିଙ୍କୁ ବିଶ୍ରାମ ନେଇ ମଧ୍ୟ କୋହଲି ନିଷ୍ପତ୍ତି ନେଇପାରନ୍ତି ।

ଅନ୍ୟପଟେ ପ୍ରଥମ ଦୁଇଟି ଦିନିକିଆରେ ଘରୋଇ ବ୍ୟାଟ୍ସମ୍ୟାନ ଭାରତୀୟ ବୋଲିଂ ଲାଇନଅପକୁ ଧ୍ବସ୍ତ କରିବା ସହ ବଡ ସ୍କୋର କରିବାରେ ସମର୍ଥ ହୋଇଛନ୍ତି । ଷ୍ଟିଭ ସ୍ମିଥ 62 ବଲରୁ କ୍ରମାଗତ ଦୁଇଟି ଶତକ ହାସଲ କରିଛନ୍ତି । ଶେଷ ଭାଗରେ ଗ୍ଳେନ ମାକ୍ସୱେଲଙ୍କ ବିସ୍ପୋରକ ବ୍ୟାଟିଂ ମଧ୍ୟ ଭାରତୀୟ ବୋଲରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ପ୍ରମୁଖ ବୋଲର ଜଶପ୍ରୀତ ବୁମରାଙ୍କୁ ଓପନିଂ ସ୍ପେଲରେ ମାତ୍ର ଦୁଇ ଓଭର ବୋଲିଂ କରାଇବା ନେଇ ମଧ୍ୟ, କୋହଲିଙ୍କ ଅଧିନାୟକତ୍ବ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଖେଳାଳି ଗୌତମ ଗମ୍ଭୀର ଓ ଆଶିଷ ନେହେରା ।

ପ୍ରଥମ ଦୁଇଟି ମ୍ୟାଚରେ 19 ଓଭର ବୋଲିଂ କରି 160 ରନ ବ୍ୟୟ କରିବା ସହ ସର୍ବାଧିକ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି ୟୁଜଭେନ୍ଦ୍ର ଚହଲ । ମାତ୍ର ଗୋଟିଏ ୱିକେଟ ହାସଲ କରିଛନ୍ତି । ଅନ୍ୟପଟେ ରବିନ୍ଦ୍ର ଜାଡେଜା 6.15 ଇକୋନୋମି ହାରରେ ଅପେକ୍ଷାକୃତ ପ୍ରଭାବୀ ରହିଛନ୍ତି । ତେବେ ଉଭୟ ମ୍ୟାଚରେ ୱିକେଟ ଶୂନ୍ୟ ରହିଛନ୍ତି ଜାଡେଜା ।

ସ୍କ୍ବାଡ

ଭାରତ: ବିରାଟ କୋହଲି(କ୍ୟାପଟେନ), ଶିଖର ଦାୱନ, ଶୁଭମନ ଗିଲ, କେଏଲ ରାହୁଲ(ଭାଇସ କ୍ୟାପଟେନ / ୱିକେଟ କିପର), ଶ୍ରେୟସ ଆୟର, ମନିଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ, ରବିନ୍ଦ୍ର ଜାଡେଜା, ୟୁଜଭେନ୍ଦ୍ର ଚହଲ, କଲଦୀପ ଯାଦବ, ଜଶପ୍ରୀତ ବୁମରା, ମହମ୍ମଦ ସାମି, ନବଦୀପ ସାଇନି, ଶାର୍ଦ୍ଦୁଳ ଠାକୁର, ଟି. ନଟରାଜନ ।

ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ(କ୍ୟାପଟେନ), ଡି'ଆର୍କି ସର୍ଟ, ଷ୍ଟିଭ ସ୍ମିଥ, ମାର୍ନସ ଲାବୁସନ, ଗ୍ଳେନ ମାକ୍ସୱେଲ, ଆଲେକ୍ସ କ୍ୟାରୀ(ୱିକେଟ କିପର), ମିଚେଲ ଷ୍ଟାର୍କ, ଆଡାମ ଜାମ୍ପା, ଜସ ହେଜେଲଉଡ, ସିନ ଆବଟ୍ଟ, ଆଷ୍ଟନ ଅଗର, କେମରନ ଗ୍ରୀନ, ମୋଇସେସ ହେନେରିକ୍ସ, ଆଣ୍ଡ୍ରିୟୁ ଟାଇ, ଡାନିଏଲ ସାମ୍ସ, ମାଥ୍ୟୁ ୱେଡ(ୱିକେଟ କିପର) ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.