ETV Bharat / city

ନୀଳକନ୍ଦରରେ ନୀଳମଣି: ରସଗୋଲା ପରମ୍ପରା, ଦାମ୍ପତ୍ୟ କଳହର ଅପରୂପ ଦୃଶ୍ୟ ଦେଖିବ ବିଶ୍ୱ

author img

By

Published : Jul 12, 2022, 7:03 AM IST

ଜନ୍ମବେଦୀରେ ଲୀଳା ଖେଳା ସାରି ରତ୍ନବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । କିନ୍ତୁ ବଡଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରାଙ୍କ ବିଜେ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଟ ଓଗାଳନ୍ତି ଲକ୍ଷ୍ମୀ ସାଆନ୍ତାଣୀ । ଅଭିମାନରେ ଥିବା ମା' ଲକ୍ଷ୍ମୀଙ୍କୁ ପାଟ ଶାଢୀ, ରସଗୋଲା ଦେଇ ମାନଭଞ୍ଜନ ପରେ ନୀଳକନ୍ଦରକୁ ବିଜେ କରନ୍ତି କାଳିଆ ସାଆନ୍ତେ । ଜାଣନ୍ତୁ କଣ ଏହି ପରମ୍ପରା

ନୀଳକନ୍ଦରରେ ନୀଳମଣି: ରସଗୋଲା ପରମ୍ପରା, ଦାମ୍ପତ୍ୟ କଳହର ଅପରୂପ ଦୃଶ୍ୟ ଦେଖିବ ବିଶ୍ବ
ନୀଳକନ୍ଦରରେ ନୀଳମଣି: ରସଗୋଲା ପରମ୍ପରା, ଦାମ୍ପତ୍ୟ କଳହର ଅପରୂପ ଦୃଶ୍ୟ ଦେଖିବ ବିଶ୍ବ

ପୁରୀ: ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଭଳି ବିଚିତ୍ର ଲୀଳା ପରେ ରତ୍ନବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ଏହି ନୀତି ହୁଏ ଅନୁଷ୍ଠିତ । ସେପଟେ ରଥଯାତ୍ରାରେ ସାଥିରେ ନେଇନଥିବାରୁ ଅଭିମାନିନୀ ଲକ୍ଷ୍ମୀ ସାଆନ୍ତାଣୀ କାଳିଆ ସାଆନ୍ତେଙ୍କ ବାଟ ଓଗାଳନ୍ତି । ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ କରି ରତ୍ନବେଦୀକୁ ବିଜେ କରନ୍ତି ମହାପ୍ରଭୁ ।

ନୀଳକନ୍ଦରରେ ନୀଳମଣି: ରସଗୋଲା ପରମ୍ପରା, ଦାମ୍ପତ୍ୟ କଳହର ଅପରୂପ ଦୃଶ୍ୟ ଦେଖିବ ବିଶ୍ବ

ପରମ୍ପରା ଅନୁଯାୟୀ, ସନ୍ଧ୍ୟା ଧୂପ, ଚାରମାଳ ବନ୍ଧାହେବା ପରେ ଭକ୍ତଙ୍କୁ କିଛି ସମୟ ଦର୍ଶନ ଦେଇ ଶ୍ରୀମନ୍ଦିରକୁ ବିଜେ କରନ୍ତି ଚତୁର୍ଦ୍ଧାମୂର୍ତ୍ତି । ପୁଷ୍ପାଳକ ମହାଜନମାନେ ସର୍ବପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣୀ ଘରକୁ ବିଜେ କରାଇଥାନ୍ତି । ଠାକୁରମାନଙ୍କ ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥାନ୍ତି । ଗୋଟି ପହଣ୍ଡି କ୍ରମରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରାଯାଏ ।

ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରିବା ପରେ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ଆସିଥାନ୍ତି । ଉଭୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଲକ୍ଷ୍ମୀ ଠାକୁରାଣୀ ପରସ୍ପରକୁ ଭେଟ ହୋଇଥାନ୍ତି । ଏହାପରେ ଲକ୍ଷ୍ମୀଙ୍କ ତରଫରୁ ଭିତରଚ୍ଛ ବନ୍ଦାପନା ନୀତି ବଢାଇଥାନ୍ତି । ଏହି ସମୟରେ ପରମ୍ପରା ଅନୁଯାୟୀ ମହାପ୍ରଭୁ ସିଂହଦ୍ଵାର ନିକଟରେ ପହଞ୍ଚିବା ସମୟରେ ସାମୟିକ ଭାବେ ଦ୍ଵାର ବନ୍ଦ ରହିଥାଏ ଓ କିଛି କ୍ଷଣ ପରେ ଦ୍ଵାର ଖୋଲିଯାଏ । ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀଙ୍କ ମଧ୍ୟରେ ବଚନିକା ହୋଇଥାଏ । ମହାପ୍ରଭୁ ଜନ୍ମବେଦୀକୁ କେବଳ ଭାଇ ଓ ଭଉଣୀଙ୍କୁ ନେଇ ରଥଯାତ୍ରାରେ ଯାଇଥିବାରୁ ମା' ଲକ୍ଷ୍ମୀ ପ୍ରଭୁ ଜଗନ୍ନାଥଙ୍କ ଉପରେ ଅଭିମାନ କରିଥାନ୍ତି ।

କିଛି ସମୟ ବଚନିକା ପରେ ସିଂହଦ୍ୱାର ଖୋଲିଥାଏ । ପୁଣିଥରେ ଜଗନ୍ନାଥ ମହାପ୍ରଭୁ ଜୟ ବିଜୟ ଦ୍ଵାର ନିକଟରେ ବିଜେ କରିବା ସମୟରେ ଉକ୍ତ ଦ୍ଵାର ଭିତର ପଟୁ ବନ୍ଦ କରାଯାଇଥାଏ । ଲକ୍ଷ୍ମୀ ଠାକୁରାଣୀଙ୍କ ତରଫରୁ ଜୟ ବିଜୟ ଦ୍ଵାରର ଭିତର ପଟେ ଜନୈକ ଦେବଦାସୀ ଏବଂ ମହାପ୍ରଭୁଙ୍କ ତରଫରୁ ଜଣେ ଦଇତାପତି ଦ୍ଵାରର ଅପରପାର୍ଶ୍ଵରେ ରହିବା ସଙ୍ଗେ ସଙ୍ଗେ ଉଭୟଙ୍କ ମଧ୍ୟରେ ଲୋକ ପରମ୍ପରାଗତ ବଚନିକା ପରେ ଜୟ ବିଜୟ ଦ୍ଵାର ଫିଟିଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥ ରସଗୋଲା ଦେଇ ମା' ଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିବା ସହ ମନାଇଥାନ୍ତି ।

ଏହାପରେ ଋକ୍ମିଣୀ ବିବାହ ସମୟରେ ପଡିଥିବା ଗଇଁଠାଳ ଫିଟାଯାଇ ବନ୍ଦାପନା କରାଯାଏ । ମହାପାତ୍ରଙ୍କ ଦ୍ଵାରା ରସଗୋଲା ଭୋଗ ଭିତରକୁ ସମାହିତ ହୋଇଥାଏ । ଏହାପରେ ଘସା, ବିଡିଆ ମଣୋହି ସରିଲେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିଥାନ୍ତି । ବର୍ଷକୁ ଗୋଟିଏ ଦିନ ଶ୍ରୀମନ୍ଦିରରେ ନୀଳାଦ୍ରି ବିଜେ ସମୟରେ ଜଗନ୍ନାଥ ମହାପ୍ରଭୁଙ୍କୁ ରସଗୋଲା ଭୋଗ କରାଯାଏ । ଭିତରଚ୍ଛ ମହାପାତ୍ରଙ୍କ ନିଜସ୍ଵ ଗୃହରେ ଅତ୍ୟନ୍ତ ଶୁଦ୍ଧ ପୂତ ଭାବରେ ଏହି ରସଗୋଲା ତିଆରି ହୋଇଥାଏ । ଏହି ଅବସରରେ ପରମ୍ପରା ଅନୁସାରେ ବିଭିନ୍ନ ମଠ ଏବଂ ସେବକ ନିଯୋଗ, ଭକ୍ତଙ୍କ ପକ୍ଷରୁ ମହାପ୍ରଭୁଙ୍କୁ ରସଗୋଲା ଭୋଗ କରାଯାଏ । ଏହାପରେ ପୁଣି ଶ୍ରୀମନ୍ଦିର ଭକ୍ତଙ୍କ ଗହଳିରେ ପରିପୂର୍ଣ୍ଣ ହୋଇ ଉଠେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.