ETV Bharat / sports

U19 ଏସିଆ କପ୍‌ ପାଇଁ ସ୍କ୍ବାଡ୍‌ ଘୋଷଣା କଲା BCCI, ଜାଣନ୍ତୁ କାହା କାନ୍ଧରେ କମାଣ

author img

By ETV Bharat Odisha Team

Published : Nov 25, 2023, 10:10 PM IST

U19 ଏସିଆ କପ୍‌ ପାଇଁ ସ୍କ୍ବାଡ୍‌ ଘୋଷଣା କଲା BCCI
U19 ଏସିଆ କପ୍‌ ପାଇଁ ସ୍କ୍ବାଡ୍‌ ଘୋଷଣା କଲା BCCI

ପୁରୁଷ ଅଣ୍ଡର ୧୯ ଏସିଆ କପ୍‌ ୨୦୨୩ ପାଇଁ ଦଳ ଘୋଷଣା କଲା ବିସିସିଆଇ । ଯୁବ ତାରକା ବ୍ୟାଟର ଉଦୟ ଶରଣଙ୍କ କାନ୍ଧରେ ନେତୃତ୍ବ । ଜାଣନ୍ତୁ ଦଳରେ ଆଉ କାହାକୁ ମିଳିଛି ସ୍ଥାନ

ମୁମ୍ବାଇ: ଡିସେମ୍ବର ୮ ତାରିଖରେ ୟୁଏଇରେ ଆରମ୍ଭ ହେବ ଏସିସି ପୁରୁଷ ବର୍ଗର ୧୯ ବର୍ଷରୁ କମ୍‌ ଏସିଆ କପ୍‌ । ଏଥିପାଇଁ ଶନିବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ପ୍ରତିଭାଶାଳୀ ଉଦୀୟମାନ ଯୁବ ତାରକା ବ୍ୟାଟର ଉଦୟ ଶରଣଙ୍କ କାନ୍ଧରେ ଏହି ଟିମ୍‌ର ନେତୃତ୍ବ ଭାର ଦେଇଛି ବିସିସିଆଇ । ସେହିଭଳି ସୌମ୍ୟ କୁମାର ପାଣ୍ଡେ ଭାରତୀୟ ଦଳର ଉପଅଧିନାୟକ ହୋଇଛନ୍ତି । ଅଣ୍ଡର-୧୯ ଏସିଆ କପ୍‌ରେ ଭାରତୀୟ ଦଳ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଆସିଛି । ରେକର୍ଡ ୮ ଥର ଟାଇଟଲ ହାତେଇଛି ଟିମ୍‌ ଇଣ୍ଡିଆ । ତେବେ ଜାଣନ୍ତୁ ୯ମ ଟ୍ରଫି ଲକ୍ଷ୍ୟରେ ଥିବା ଟିମ୍‌ ଇଣ୍ଡିଆ ଦଳରେ ଆଉ କାହାକୁ ମିଳିଛି ସ୍ଥାନ ।

୧୯ ବର୍ଷରୁ କମ୍‌ ଏସିଆ କପ୍‌ ୨୦୨୩ ଟୁର୍ଣ୍ଣାମେଣ୍ଟ ଚଳିତ ଥର ୟୁଏଇରେ ଆୟୋଜନ ହେବ । ଡିସେମ୍ବର ୮ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ହାଇପ୍ରୋଫାଇଲ୍‌ ପ୍ରତିଯୋଗିତାରେ ଭାରତ ସହିତ ଗୋଟିଏ ଗ୍ରୁପ୍‌ରେ ପାକିସ୍ତାନ, ଆଫଗାନିସ୍ତାନ ଓ ନେପାଳ ରହିଛନ୍ତି । ଡିସେମ୍ବର ୮ ତାରିଖରେ ଭାରତ ଆଇସିସି ଏକାଡେମୀ ଓଭାଲ-୧ରେ ଆଫଗାନିସ୍ତାନ ବିପକ୍ଷରେ ଏସିଆ କପ୍‌ ଅଭିଯାନ ଆରମ୍ଭ କରିବ । ସେହିପରି ଡିସେମ୍ବର ୧୦ ତାରିଖରେ ଭାରତ ଏହାର ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ । ଏହି ମ୍ୟାଚ୍ ମଧ୍ୟ ସମାନ ଭେନ୍ୟୁରେ ଖେଳାଯିବ । ଡିସେମ୍ବର ୧୨ ତାରିଖରେ ଗ୍ରୁପ୍‌ ଷ୍ଟେଜ୍‌ର ଶେଷ ମ୍ୟାଚ୍‌ରେ ନେପାଳ ସହ ମୁହାଁମୁହିଁ ହେବ ଟିମ୍‌ ଇଣ୍ଡିଆ । ସେହିଭଳି ଡିସେମ୍ବର ୧୭ ତାରିଖରେ ଫାଇନାଲ୍ ମ୍ୟାଚ୍ ଦୁବାଇ ଇଣ୍ଟରନାସ୍‌ନାଲ୍‌ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଧାର୍ଯ୍ୟ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଆଇପିଏଲ୍‌ ୨୦୨୪ ପାଇଁ ରଣନୀତି ଶେଷ ପର୍ଯ୍ୟାୟରେ, ବଦଳିବେ ଏକାଧିକ ଦଳର ଅଧିନାୟକ

ପ୍ରକାଶଯୋଗ୍ୟ, ଭାରତ ଏପର୍ଯ୍ୟନ୍ତ ଅଣ୍ଡର ୧୯ ଏସିଆ କପ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଛି । ରେକର୍ଡ ୮ ଥର ଏହି ଟାଇଟଲ ହାତେଇଛି ଟିମ୍‌ ଇଣ୍ଡିଆ । ଏଥର ୯ମ ଟ୍ରଫି ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଭାରତୀୟ ଦଳ । ଏଥିପାଇଁ ଶନିବାର ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଥିବାବେଳେ ଉଦୀୟମାନ ଯୁବ ତାରକା ବ୍ୟାଟର ଉଦୟ ଶରଣଙ୍କ କାନ୍ଧରେ ରହିଛି ଅଧିନାୟକ ଭାର । ଏନେଇ ବିସିସିଆଇ ସଚିବ ଜୟ ଶାହ ବିଧିବଦ୍ଧ ଭାବେ ଘୋଷଣା କରିଥିବାବଳେ ବିସିସିଆଇ ଏହାର ଆଧିକାରୀକ ୱେବ୍‌ସାଇଟ୍‌ରେ ଏହି ଖବର ପ୍ରକାଶ କରିଛି ।

ଅଣ୍ଡର ୧୯ ଏସିଆ କପ୍‌ ପାଇଁ ଭାରତୀୟ ଦଳ: ଉଦୟ ଶରଣ (ଅଧିନାୟକ), ସୌମ୍ୟ କୁମାର ପାଣ୍ଡେ (ଉପ ଅଧିନାୟକ), ଅର୍ସିନ କୁଲକର୍ଣ୍ଣି, ଆଦର୍ଶ ସିଂହ, ରୁଦ୍ର ମୟୂର ପଟେଲ, ସଚିନ ଧାସ, ପ୍ରିୟାଂଶୁ ମୋଲିୟା, ମୁସୀର ଖାନ୍‌, ଧନୁଶ ଗୌଡା, ଅବିନାଶ ରାଓ (ୱିକେଟକିପର), ଏମ୍‌ ଅଭିଷେକ, ଇନେଶ ମହାଜନ (ୱିକେଟ୍‌କିପର), ଆରାଧ୍ୟ ଶୁକ୍ଳା, ରାଜ ଲିମ୍ବାନୀ, ନମନ ତିୱାରୀ

ଟ୍ରାଭେଲିଂ ଷ୍ଟାଣ୍ଡବାଇ: ପ୍ରେମ୍‌ ଦେବକର, ଅଶ ଗୋସାଇ, ମହମ୍ମଦ ଅମନ

ରିଜର୍ଭ ପ୍ଲେୟାର: ଦିଗ୍‌ବିଜୟ ପାଟିଲ, ଜୟନ୍ତ ଗୋୟତ, ପି. ବିନେଶ, କିରଣ କୋରମାଲେ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.