ETV Bharat / city

ବର୍ଷାଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ, ଦାଖଲ କରିଥିଲେ ଜାଲ୍ ଦସ୍ତାବିଜ !

author img

By

Published : Sep 8, 2022, 12:10 PM IST

Updated : Sep 8, 2022, 12:39 PM IST

ବର୍ଷାଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ, କୋର୍ଟରେ ଦାଖଲ କରିଥିଲେ ଜାଲ୍ ଦସ୍ତାବିଜ !
ବର୍ଷାଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ, କୋର୍ଟରେ ଦାଖଲ କରିଥିଲେ ଜାଲ୍ ଦସ୍ତାବିଜ !

ବହୁଚର୍ଚ୍ଚିତ ଷ୍ଟାର ଦମ୍ପତି ବର୍ଷା-ଅନୁଭବ ବିବାଦ ମାମଲା । କୋର୍ଟରେ ବର୍ଷା ପ୍ରିୟଦର୍ଶିନୀ ଜାଲ୍ ଦସ୍ତାବିଜ ଦାଖଲ କରିଥିବା ଅଭିଯୋଗ କଲେ ଅନୁଭବଙ୍କ ଓକିଲ । ଅଧିକ ପଢନ୍ତୁ

କଟକ: ବହୁଚର୍ଚ୍ଚିତ ଷ୍ଟାର ଦମ୍ପତ୍ତି ବର୍ଷା-ଅନୁଭବ ବିବାଦରେ (Anubhav Varsha marital discord) ନୂଆ ମୋଡ । ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟରେ ଦାୟର କରିଥିବା ପିଟିସନକୁ ପ୍ରତ୍ୟାହାର କରି ନେଇଛନ୍ତି । ବର୍ଷାଙ୍କ ପିଟିସନ ପ୍ରତ୍ୟାହାର ପରେ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ହାଇକୋର୍ଟ । ତେବେ ଇତିମଧ୍ୟରେ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆସିଛି ।

ପତ୍ନୀ ବର୍ଷା ହାଇକୋର୍ଟରେ ଦୁଇ ଦୁଇ ଥର ଜାଲ ଦସ୍ତାବିଜ ବା ରେକର୍ଡ ଦାଖଲ କରିଥିବା ଅଭିଯୋଗ ଆଣିଛନ୍ତି ସାଂସଦ ଅନୁଭବଙ୍କ ଓକିଲ । ଫଳସ୍ବରୂପ ଅଦାଲତକୁ ବିଭ୍ରାନ୍ତି କରିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ରୁଜୁ କରାଯିବ ବୋଲି ଅନୁଭବଙ୍କ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଗୀତା ଲୁଥରାଙ୍କ ଜୁନିୟର ଅନିର୍ବାଣ କହିଛନ୍ତି ।

ମିଳିଥିବା ସୂଚନା ମୁତାବକ, କଟକ ପରିବାର ଅଦାଲତରେ ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାହ ବିଚ୍ଛେଦ ମାମଲାରେ ସାଂସଦ ଅନୁଭବ ମହାନ୍ତିଙ୍କୁ ପୁଣିଥରେ ଜେରା ପାଇଁ ବର୍ଷା ଏକ ପିଟିସନ ଦାୟର କରିଥିଲେ । ମାତ୍ର ପରିବାର ଅଦାଲତ ଏହାକୁ ଖାରଜ କରିଦେବାରୁ ଅଭିନେତ୍ରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ସମୟରେ ବର୍ଷା ଦୁଇଟି ଯାକ ତାରିଖରେ ଦୁଇ ଦୁଇଟି ଭିନ୍ନ ଭିନ୍ନ ଜାଲ ଦସ୍ତାବିଜ ଦାଖଲ କରିଥିବା ଜଣାପଡ଼ିଛି । ଏନେଇ ବର୍ଷାଙ୍କ ଓକିଲ ସୁଜାତା ଜେନାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ହସ୍ତଗତ ହୋଇ ପାରିନାହିଁ ।

ଏହାମଧ୍ୟ ପଢନ୍ତୁ: ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବର୍ଷାଙ୍କୁ ଛାଡପତ୍ର ଦେବା ଲାଗି ପ୍ରଥମେ ନୂଆଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଆବେଦନ କରିଥିଲେ ସାଂସଦ ଅନୁଭବ ମହାନ୍ତି (BJD MP Anubhav Mohanty) । ଏହାପରେ ବର୍ଷା ଅନୁଭବଙ୍କ ବିରୋଧରେ କଟକ SDJM କୋର୍ଟ ଓ ପରିବାର ଅଦାଲତରେ ଘରୋଇ ହିଂସା, ଭରଣ ପୋଷଣ ଓ ବୈବାହିକ ଜୀବନକୁ ସ୍ଥାୟୀ କରିବାକୁ ପ୍ରାର୍ଥନା କରି ଦୁଇଟି ମାମଲା ଦାଖଲ କରିଥିଲେ ।

ଏହାର କିଛିଦିନ ପରେ ବର୍ଷା ପଟିଆଲା ହାଉସ କୋର୍ଟରେ ଅନୁଭବ ଦାଖଲ କରିଥିବା ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ମାମଲା କଟକ ସ୍ଥାନାନ୍ତର ହୋଇଥିଲା ।

ଅନ୍ୟପଟରେ ସୋସିଆଲ ମିଡିଆରେ ଅନୁଭବଙ୍କ ବିବାଦୀୟ ପୋଷ୍ଟକୁ ନେଇ ବର୍ଷା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାବେଳେ, ହାଇକୋର୍ଟ କେହି କାହାରି ବିରୋଧରେ ଆପତ୍ତିଜନକ ପୋଷ୍ଟ କରିବାରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କଟକ

Last Updated :Sep 8, 2022, 12:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.