ETV Bharat / city

Possible Cyclone: ମୁକାବିଲା ଲାଗି ପ୍ରସ୍ତୁତ ନଗର ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ

author img

By

Published : May 7, 2022, 5:16 PM IST

Probable Cyclone: ମୁକାବିଲା ଲାଗି ପ୍ରସ୍ତୁତ ନଗର ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ
Probable Cyclone: ମୁକାବିଲା ଲାଗି ପ୍ରସ୍ତୁତ ନଗର ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ

ସମ୍ଭାବ୍ୟ ବାତ୍ୟାକୁ ନେଇ ନଗର ଉନ୍ନୟନ ବିଭାଗ ଓ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମୀକ୍ଷା ବୈଠକ କରାଯାଇଛି । ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଉଛି ନଗର ଉନ୍ନୟନ ବିଭାଗ ଓ ପଞ୍ଚାୟତିରାଜ ବିଭାଗ । ବାତ୍ୟା ପୂର୍ବରୁ ଆବଶ୍ୟକ ଅନୁଯାୟୀ ପ୍ରସ୍ତୁତ ରହିବାକୁ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ଆଜି ଦୁଇ ବିଭାଗର ପ୍ରସ୍ତୁତି ନେଇ ସମୀକ୍ଷା କରିବା ସହ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୨୦୯ଟି ବ୍ଲକ୍ ଏବଂ ୭୭ ଟି ପୌରାଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି । ସମସ୍ତ ପୌରାଞ୍ଚଳରେ ଖାଲୁଆ ଅଞ୍ଚଳରୁ ବର୍ଷାପାଣି ନିଷ୍କାସନ ପାଇଁ ପ୍ରାୟ ୫୦୦ଟି ଜେନ୍‌ସେଟ୍ ଓ ଡିଜି ସେଟ୍ ଅନହ୍ବିଲ ବ୍ୟବସ୍ଥା କରାଯାଇଛି । ଆବଶ୍ୟକସ୍ଥଳେ ଅଧି‌କ ଜେନେରେଟର ବ୍ୟବସ୍ଥା କରିବାକୁ କୁହାଯାଇଛି । ଜେନେରେଟର ଓ ପାଣି ପମ୍ପ ଆଗୁଆ ନିର୍ଦ୍ଧାରିତ ସ୍ଥାନମାନଙ୍କରେ ରଖି ଆବଶ୍ୟକ ବେଳେ ତୁରନ୍ତ କାମରେ ଲାଗିପାରିବ ।

ସେହିପରି ବାତ୍ୟା ଆଶ୍ରୟ ସ୍ଥଳୀରେ ଯେପରି ପିଇବା ପାଣିର କୌଣସି ପ୍ରକାର ଅସୁବିଧା ନହୁଏ, ସେଥିପ୍ରତି ସତର୍କ ରହିବାକୁ କୁହାଯାଇଛି । ଏଥିପାଇଁ ଆବଶ୍ୟକ ସଂଖ୍ୟକ ସିନ୍ଟେକ୍ସ ଟାଙ୍କି ବ୍ୟବସ୍ଥା କରି ପିଇବା ପାଣି ମହଜୁତ ରଖାଯିବ । ସହରାଞ୍ଚଳରେ ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ଖାଦ୍ୟ ବ୍ୟବସ୍ଥା କରାଯିବ । ପୌରାଞ୍ଚଳରେ ୨୪ ଘଣ୍ଟିଆ ୟୁନିଫାଏଡ୍ ନିୟନ୍ତ୍ରଣ କକ୍ଷ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସହରଞ୍ଚାଳରେ ଯେଉଁଠି ଜଳବନ୍ଦୀ ସମସ୍ୟା ରହିବ ସେହି ସବୁ ସ୍ଥାନକୁ ଚିହ୍ନଟ କରି ବ୍ୟବସ୍ଥା ଗ୍ରହଣ ସହିତ ଆବଶ୍ୟକ ହେଲେ ପାୟାରବ୍ରିଗେଡ୍ ସାହାଯ୍ୟ ନେବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ପ୍ରଭାବିତ ହେବାକୁ ଆଶଙ୍କା ଥିବା ୨୦୯ ଟି ବ୍ଲକ୍ ଅଞ୍ଚଳରେ ମଧ୍ୟ ଅନୁରୂପ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ଯୋଗୁଁ କୌଣସି ସ୍ଥାନରେ ଯଦି ରାସ୍ତା ଅବରୋଧ ହୁଏ ତାକୁ ତୁରନ୍ତ ସଫା କରାଯିବ । ବର୍ଷାଜଳ ପରିମାଣ ମାପିବା ବା ରେନଗଜ ଗୁଡିକୁ କାର୍ଯ୍ୟକ୍ଷମ ରଖିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କ ରହିବା ପାଇଁ ଆବଶ୍ୟକ ସୁବିଧା ସୁଯୋଗ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା ଓ ବର୍ଷା ପରବର୍ତ୍ତୀ ସମୟରେ ନଳକୂପ ଓ ଅନ୍ୟାନ୍ୟ ପାନୀୟ ଜଳ ଉତ୍ସକୁ ଯୁଦ୍ଧକାଳୀନ ଭିତ୍ତିରେ ବିଶୋଧନ କରିବା, ତଳିଆ ଅଞ୍ଚଳରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ଓ ସେମାନଙ୍କ ପାଇଁ ଖାଦ୍ୟପେୟ ବ୍ୟବସ୍ଥା କରାଯିବ ।

ବାତ୍ୟା ପାଇଁ ଏହି ସବୁ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ପୌରନିର୍ବାହୀ ଅଧିକାରୀ ଏବଂ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ପିଡି, ଡିଆର୍‌ଡିଏ ଓ ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶନାମା ପଠାଯାଇଛି । ତେବେ ବିଭାଗ ପକ୍ଷରୁ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ପୌର ପ୍ରଶାସକ ସଂଗ୍ରାମଜିତ୍ ନାୟକ, ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ପଞ୍ଚାୟତିରାଜ ନିର୍ଦ୍ଦେଶକ ଗଣେଶ ଚନ୍ଦ୍ର ପାତ୍ର, ୱାଟ୍‌କୋ ସିଇଓ ପି.ସି ସ୍ବାଇଁ, ନଗର ଉନ୍ନୟନ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଭାତ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.